ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ବାଲିଚନ୍ଦ୍ରପୁର ଥାନା ନାଳୀପୁର ଗ୍ରାମରେ ଏକ ମର୍ମନ୍ତୁଦ ଅଗ୍ନିକାଣ୍ଡ ଘଟିଛି। ଶନିବାର ସନ୍ଧ୍ୟାରେ ଏକ ଘରେ ହଠାତ୍ ନିଆଁ ଲାଗିଯିବାରୁ ଗୋଟିଏ ପରିବାରର ୪ ଜଣ ସଦସ୍ୟ ଜୀବନ୍ତ ଦଗ୍ଧ ହୋଇପ୍ରାଣ ହରାଇଛନ୍ତି। ପ୍ରାଥମିକ ସୂଚନା ମୁତାବକ, ଏସ୍କେ ନିଜାମୁଦ୍ଦିନଙ୍କ ଘରେ ହଠାତ୍ ନିଆଁ ଲାଗିଯାଇଥିଲା। ନିଆଁର ପ୍ରକୋପ ଏତେ ଅଧିକ ଥିଲା ଯାହା ଦ୍ରୁତ ଗତିରେ ଚାରିଆଡ଼େ ବ୍ୟାପିଯାଇ ସମ୍ପୂର୍ଣ୍ଣ ଘରଟିକୁ ପାଉଁଶ କରିଦେଇଥିଲା। ଏହି ଦୁର୍ଘଟଣାରେ ନିଜାମୁଦ୍ଦିନଙ୍କ ବଡ଼ ବୋହୂ, ବାପଘରକୁ ବୁଲିବାକୁ ଆସିଥିବା ତାଙ୍କ ଝିଅ, ୧୦ ବର୍ଷର ନାତୁଣୀ ଏବଂ ୮ ମାସର ନାତି ଘଟଣାସ୍ଥଳରେ ହିଁ ମୃତ୍ୟୁବରଣ କରିଛନ୍ତି। ଏହା ବ୍ୟତୀତ ଅନ୍ୟ ଜଣେ ଯୁବକ ଗୁରୁତର ଭାବେ ଆହତ ହୋଇ ବଡ଼ଚଣା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଯାଜପୁର ଏସପି ଯଶପ୍ରତାପ ଶ୍ରୀମାଲ ଏହି ଚାରି ଜଣଙ୍କ ମୃତ୍ୟୁକୁ ନିଶ୍ଚିତ କରିଛନ୍ତି। ଖବର ପାଇ ଚଣ୍ଡିଖୋଲ ଅଗ୍ନିଶମ କେନ୍ଦ୍ର ଏବଂ ବଳିଚନ୍ଦ୍ରପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ। ତେବେ କିପରି ଏବଂ କେଉଁ କାରଣରୁ ନିଆଁ ଲାଗିଲା, ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଏହି ହୃଦୟବିଦାରକ ଦୁର୍ଘଟଣା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । Post navigation Rescued Orangutans Are Doing Well in Odisha: ଓରାଙ୍ଗଉଟାନଙ୍କୁ ନେଇ କୌଣସି ଦେଶର ଦାବି ନାହିଁ, ସେମାନେ ଓଡ଼ିଶାରେ ହିଁ ରୁହନ୍ତୁ: ଗଣେଶ ରାମ ସିଂ ଖୁଣ୍ଟିଆ