ରାଜ୍ୟ ଜେଲ୍ ପ୍ରଶାସନରେ ପୁଣି ଥରେ ଏକ ବଡ଼ଧରଣର ବିବାଦ ମୁଣ୍ଡ ଟେକିଛି। ପୂର୍ବତନ ଜେଲ୍ ଡିଜି ସୁଶାନ୍ତ ନାଥଙ୍କ ବିରୋଧରେ ପୁଣି ଆଉ ଏକ ସଙ୍ଗୀନ ଅଭିଯୋଗ ସାମ୍ନାକୁ ଆସିଛି। ନିଲମ୍ବିତ ବାଲେଶ୍ବର ଜେଲର ପ୍ରଦୀପ୍ତି ମହାଳିକ ଏକ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି। ପ୍ରଦୀପ୍ତି ମହାଳିକଙ୍କ ଅଭିଯୋଗ ଅନୁଯାୟୀ, ପୂର୍ବତନ ଜେଲ୍ ଡିଜି ସୁଶାନ୍ତ ନାଥ ଏବଂ ଅନ୍ୟ କିଛି ଅଧିକାରୀ ବାଲେଶ୍ୱର ଜିଲ୍ଲା ଜେଲରେ ଥିବା ରାଜୀବ ଲୋଚନ ଦାସ ନାମକ ଜଣେ କଏଦୀଙ୍କ ନିକଟରେ ବ୍ରାଉନ୍ସୁଗାର୍ ରଖି ତାଙ୍କୁ ଏକ ପୁଲିସ ମାମଲାରେ ମିଥ୍ୟା ଭାବେ ଫସାଇବା ପାଇଁ ମହାଲିକଙ୍କୁ ବାଧ୍ୟ କରିଥିଲେ। ଏହି ବେଆଇନ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ସେହି ସମୟର ଡିଜିଙ୍କ ପକ୍ଷରୁ ଆର୍ଥିକ ପୁରସ୍କାର, ବିଭିନ୍ନ ପ୍ରକାର ଉପହାର ଏବଂ ପଦୋନ୍ନତିର ପ୍ରଲୋଭନ ଦିଆଯାଇଥିଲେ ମଧ୍ୟ ମହାଲିକ ଏହାକୁ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିଥିଲେ। ସେହି ବେଆଇନ ନିର୍ଦ୍ଦେଶକୁ ପାଳନ କରିବାକୁ ମନା କରିବା ଏବଂ ପରେ ଅତିରିକ୍ତ ମାନସିକ ଚାପ ଯୋଗୁଁ ଅସୁସ୍ଥ ହୋଇପଡ଼ିବା ପରିସ୍ଥିତିରେ, ୨୦୧୭ ମସିହା ଅକ୍ଟୋବର ୧୭ ତାରିଖରେ ଡିଜିଙ୍କ ଦ୍ୱାରା ତାଙ୍କୁ ମନମୁଖୀ ଭାବେ ନିଲମ୍ବିତ କରାଯାଇଥିଲା। ବର୍ତ୍ତମାନ ଏହି ସମଗ୍ର ଘଟଣାରେ ଜରୁରୀ ପ୍ରଶାସନିକ ହସ୍ତକ୍ଷେପ ଲୋଡ଼ି ମହାଲିକ ଗୃହ ବିଭାଗର ଦ୍ୱାରସ୍ଥ ହୋଇଛନ୍ତି। ତାଙ୍କ ବିରୁଦ୍ଧରେ ନିଆଯାଇଥିବା ଏପରି କାର୍ଯ୍ୟାନୁଷ୍ଠାନକୁ ସମ୍ପୂର୍ଣ୍ଣ ଅନୈତିକ, ବେଆଇନ ତଥା ଦୁର୍ଭାବନାପୂର୍ଣ୍ଣ ବୋଲି ଦର୍ଶାଇ ସେ ନିଲମ୍ବନ ଆଦେଶକୁ ପୁନର୍ବିଚାର କରି ରଦ୍ଦ କରିବାକୁ ଏବଂ ତାଙ୍କୁ ପୁନର୍ବାର ବାଲେଶ୍ୱର ଜିଲ୍ଲା ଜେଲରେ ଅବସ୍ଥାପିତ କରିବାକୁ ଅନୁରୋଧ କରିଛନ୍ତି। Post navigation 170 Irrigation Projects Damaged in Ganjam: ଗଞ୍ଜାମରେ ବନ୍ୟା ବିତ୍ପାତ: ୧୭୦ଟି ଜଳସେଚନ ପ୍ରକଳ୍ପ କ୍ଷତିଗ୍ରସ୍ତ Sword Attack in Bhubaneswar: ରାଜଧାନୀରେ ପୁଣି ବୁଲିଲା ଖଣ୍ଡା: ଯୁବକଙ୍କୁ ଗୋଡ଼ାଇ ହାଣିଲେ ଦୁର୍ବୁତ୍ତ