ରାୟଗଡ଼ା ଟ୍ରକ୍ ମାଲିକ ସଂଘର ପ୍ରାୟ ୮୦ କୋଟି ଟଙ୍କା ଆତ୍ମସାତ୍ ଅଭିଯୋଗରେ ପୂର୍ବତନ ରାଜ୍ୟସଭା ସାଂସଦ ଏନ୍. ଭାସ୍କର ରାଓଙ୍କ ବାସଭବନରେ କ୍ରାଇମ୍ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ଚଢ଼ଉ କରିଛି । ଶୁକ୍ରବାର ସକାଳେ ଇଓଡବ୍ଲ୍ୟୁର ୨୧ ଜଣିଆ ସ୍ୱତନ୍ତ୍ର ଟିମ୍ ରାୟଗଡ଼ାର ରାଣିଗୁଡ଼ାସ୍ଥିତ ତାଙ୍କ ବାସଭବନରେ ପହଞ୍ଚି ଛାନଭିନ କରିଛି । ଏହି ଚଢ଼ଉ ସମୟରେ ଘରେ ଥିବା ବିଭିନ୍ନ କାଗଜପତ୍ର ଓ ନଥିପତ୍ର ଯାଞ୍ଚ କରାଯାଇଛି । ଅତିରିକ୍ତ ଏସ୍ପି ଆଶିଷ କୁମାର ମିଶ୍ର ଏହି ଟିମ୍ର ନେତୃତ୍ୱ ନେଉଛନ୍ତି । ଟିମ୍ରେ ୫ ଜଣ ଡିଏସ୍ପି ଓ ୫ ଜଣ ଇନ୍ସପେକ୍ଟରଙ୍କ ସମେତ ମୋଟ ୨୧ ଜଣ ଅଧିକାରୀ ରହିଛନ୍ତି । ଗତ ବୁଧବାର ଇଓଡବ୍ଲ୍ୟୁର ଏକ ଟିମ୍ ରାୟଗଡ଼ାରେ ପହଞ୍ଚି ସ୍ଥାନୀୟ ଥାନାରୁ ମାମଲା ସମ୍ପର୍କିତ କାଗଜପତ୍ର ସଂଗ୍ରହ କରିଥିଲା । ଗୁରୁବାର ଅନ୍ୟ ଏକ ଟିମ୍ ସେଠାରେ ପହଞ୍ଚି ତଦନ୍ତ ଆଗକୁ ବଢ଼ାଇଥିଲା । ଦୁଇ ଦିନ ଧରି ଆର୍ଥିକ କାରବାର ଓ ଅନିୟମିତତା ସମ୍ପର୍କିତ ତଥ୍ୟ ଯାଞ୍ଚ କରିବା ପରେ ଶୁକ୍ରବାର ସକାଳେ ଭାସ୍କର ରାଓଙ୍କ ଘରେ ଚଢ଼ଉ କରାଯାଇଛି । ସୂଚନାଯୋଗ୍ୟ, ଟ୍ରକ୍ ମାଲିକ ସଂଘର ପ୍ରାୟ ୮୦ କୋଟି ଟଙ୍କା ହଡ଼ପ ହୋଇଥିବା ଅଭିଯୋଗ କରି ସଂଘର ସଭାପତି ସ୍ୱର୍ଗତ ୱାଇ. ଭେଙ୍କଟେଶ୍ୱର ରାଓ ରାୟଗଡ଼ା ଥାନାରେ ଏତଲା ଦେଇଥିଲେ । ଏଥିରେ ପୂର୍ବତନ ସାଂସଦ ଏନ୍. ଭାସ୍କର ରାଓଙ୍କ ସମେତ ଅନ୍ୟ କିଛି ବ୍ୟକ୍ତିଙ୍କ ନାମ ଉଲ୍ଲେଖ କରାଯାଇଥିଲା । ରାୟଗଡ଼ା ପୋଲିସ ଏହାର ତଦନ୍ତ ଭାର କ୍ରାଇମ୍ବ୍ରାଞ୍ଚର ଇଓଡବ୍ଲ୍ୟୁକୁ ହସ୍ତାନ୍ତର କରିଥିଲା । ଚଢ଼ଉ ବେଳେ ଏନ୍. ଭାସ୍କର ରାଓ ରାୟଗଡ଼ାରେ ନଥିବା ଜଣାପଡ଼ିଛି । Post navigation OPSC Releases Notification for 340 ASO Posts: ଓପିଏସ୍ସି ପକ୍ଷରୁ ୩୪୦ଟି ASO ପଦବୀ ପାଇଁ ବାହାରିଲା ବିଜ୍ଞପ୍ତି; ନଭେମ୍ବର ୯ରୁ ଆବେଦନ ଆରମ୍ଭ