ଆଗାମୀ ଶିକ୍ଷାବର୍ଷ ପାଇଁ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ବା ସିବିଏସ୍ଇ ପକ୍ଷରୁ ଦଶମ ଏବଂ ଦାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ତାରିଖ ଘୋଷଣା କରାଯାଇଛି। ବୋର୍ଡର ଏହି ସମୟୋଚିତ ପଦକ୍ଷେପ ଯୋଗୁଁ ଛାତ୍ରଛାତ୍ରୀମାନେ ବିନା କୌଣସି ଚାପରେ ନିଜର ପରୀକ୍ଷା ପ୍ରସ୍ତୁତିକୁ ବ୍ୟବସ୍ଥିତ କରିପାରିବେ। ଆସନ୍ତା ୨୦୨୭ ମସିହା ଫେବୃଆରୀ ୧୬ ତାରିଖରୁ ଉଭୟ ଦଶମ ଓ ଦାଦଶ ଶ୍ରେଣୀ ପରୀକ୍ଷା ଆରମ୍ଭ ହେବାକୁ ଯାଉଛି। ଚଳିତ ବର୍ଷ ଏହି ପରୀକ୍ଷାଗୁଡ଼ିକରେ ଲକ୍ଷାଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିବେ। ପ୍ରାୟ ଏହି ବର୍ଷ ଦଶମ ଶ୍ରେଣୀରେ ୨୬.୫ ଲକ୍ଷରୁ ଅଧିକ ଏବଂ ଦାଦଶ ଶ୍ରେଣୀରେ ୧୯.୮ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଛନ୍ତି। ଦଶମ ଶ୍ରେଣୀରେ ମୋଟ ୮୩ ବିଷୟ ଏବଂ ଦ୍ୱାଦଶ ଶ୍ରେଣୀରେ ୧୨୧ ବିଷୟ ପାଇଁ ପରୀକ୍ଷା ଅନୁଷ୍ଠିତ ହେବ। ସମସ୍ତ ପରୀକ୍ଷା ପ୍ରତିଦିନ ସକାଳ ୧୦ଟା ୩୦ ମିନିଟ୍ରେ ଆରମ୍ଭ ହେବ। ଛାତ୍ରଛାତ୍ରୀମାନେ ଯେପରି ବିଭିନ୍ନ ବିଷୟ ମଧ୍ୟରେ ପର୍ଯ୍ୟାପ୍ତ ବ୍ୟବଧାନ ପାଇବେ ଏବଂ ମାନସିକ ଚାପରୁ ମୁକ୍ତ ରହିବେ, ସେଥିପ୍ରତି ଦୃଷ୍ଟି ଦିଆଯାଇ ଡେଟ୍ସିଟ୍ ପ୍ରସ୍ତୁତ କରାଯାଇଛି। ପରୀକ୍ଷାର୍ଥୀମାନେ ନିଜର ବିଷୟଭିତ୍ତିକ ସମ୍ପୂର୍ଣ୍ଣ ଡେଟ୍ସିଟ୍ ଏବଂ ଅଧିକ ବିବରଣୀ ପାଇଁ ସିବିଏସ୍ଇ ର ଅଫିସିଆଲ୍ ୱେବସାଇଟ୍ www.cbse.gov.in ପରିଦର୍ଶନ କରି ଡାଉନଲୋଡ୍ କରିପାରିବେ। ଛାତ୍ରଛାତ୍ରୀମାନଙ୍କୁ ପରୀକ୍ଷା ସମୟରେ କୌଣସି ପ୍ରକାର ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ, ସେଥିପାଇଁ ବୋର୍ଡ ପକ୍ଷରୁ ବିଶେଷ ସତର୍କତା ଅବଲମ୍ବନ କରାଯାଇଛି। ବିଶେଷ କରି ସାଧାରଣତଃ ଏକାଠି ପଢ଼ାଯାଉଥିବା ବିଷୟଗୁଡ଼ିକ ମଧ୍ୟରେ ପର୍ଯ୍ୟାପ୍ତ ବ୍ୟବଧାନ ରଖାଯାଇଛି ଯାହାଦ୍ୱାରା ପିଲାମାନେ ଗୋଟିଏ ପରୀକ୍ଷା ପରେ ଅନ୍ୟଟି ପାଇଁ ପ୍ରସ୍ତୁତ ହେବାକୁ ଯଥେଷ୍ଟ ସମୟ ପାଇବେ। ଏହାସହ ଦ୍ୱାଦଶ ଶ୍ରେଣୀର ପିଲାମାନଙ୍କର ବିଭିନ୍ନ ପ୍ରବେଶିକା ପରୀକ୍ଷାର ସମ୍ଭାବ୍ୟ ସମୟକୁ ମଧ୍ୟ ଦୃଷ୍ଟିରେ ରଖାଯାଇ ଏହି ସମୟସୂଚୀ ତିଆରି କରାଯାଇଛି, ଯାହାଫଳରେ ବୋର୍ଡ ପରୀକ୍ଷା ଶେଷ ହେବା ପରେ ସେମାନେ ପ୍ରବେଶିକା ପରୀକ୍ଷାଗୁଡ଼ିକୁ ସହଜରେ ସାମ୍ନା କରିପାରିବେ। Post navigation New Chapter of Development in Kendujhar: କେନ୍ଦୁଝରରେ ଶିକ୍ଷା, ସ୍ୱାସ୍ଥ୍ୟ ଓ ଶିଳ୍ପ କ୍ଷେତ୍ରରେ ବିକାଶର ନୂଆ ଅଧ୍ୟାୟ