ଗଞ୍ଜାମ ଜିଲ୍ଲାର ବନ୍ୟା କ୍ଷୟକ୍ଷତି ଅନୁଧ୍ୟାନ କରିବାକୁ ଯାଇଥିବା ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ଗସ୍ତ ସମୟରେ କଂଗ୍ରେସର ଗୋଷ୍ଠୀ କନ୍ଦଳ ସାମ୍ନାକୁ ଆସିଛି । ଛତ୍ରପୁର ବାଇପାସ୍‌ରେ ଥିବା ଏକ ଘରୋଇ ହୋଟେଲରେ ଦଳର ଦୁଇ ଗୋଷ୍ଠୀ ମଧ୍ୟରେ ପାଟିତୁଣ୍ଡ, ଗାଳିଗୁଲଜ ଓ ମାରପିଟ୍ ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି । ଏହି ଘଟଣା ଜିଲ୍ଲା କଂଗ୍ରେସରେ ଥିବା ମତଭେଦକୁ ପଦାରେ ପକାଇଛି ।

ସୂଚନା ଅନୁଯାୟୀ, ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ସହ ଜିଲ୍ଲା କଂଗ୍ରେସ ସଭାପତି ରଶ୍ମୀ ରଞ୍ଜନ ପଟ୍ଟନାୟକ, ଜିଲ୍ଲା ଉପସଭାପତି ଅଶୋକ ପଟ୍ଟନାୟକ ଏବଂ ଅନ୍ୟ ନେତା ଓ କର୍ମୀ ଛତ୍ରପୁର ବାଇପାସ୍‌ସ୍ଥିତ ଏକ ଘରୋଇ ହୋଟେଲରେ ଥିଲେ । ଏହି ସମୟରେ ଛତ୍ରପୁର ବ୍ଲକର କଂଗ୍ରେସ ନେତା ଭାଗିରଥି ବେହେରା, ଗଣପତି ବାରିକ ଓ ପୂର୍ବତନ ସରପଞ୍ଚ ଟି. କ୍ରିଷ୍ଣା ରେଡ୍ଡୀଙ୍କ ନେତୃତ୍ୱରେ କିଛି କର୍ମୀ ସେଠାରେ ପହଞ୍ଚିଥିଲେ । ସେମାନେ ଜିଲ୍ଲାର ଦୁଇ ଜଣ ନେତାଙ୍କୁ ଗାଳିଗୁଲଜ କରିବା ସହ ମାଡ଼ ମାରିବା ପାଇଁ ହାତ ଉଠାଇଥିବା ଅଭିଯୋଗ ହୋଇଛି ।

ପିସିସି ସଭାପତିଙ୍କ ଗସ୍ତ କାର୍ଯ୍ୟକ୍ରମ ବିଷୟରେ ସ୍ଥାନୀୟ ନେତା ଓ କର୍ମୀଙ୍କୁ ନଜଣାଇ ଥିବା ନେଇ ମଧ୍ୟ ଅସନ୍ତୋଷ ରହିଥିବା ଜଣାପଡ଼ିଛି । ଛତ୍ରପୁର ବ୍ଲକର ଗାଙ୍ଗପୁରଠାରେ କିଛି ଚାଷୀ ପିସିସି ସଭାପତିଙ୍କୁ ଭେଟିବା ପାଇଁ ଅପେକ୍ଷା କରିଥିଲେ । ହେଲେ ସେଠାକୁ ଯାଇ ନଥିବା ଏବଂ ଦଳୀୟ କାର୍ଯ୍ୟକ୍ରମରେ ଅବ୍ୟବସ୍ଥା ହୋଇଥିବା ଅଭିଯୋଗକୁ ନେଇ ବିବାଦ ବଢ଼ିଥିଲା । ଏହି ଘଟଣା ପରେ ଛତ୍ରପୁର ନିର୍ବାଚନ ମଣ୍ଡଳୀର ଏକ ପ୍ରତିନିଧି ଦଳ ଭୁବନେଶ୍ୱର ଯାଇ ପିସିସି ସଭାପତିଙ୍କ ସହ ଏ ସମ୍ପର୍କରେ ଆଲୋଚନା କରିବେ ବୋଲି ଜଣାପଡ଼ିଛି ।

ଏହି ଗସ୍ତ ସମୟରେ ଭକ୍ତ ଚରଣ ଦାସଙ୍କ ସହ ସିଦ୍ଧାର୍ଥ ଦାସ, ରଜନୀକାନ୍ତ ପାଢ଼ୀ, ଜିଲ୍ଲା ସଭାପତି ରଶ୍ମୀ ରଞ୍ଜନ ପଟ୍ଟନାୟକ, ଅଶୋକ ପଟ୍ଟନାୟକଙ୍କ ସମେତ ଅନ୍ୟ ଦଳୀୟ ନେତାମାନେ ଗଞ୍ଜାମ ଓ ଛତ୍ରପୁର ବ୍ଲକର ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲିଥିଲେ । ସେମାନେ ବିଭିନ୍ନ ଚାଷ ଜମି ପରିଦର୍ଶନ କରି ବନ୍ୟା ଯୋଗୁଁ ହୋଇଥିବା କ୍ଷୟକ୍ଷତିର ସ୍ଥିତି ଅନୁଧ୍ୟାନ କରିଥିଲେ ।

By Nirvay

Leave a Reply

Your email address will not be published. Required fields are marked *