ରାଜ୍ୟରେ ପ୍ରଳୟଙ୍କରୀ ବନ୍ୟା ପରିସ୍ଥିତି ଜାରି ରହିଥିବାବେଳେ ବର୍ତ୍ତମାନ ଗଞ୍ଜାମ ଜିଲ୍ଲା ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ଜଣାପଡ଼ିଛି। ରାଜ୍ୟସ୍ତରୀୟ ସମୀକ୍ଷା ପରେ ଗଞ୍ଜାମ ଜିଲ୍ଲା ବାତ୍ୟାରେ ବେଶୀ ପ୍ରଭାବିତ ହୋଇଛି ବୋଲି ସୂଚନା ଦେଇଛନ୍ତି ରାଜ୍ୟସ୍ୱ ବିଭାଗ ମନ୍ତ୍ରୀ ସୁରେଶ ପୂଜାରୀ ।

ରାଜ୍ୟସ୍ତରୀୟ ସମୀକ୍ଷା ପରେ ସୁରେଶ ପୂଜାରୀ କହିଛନ୍ତି ଗଞ୍ଜାମ ଜିଲ୍ଲାର ୨୨ଟି ବ୍ଲକ୍‌ର ୨୦୮ଟି ପଞ୍ଚାୟତ ବନ୍ୟାରେ ପ୍ରଭାବିତ ହୋଇଛି।  ସେହିପରି ୧୮ଟି ସହରାଞ୍ଚଳରେ ୫୬ଟି ୱାର୍ଡ ପ୍ରଭାବିତ ହୋଇଛି। ଏହି ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଜିଲ୍ଲାର ପ୍ରାୟ ୪୨ ହଜାର ୫ ଶହ ଲୋକ କ୍ଷତିଗ୍ରସ୍ତ ହୋଇଥିବାବେଳେ ଏବେ ବି ୨୨ଟି ଗାଁ ଜଳବନ୍ଦୀ ଅବସ୍ଥାରେ ରହିଛି।

ସୁରେଶ ପୂଜାରୀ ଆଉ ମଧ୍ୟ କହିଛନ୍ତି ବନ୍ୟାଗ୍ରସ୍ତ ଅଞ୍ଚଳରେ ଫସିରହିଥିବା ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁ ହେଲିକପ୍ଟର ବ୍ୟବସ୍ଥା କରାଯାଇଛି, ମାତ୍ର ଆକାଶରେ ଅଧିକ ବାଦଲ ଥିବାରୁ ଏହାକୁ ବ୍ୟବହାର କରିବାରେ କିଛିଟା ବିଳମ୍ବ ଘଟୁଛି।

ପରିସ୍ଥିତିର ଗମ୍ଭୀରତାକୁ ଦୃଷ୍ଟିରେ ରଖି ସରକାର ଉଦ୍ଧାର ଓ ରିଲିଫ୍ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ନିମନ୍ତେ ଓଡ୍ରାଫ୍, ଏନ୍‌ଡିଆର୍‌ଏଫ୍ ଏବଂ ଅଗ୍ନିଶମ ଟିମ୍‌ର ସଂଖ୍ୟା ବଢ଼ାଇଛନ୍ତି।ବର୍ତ୍ତମାନ ଘଟଣାସ୍ଥଳରେ ୫୨ଟି ଓଡ୍ରାଫ୍, ୫ଟି ଏନ୍‌ଡିଆର୍‌ଏଫ୍ ଏବଂ ୪୫ଟି ଅଗ୍ନିଶମ ଟିମ୍ ମୁତୟନ ହୋଇ ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି। ଏହା ସହିତ ପ୍ରଭାବିତ ଅଞ୍ଚଳରେ ଲୋକଙ୍କୁ ସ୍ଥାନାନ୍ତର ଏବଂ ସହାୟତା ଯୋଗାଇବା ପାଇଁ ସରକାରଙ୍କ ୧୬ଟି ବୋଟ୍ ଏବଂ ୨୫ଟି ଘରୋଇ ବୋଟ୍ ମଧ୍ୟ କାର୍ଯ୍ୟରେ ଲାଗିରହିଛି।

Leave a Reply

Your email address will not be published. Required fields are marked *