ଏକ ଦିନିକିଆ ଓଡ଼ିଶା ଗସ୍ତରେ ଅଛନ୍ତି ଭାଜପା ଜାତୀୟ ମୁଖପାତ୍ର ତଥା ରାଜ୍ୟସଭା ସାଂସଦ ଡଃ ସୁଧାଂଶୁ ତ୍ରିବେଦୀ । ଏହି ସମୟରେ ଭୁବନେଶ୍ୱରଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ ଡ. ସୁଧାଂଶୁ ତ୍ରିବେଦୀ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ କଡ଼ା ଭାଷାରେ ସମାଲୋଚନା କରି ତାଙ୍କୁ ଦେଶ ପାଇଁ ଏକ “ବିପଦ” ବୋଲି ବର୍ଣ୍ଣନା କରିଛନ୍ତି। ରାହୁଲଙ୍କ ବୁଦ୍ଧି ଏବଂ କାର୍ଯ୍ୟକଳାପ ଉପରେ ପ୍ରଶ୍ନ ଉଠାଇ ତ୍ରିବେଦୀ ଅଭିଯୋଗ କରିଛନ୍ତି ଯେ ସେ ଭ୍ରମାତ୍ମକ ତଥ୍ୟ ପ୍ରଚାର କରୁଛନ୍ତି ଏବଂ ଦେଶରେ ଅରାଜକତା ସୃଷ୍ଟି କରିବାକୁ ପ୍ରୟାସ କରୁଛନ୍ତି। ରାହୁଲ ଗାନ୍ଧୀଙ୍କ ‘ଭୋଟ୍ ଚୋରି’ ଅଭିଯୋଗକୁ ଖଣ୍ଡନ କରି ତ୍ରିବେଦୀ ସେହି ସବୁ ରାଜ୍ୟଗୁଡ଼ିକର ଉଦାହରଣ ଦେଇଛନ୍ତି, ଯେଉଁଠାରେ କଂଗ୍ରେସ ଦଶନ୍ଧି ଦଶନ୍ଧି ଧରି କ୍ଷମତାରୁ ବାହାରେ ରହିଛି ଏବଂ ଆଶାନୁରୂପ ଆସନ ହାସଲ କରିବାରେ ବିଫଳ ହୋଇଛି। ସେ ଅଭିଯୋଗ କରିଛନ୍ତି ଯେ ଅତୀତରେ କଂଗ୍ରେସ ନିର୍ବାଚନ ଆୟୋଗର କାର୍ଯ୍ୟାଳୟର ଦୁରପୂର୍ୟୋଗ କରିଥିଲା, କିନ୍ତୁ ବର୍ତ୍ତମାନ ଏକ ସ୍ୱଚ୍ଛ ନିର୍ବାଚନ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଉଛି। ଓଡ଼ିଶାର ରାଜନୈତିକ ସ୍ଥିତି ଉପରେ ଆଲୋକପାତ କରି ଶ୍ରୀ ତ୍ରିବେଦୀ କହିଛନ୍ତି ଯେ, ଓଡ଼ିଶାରେ ଗତ ୨୫ ବର୍ଷ ଧରି ଜଣେ ବି କଂଗ୍ରେସର ମୁଖ୍ୟମନ୍ତ୍ରୀ ହୋଇପାରି ନାହାଁନ୍ତି। ଏହା ଦର୍ଶାଉଛି ଯେ, ଓଡ଼ିଶାବାସୀ କଂଗ୍ରେସର ନୀତି ଓ ନେତୃତ୍ୱକୁ ପ୍ରତ୍ୟାଖ୍ୟାନ କରିଛନ୍ତି। କେବଳ ଓଡ଼ିଶା ନୁହେଁ, ୧୯୯୫ରୁ ଗୁଜୁରାଟ,୧୯୯୦ରୁ ଉତ୍ତର ପ୍ରଦେଶ ଓ ବିହାର ଭଳି ପ୍ରମୁଖ ରାଜ୍ୟଗୁଡ଼ିକରେ କଂଗ୍ରେସ ବହୁ ବର୍ଷ ଧରି କ୍ଷମତାରୁ ବାହାରେ ରହିଛି। ଏଥି ସହିତ ରାହୁଲଙ୍କୁ “ଦିମାଗୀ ନକ୍ସଲ” ଏବଂ “ଅରାଜକତାବାଦୀ” ବୋଲି କହି ତ୍ରିବେଦୀ ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ ପ୍ରକ୍ରିୟାର ସମର୍ଥନ କରିଛନ୍ତି। ସେ ଦାବି କରିଛନ୍ତି ଯେ ଏହି ପ୍ରକ୍ରିୟା ସ୍ୱଚ୍ଛ ଥିଲା ଏବଂ କୌଣସି କଂଗ୍ରେସ ବୁଥ୍ ସ୍ତରୀୟ ଏଜେଣ୍ଟ ଏହାର କାର୍ଯ୍ୟକାରିତା ସମୟରେ କୌଣସି ଆପ୍ତି ପ୍ରକାଶ କରି ନଥିଲେ। ସେ କହିଛନ୍ତି ଯେ କେବଳ ମୃତ, ସ୍ଥାନାନ୍ତରିତ ଏବଂ ନକଲି ଭୋଟରମାନଙ୍କୁ ହଟାଯାଇଛି, ଯେତେବେଳେ କି ଯେଉଁମାନଙ୍କର ତଥ୍ୟରେ ଅସଙ୍ଗତି ଥିଲା ସେମାନଙ୍କୁ ନୋଟିସ୍ ଜାରି କରାଯାଇଥିଲା। ତିନି କୋଟିରୁ ଅଧିକ ଭୋଟର “ହଜି ରହିଛନ୍ତି” ବୋଲି ଦାବି କରି ସେ ପ୍ରଶ୍ନ କରିଛନ୍ତି ଯେ କଂଗ୍ରେସ ଏବଂ ଏହାର ସହଯୋଗୀମାନେ କ’ଣ ଏହି “ରହସ୍ୟମୟ” ଭୋଟରମାନଙ୍କୁ ନେଇ ଚିନ୍ତିତ ନୁହଁନ୍ତି? ତେବେ କଂଗ୍ରେସ ପ୍ରତି ଅତ୍ୟନ୍ତ ଆକ୍ରମଣାତ୍ମକ ରୂପ ନେଇଥିବା ଡ. ତ୍ରିବେଦୀ କିନ୍ତୁ ବିଜେଡି ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଶ୍ନ ଆସିବା ମାତ୍ରେ ବେଶ୍ କୂଟନୈତିକ ଏବଂ ମାପିଚୁପି ଉତ୍ତର ଦେଇଥିଲେ। ଏସଆଇଆର୍ ପ୍ରକ୍ରିୟା, ଭୋଟ୍ ଚୋରି ଅଭିଯୋଗ ଏବଂ ମୁଖ୍ୟ ନିର୍ବାଚନ କମିଶନରଙ୍କ ଇସ୍ତଫା ଦାବି ପ୍ରସଙ୍ଗରେ ବିଜେଡି ମଧ୍ୟ ସମାଲୋଚନା କରୁଥିବା ବେଳେ ବିଜେପି କାହିଁକି ସେହି ମାତ୍ରାରେ ବିଜେଡିକୁ ଟାର୍ଗେଟ କରୁନାହିଁ, ସେ ନେଇ ପଚରାଯିବାରୁ ସେ ଏକ ସତର୍କତାମୂଳକ ମନ୍ତବ୍ୟ ଦେଇଥିଲେ। ସେ କହିଥିଲେ ଯେ ଆମେ କେବଳ ସେହି କଂଗ୍ରେସକୁ ଜବାବ ଦେଉଛୁ, ଯିଏ ଆମ ଉପରେ ଆକ୍ରମଣ କରୁଛି। ନବୀନ ବାବୁଙ୍କ ଦଳ କ୍ରମାଗତ ପାଞ୍ଚଟି କାର୍ଯ୍ୟକାଳ ପରେ ନିର୍ବାଚନରେ ପରାସ୍ତ ହୋଇଥିବାରୁ, ତାଙ୍କର ଏସଆଇଆର୍ ଉପରେ ମନ୍ତବ୍ୟ ଦେବାର କିଛି ଆଭ୍ୟନ୍ତରୀଣ ବାଧ୍ୟବାଧକତା ଥାଇପାରେ ଏବଂ ଏହାକୁ ନେଇ ବିଜେପି ଆଦୌ ଚିନ୍ତିତ ନୁହେଁ। ତେବେ ରାଜନୈତିକ ମହଲରେ ସୁଧାଂଶୁ ତ୍ରିବେଦୀଙ୍କ ଏହି ନରମ ଆଭିମୁଖ୍ୟ ପୁଣିଥରେ ଏହା ସ୍ପଷ୍ଟ କରିଛି ଯେ ବିଜେପି ଏବେ ବି ଓଡ଼ିଶାରେ ନିଜର ମୂଳ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀ ବିଜେଡି ବିରୁଦ୍ଧରେ ସମ୍ପୂର୍ଣ୍ଣ ଆକ୍ରମଣାତ୍ମକ ହେବାକୁ କିଛିଟା ସାବଧାନତା ଅବଲମ୍ବନ କରୁଛି। Post navigation Gidipabali Landslide: ଗଞ୍ଜାମ ଜିଲ୍ଲା ଗିଡ଼ିପାବାଳି ଭୂସ୍ଖଳନ: ନିଖୋଜଙ୍କ ସନ୍ଧାନ ଓ ଉଦ୍ଧାର ପାଇଁ ବ୍ୟାପକ ପ୍ରୟାସ ଜାରି Srimandir Darshan Suspended for 3 Hours: ଦିବା ପହୁଡ଼ ନୀତି ପାଇଁ ଆଜି ଶ୍ରୀମନ୍ଦିରରେ ୩ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ