ରାଜ୍ୟରେ ସମ୍ଭାବ୍ୟ ବାତ୍ୟାକୁ ନେଇ କିଛି ସୋସିଆଲ ମିଡିଆ ଓ ଗଣମାଧ୍ୟମରେ ପ୍ରଚାର ହେଉଥିବା ମିଥ୍ୟା, ଭ୍ରାନ୍ତ ତଥା କଳ୍ପନାପ୍ରସୂତ ଖବର ଉପରେ ଓଡ଼ିଶା ସରକାର ଗଭୀର ଚିନ୍ତା ବ୍ୟକ୍ତ କରିଛନ୍ତି। ସ୍ୱତନ୍ତ୍ର ରିଲିଫ୍ କମିଶନର (SRC)ଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ କଡ଼ା ଅଫିସିଆଲ୍ ଆଡଭାଇଜରି ଜାରି କରାଯାଇ ସ୍ପଷ୍ଟ କରାଯାଇଛି ଯେ, ବିନା କୌଣସି ବୈଜ୍ଞାନିକ ପ୍ରମାଣ ଏବଂ ଭାରତୀୟ ପାଣିପାଗ ବିଭାଗ (IMD)ର ସୂଚନା ବିନା ବାତ୍ୟା ଗତିପଥ କିମ୍ବା ଲ୍ୟାଣ୍ଡଫଲ୍ ସମ୍ପର୍କରେ ଭୁଲ୍ ତଥ୍ୟ ଦେଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ବିଶେଷକରି ଏହିପରି ମିଥ୍ୟା ଚେତାବନୀ ଯୋଗୁଁ ଚାଷୀମାନେ ଅମଳ ହୋଇନଥିବା ଫସଲକୁ ଅମଳ କରିଦେଉଛନ୍ତି, ଯାହାଫଳରେ ସେମାନଙ୍କୁ ଆର୍ଥିକ କ୍ଷତି ଓ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଏହାବ୍ୟତୀତ ବଜାରରେ ଅଯଥା ଭୟର ବାତାବରଣ ସୃଷ୍ଟି ହୋଇ ପାନିକ୍ ବାୟିଂ, କୃତ୍ରିମ ଅଭାବ ଏବଂ ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି ଘଟୁଛି।

ନାଗରିକ ଏବଂ ଗଣମାଧ୍ୟମ ପାଇଁ ପରାମର୍ଶ ଦେଇ କୁହାଯାଇଛି କେବଳ IMD, SRC ଏବଂ ଜିଲ୍ଲା ପ୍ରଶାସନ ଦ୍ୱାରା ଜାରି କରାଯାଇଥିବା ଅଧିକାରୀକ ସୂଚନା ଉପରେ ଭରସା କରନ୍ତୁ। ତେଣୁ ସମସ୍ତ ନାଗରିକ, ଗଣମାଧ୍ୟମ ସଂସ୍ଥା, ଡିଜିଟାଲ୍ କଣ୍ଟେଣ୍ଟ କ୍ରିଏଟର୍ ଏବଂ ସୋସିଆଲ ମିଡିଆ ପ୍ଲାଟଫର୍ମକୁ ଅତ୍ୟନ୍ତ ସତର୍କତା ଅବଲମ୍ବନ କରି ସୋସିଆଲ ମିଡିଆରେ ଆସୁଥିବା ଅବର୍ତ୍ତିତ ବାର୍ତ୍ତାଗୁଡ଼ିକୁ ବିନା ଯାଞ୍ଚରେ ଫରୱାର୍ଡ କରନ୍ତୁ ନାହିଁ।।

ବିପର୍ଯ୍ୟୟ ପରିଚାଳନା ଆଇନ ଅନୁଯାୟୀ, ଯଦି କେହି ମିଥ୍ୟା ଆଲର୍ଟ କିମ୍ବା ଭୟ ସୃଷ୍ଟିକାରୀ ୱାର୍ଣ୍ଣିଂ ପ୍ରଚାର କରନ୍ତି, ତେବେ ତାଙ୍କୁ ୧ ବର୍ଷ ପର୍ଯ୍ୟନ୍ତ ଜେଲ୍ କିମ୍ବା ଜରିମାନା ଦଣ୍ଡ ଭୋଗିବାକୁ ପଡ଼ିବ। ସେହିପରି ଅଧିକାରୀଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କଲେ ମଧ୍ୟ ଦଣ୍ଡବିଧାନର ବ୍ୟବସ୍ଥା ରହିଛି। ଆଇନ ଶୃଙ୍ଖଳା ଓ ସାଇବର କ୍ରାଇମ୍ ଏଜେନ୍ସିଗୁଡ଼ିକୁ ଏଭଳି ଗୁଜବ ସୃଷ୍ଟିକାରୀଙ୍କ ଉପରେ କଡ଼ା ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିବାବେଳେ ସମସ୍ତ ନାଗରିକ, ଗଣମାଧ୍ୟମ ଏବଂ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କୁ ବାତ୍ୟା ଓ ଅନ୍ୟାନ୍ୟ ବିପର୍ଯ୍ୟୟ ସମୟରେ ସହଯୋଗ କରିବାକୁ ଏବଂ ଗୁଜବରୁ ଦୂରେଇ ରହିବାକୁ ଏସ୍.ଆର୍.ସି. ଅନୁରୋଧ କରିଛନ୍ତି ।

Leave a Reply

Your email address will not be published. Required fields are marked *