ଦୀପାବଳି ରାତିରେ ଭୁବନେଶ୍ୱରର ବାୟୁ ପ୍ରଦୂଷଣ ସ୍ତର ଅତ୍ୟନ୍ତ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। ସହରରେ ପ୍ରବଳ ଭାବରେ ବାଣ ଫୁଟାଯିବା ଯୋଗୁଁ ବାୟୁ ଗୁଣବତ୍ତା ସୂଚକାଙ୍କ ରାତି ପ୍ରାୟ ୧୧ଟା ସମୟରେ ଏକ ଅଭୂତପୂର୍ବ ୧,୪୪୪ ରେ ପହଞ୍ଚିଥିଲା। ଏହାକୁ ‘ଅତ୍ୟନ୍ତ ବିପଜ୍ଜନକ’ ବର୍ଗରେ ଅନ୍ତର୍ଭୁକ୍ତ କରାଯାଇଛି। ସନ୍ଧ୍ୟା ୭ଟା ସମୟରେ ୨୫୮ ଥିବା ବାୟୁ ଗୁଣବତ୍ତା ସୂଚକାଙ୍କ ମାତ୍ର କିଛି ଘଣ୍ଟା ମଧ୍ୟରେ ଡିଆଁମାରି ରାତି ୮:୩୦ ସୁଦ୍ଧା ୮୫୯ ଏବଂ ରାତି ୯ଟା ସୁଦ୍ଧା ୧,୦୯୧ ରେ ପହଞ୍ଚିଥିଲା। ସ୍ଥିତି ଏପରି ହେଲା ଯେ ରାତି ପ୍ରାୟ ୧୧ଟା ସମୟରେ ଏହା ସର୍ବୋଚ୍ଚ ସ୍ତର ଅର୍ଥାତ୍ ୧,୪୪୪ ଛୁଇଁଥିଲା, ଯାହାକି ସମ୍ପୂର୍ଣ୍ଣ ‘ଅତ୍ୟନ୍ତ ବିପଜ୍ଜନକ’ ବର୍ଗରେ ଆସିଥାଏ। ଏହି ଭୟାବହ ପ୍ରଦୂଷଣ ସମୟରେ ପରିବେଶରେ ଅତ୍ୟନ୍ତ କ୍ଷତିକାରକ ମାତ୍ରାରେ ମାଇକ୍ରୋଗ୍ରାମ କଣିକା ଭରି ରହିଥିଲା। ରାତି ୯ଟା ବେଳକୁ PM2.5 ସ୍ତର ପ୍ରତି ଘନ ମିଟରରେ ୬୨୨ ଏବଂ PM10 ସ୍ତର ୭୫୦ ମାଇକ୍ରୋଗ୍ରାମରେ ପହଞ୍ଚିଥିବା ତଥ୍ୟରୁ ଜଣାପଡ଼ିଛି। ବାଣର ଧୂଆଁ ଏବଂ ବିଷାକ୍ତ କଣିକାଭର୍ତ୍ତି ଏହି ପରିବେଶ ପ୍ରାୟ ଆଠ ଘଣ୍ଟା ଧରି ଅର୍ଥାତ୍ ସନ୍ଧ୍ୟା ୭ଟାଠାରୁ ଆରମ୍ଭ କରି ଭୋର ୩ଟା ପର୍ଯ୍ୟନ୍ତ ସହରବାସୀଙ୍କୁ ଅଣନିଶ୍ୱାସୀ କରି ରଖିଥିଲା। ପରବର୍ତ୍ତୀ ସମୟରେ ସୋମବାର ଭୋର ପ୍ରାୟ ୩:୩୦ ସମୟରେ AQI କମି ୩୦୫କୁ ଖସିଥିଲେ ହେଁ ଏହାର ଦୀର୍ଘସ୍ଥାୟୀ ପ୍ରଭାବ ମାନବ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଚିନ୍ତାଜନକ ସାବ୍ୟସ୍ତ ହୋଇଛି। ଏଭଳି ବିଷାକ୍ତ ବାୟୁ ବିଶେଷକରି ପିଲାମାନେ, ବୃଦ୍ଧମାନେ, ଗର୍ଭବତୀ ମହିଳା ଏବଂ ଆଜ୍ମା ବା ହୃଦ୍ରୋଗୀଙ୍କ ପାଇଁ ଏକ ବଡ଼ଧରଣର ବିପଦ ଡାକି ଆଣିଥାଏ। PM2.5 ଭଳି ଅତିସୂକ୍ଷ୍ମ କଣିକାଗୁଡ଼ିକ ସିଧାସଳଖ ଫୁସଫୁସ୍ ଭିତରକୁ ପ୍ରବେଶ କରି ରକ୍ତପ୍ରବାହରେ ମିଶିଯାଇଥାଏ, ଯାହାଫଳରେ କାଶ, ଗଳାଜ୍ୱାଳା, ନିଶ୍ୱାସ ନେବାରେ କଷ୍ଟ, ଏବଂ ଛାତିରେ ଅସ୍ୱାଭାବିକ ଅନୁଭବ ଭଳି ଜଟିଳତା ଦେଖାଦେଇଥାଏ। ଏପରିକି ସୁସ୍ଥ ବ୍ୟକ୍ତିମାନେ ମଧ୍ୟ ଆଖିରେ ଜ୍ୱାଳା, ମୁଣ୍ଡବିନ୍ଧା ଏବଂକ୍ଲାନ୍ତି ଅନୁଭବ କରିଥିଲେ। ଏଭଳି ପରିସ୍ଥିତିରୁ ରକ୍ଷା ପାଇବା ପାଇଁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ବିନା ଜରୁରୀକାଳୀନ ପରିସ୍ଥିତିରେ ବାହାରକୁ ନ ଯିବାକୁ, ଘରର ଦରଜା-ଝରକା ବନ୍ଦ ରଖିବାକୁ ଏବଂ ବାହାରକୁ ବାହାରିବାକୁ ପଡ଼ିଲେ N95 ମାସ୍କ ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି। ଯଦି କାହାରିକୁ ଅଧିକ ନିଶ୍ୱାସ ଜନିତ ସମସ୍ୟା କିମ୍ବା ଛାତିରେ ଯନ୍ତ୍ରଣା ଅନୁଭବ ହୁଏ, ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ ବୋଲି କୁହାଯାଇଛି। Post navigation Fire in kataka Building: କଟକରେ ଭୟାବହ ଅଗ୍ନିକାଣ୍ଡ: ତିନି ମହଲା କୋଠାରୁ ଉଦ୍ଧାର ବେଳେ ନାବାଳକ ମୃତ, ଜଣେ ବୃଦ୍ଧ ଗୁରୁତର