ରାଜ୍ୟରେ ବାତ୍ୟା ‘ଅର୍ଣ୍ଣବ’ ସୃଷ୍ଟି କରିଥିବା ପ୍ରବଳ ବର୍ଷା ଓ ତା’ପରବର୍ତ୍ତୀ ବନ୍ୟା ପରିସ୍ଥିତିକୁ ନେଇ ରାଜ୍ୟ ସରକାରଙ୍କ ବିପର୍ଯ୍ୟୟ ପରିଚାଳନା ପ୍ରସ୍ତୁତି ଏବଂ କାର୍ଯ୍ୟାନୁଷ୍ଠାନକୁ କଡ଼ା ସମାଲୋଚନା କରିଛି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ।ଭୁବନେଶ୍ୱରସ୍ଥିତ କଂଗ୍ରେସ ଭବନରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳ ପକ୍ଷରୁ ଗଞ୍ଜାମ ଜିଲ୍ଲାର ବନ୍ୟା ପୀଡ଼ିତଙ୍କ ପାଇଁ ତୁରନ୍ତ ରିଲିଫ୍, କ୍ଷୟକ୍ଷତିର ସ୍ୱଚ୍ଛ ଆକଳନ, କ୍ଷତିପୂରଣ ଏବଂ ପ୍ରଶାସନିକ ଜବାବଦେହିତା ଦାବି କରାଯାଇଛି। ସାମ୍ବାଦିକ ସମ୍ମିଳନୀରେ ଓପିସିସି ମୁଖପାତ୍ର ତଥା ଏଆଇସିସି ସଂଯୋଜକ ଅଭିଷେକ ମହାନନ୍ଦ ଉଦ୍ବେଗ ପ୍ରକାଶ କରି ଜଣାଇଛନ୍ତି ଯେ, ବନ୍ୟା ଯୋଗୁଁ ଗଞ୍ଜାମ ଜିଲ୍ଲାର ୨୨ଟି ବ୍ଲକର ୨୦୮ଟି ଗ୍ରାମପଞ୍ଚାୟତର ୫୦,୦୦୦ରୁ ଅଧିକ ଲୋକ ଗଭୀର ଭାବେ ପ୍ରଭାବିତ ହୋଇଥିବାବେଳେ ୨୨ଟି ଗାଁ ସଂପୂର୍ଣ୍ଣ ଭାବେ ଜଳବନ୍ଦୀ ହୋଇ ରହିଛି। ବିଶେଷ କରି ଗୋବା ନିକଟରେ ୠଷିକୁଲ୍ୟା ନଦୀବନ୍ଧ ଭାଙ୍ଗିଯିବାରୁ ବନ୍ୟାଜଳ ଆଖପାଖ ଗ୍ରାମ ଓ ବସତି ଅଞ୍ଚଳରେ ପ୍ରବେଶ କରିଛି। ଏହାଦ୍ୱାରା ଅନେକ ରାସ୍ତାଘାଟ ଓ ପୋଲ ନଷ୍ଟ ହେବା ସହ ଗମନାଗୁମନ ଏବଂ ରେଳସେବା ମଧ୍ୟ ବାଧାପ୍ରାପ୍ତ ହୋଇଛି, ଯାହା ଜନସାଧାରଣଙ୍କ ଦୁର୍ଦ୍ଦଶାକୁ ଦ୍ୱିଗୁଣିତ କରିଛି। ଆଧୁନିକ ପ୍ରଯୁକ୍ତିବିଦ୍ୟା, ଉପଗ୍ରହ ଆଧାରିତ ପୂର୍ବାନୁମାନ ଏବଂ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ସତକର୍ଷଣ ଜାରି କରାଯାଇଥିଲେ ମଧ୍ୟ ପ୍ରଶାସନ ଏକ ପ୍ରାକୃତିକ ବିପର୍ଯ୍ୟୟକୁ ମୁକାବିଲା କରିବାରେ ସମ୍ପୂର୍ଣ୍ଣ ଅପ୍ରସ୍ତୁତ ଥିଲା ବୋଲି ଶ୍ରୀଅଭିଷେକ ମହାନନ୍ଦ ଅଭିଯୋଗ କରିଛନ୍ତି। ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ସରକାର ଗ୍ରାଉଣ୍ଡ ଜିରୋରେ କାମ କରିବା ପରିବର୍ତ୍ତେ କେବଳ ପ୍ରଚାର ଓ ପିଆର ଏକ୍ସରସାଇଜରେ ବେଶୀ ବ୍ୟସ୍ତ ରହୁଛନ୍ତି ବୋଲି ସେ କହିଛନ୍ତି। ବିପର୍ଯ୍ୟୟ ପରିଚାଳନା କେବଳ ଘୋଷଣାରେ ସୀମିତ ନ ରହି ଜୀବନ ରକ୍ଷା, ତ୍ୱରିତ ସ୍ଥାନାନ୍ତରଣ ଏବଂ ଜରୁରୀ ସାମଗ୍ରୀ ଯୋଗାଣରେ ପ୍ରମାଣିତ ହେବା ଆବଶ୍ୟକ ବୋଲି ସେ ମତ ଦେଇଛନ୍ତି। ଏହି ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ ଏବଂ ଓପିସିସି ସାଧାରଣ ସମ୍ପାଦକ ସତ୍ୟବ୍ରତ ନାୟକ ପ୍ରମୁଖ ଉପସ୍ଥିତ ରହି ସରକାରଙ୍କ ନିକଟରେ କିଛି ଜରୁରୀ ଦାବି ରଖିଛନ୍ତି। ସେମାନେ ଦାବି କରିଛନ୍ତି ଯେ ଫସିରହିଥିବା ପରିବାରଗୁଡ଼ିକୁ ସୁରକ୍ଷିତ ସ୍ଥାନକୁ ଅଣାଯାଇ ଖାଦ୍ୟ ଓ ପାନୀୟ ଜଳ ଯୋଗାଇ ଦିଆଯାଉ, ଘରଦ୍ୱାର ଓ ଫସଲ କ୍ଷତିର ସ୍ୱଚ୍ଛ ଆକଳନ କରାଯାଉ ଏବଂ ପ୍ରଭାବିତ କୃଷକ ତଥା ଦିନମଜୁରିଆଙ୍କୁ ଯଥାଶୀଘ୍ର ଉପଯୁକ୍ତ କ୍ଷତିପୂରଣ ଦିଆଯାଉ। ଏହାସହ, ମହାମାରୀ ପ୍ରତିରୋଧ ପାଇଁ ସ୍ୱାସ୍ଥ୍ୟଟିମ୍, ଆମ୍ବୁଲାନ୍ସ ଓ ମୋବାଇଲ୍ ହେଲ୍ଥ ୟୁନିଟ୍ ମୁତୟନ କରିବାକୁ ଏବଂ ଭାଙ୍ଗିଯାଇଥିବା ରାସ୍ତା ଓ ନଦୀବନ୍ଧଗୁଡ଼ିକୁ ତୁରନ୍ତ ମରାମତି କରିବାକୁ ଦଳ ପକ୍ଷରୁ କୁହାଯାଇଛି। ପରିଶେଷରେ, ଗଞ୍ଜାମବାସୀଙ୍କ ଏହି ଦୁଃଖଦ ସମୟରେ କଂଗ୍ରେସ ଦଳ ସମ୍ପୂର୍ଣ୍ଣ ଏକତା ପ୍ରକାଶ କରିବା ସହିତ ସରକାର କେବଳ ବିଜ୍ଞାପନ ବା ଘୋଷଣାରେ ସୀମିତ ନ ରହି ପ୍ରକ୍ଷେତ୍ରରେ କାର୍ଯ୍ୟକାରୀ ପଦକ୍ଷେପ ମାଧ୍ୟମରେ ପ୍ରଶାସନିକ ଜବାବଦେହିତା ପ୍ରମୁଖ ଭାବେ ପ୍ରଦର୍ଶନ କରନ୍ତୁ ବୋଲି ଦାବି କରିଛି। Post navigation Congress Slams State Govt Over Cyclone Relief Failure: ଅର୍ଘ୍ୟ ବାତ୍ୟା ଓ ପରବର୍ତ୍ତୀ ଅତିବୃଷ୍ଟି ମୁକାବିଲାରେ ରାଜ୍ୟ ସରକାର ସଂପୂର୍ଣ୍ଣ ବିଫଳ: କଂଗ୍ରେସ