ଦିଲ୍ଲୀର ବିକାଶପୁରୀ ରିଙ୍ଗ ରୋଡ୍ରେ ଚାଲିଥିବା ରାସ୍ତା ନିର୍ମାଣ କାର୍ଯ୍ୟର ଅନୁଧ୍ୟାନକୁ ନେଇ ଏକ ବଡ଼ ରାଜନୈତିକ ବିବାଦ ସାମ୍ନାକୁ ଆସିଛି । ରାସ୍ତା ନିର୍ମାଣ କାର୍ଯ୍ୟର ଅନୁଧ୍ୟାନ ଚାଲିଥିବା ସମୟରେ ଘଟିଥିବା ଏକ ଅପ୍ରୀତିକର ଘଟଣାକୁ ନେଇ ଆମ୍ ଆଦ୍ମୀ ପାର୍ଟି (AAP) ଏବଂ ବିଜେପି ମୁହାଁମୁହିଁ ହୋଇଛନ୍ତି। ଦିଲ୍ଲୀ ସରକାରର କ୍ୟାବିନେଟ୍ ମନ୍ତ୍ରୀ ତଥା PWD ମନ୍ତ୍ରୀ ପ୍ରବେଶ ବର୍ମା ଜଣେ ଯୁବକଙ୍କୁ ଚାପୁଡ଼ା ମାରୁଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭିଡ଼ିଓରେ ବର୍ମା ଯୁବକଙ୍କ ହାତରୁ ମୋବାଇଲ୍ ତଳକୁ ଟାଣୁଥିବା ଏବଂ ପରେ ତାଙ୍କ ମୁହଁରେ ଚାପୁଡ଼ା ମାରୁଥିବା ଦେଖାଯାଉଛି। ଏହା ପରେ ଯୁବକ ଜଣକ ମନ୍ତ୍ରୀଙ୍କ ସହ ଯୁକ୍ତିତର୍କ କରୁଥିବା ଦେଖାଯାଉଛି। ଏହି ସମୟରେ ଜଣେ ସୁରକ୍ଷାକର୍ମୀ ଦୁହିଁଙ୍କ ମଧ୍ୟରେ ଆସି ପରିସ୍ଥିତିକୁ ନିୟନ୍ତ୍ରଣ କରୁଥିବା ଜଣାପଡ଼ିଛି। ଏହି ଭିଡିଓକୁ ଆମ୍ ଆଦମୀ ପାର୍ଟି ନେତାମାନେ ସୋସିଆଲ୍ ମିଡିଆରେ ସେୟାର କରି ମନ୍ତ୍ରୀଙ୍କ ବିରୋଧରେ ଅଭିଯୋଗ ଉଠାଇଛନ୍ତି । ତିଲକ ନଗରର ଆପ୍ ବିଧାୟକ ଜର୍ନାଇଲ ସିଂହ ଅଭିଯୋଗ କରିଛନ୍ତି ଯେ ନିର୍ମାଣାଧୀନ ରାସ୍ତାର ନିମ୍ନମାନର କାମ ସମ୍ପର୍କରେ ପ୍ରଶ୍ନ ଉଠାଇବାରୁ ଦିଲ୍ଲୀ କ୍ୟାବିନେଟ୍ ମନ୍ତ୍ରୀ ପ୍ରବେଶ ବର୍ମା ନିଜର ନିୟନ୍ତ୍ରଣ ହରାଇ ଜଣେ ଯୁବକଙ୍କୁ ଚାପୁଡ଼ା ମାରିଛନ୍ତି। ପୀଡ଼ିତ ଯୁବକଜଣକ ଆପ୍ ବିଧାୟକଙ୍କ ସୋସିଆଲ ମିଡିଆ କାମ ବୁଝୁଥିବା ଏବଂ ସେ ଖରାପ ରାସ୍ତା ନିର୍ମାଣର ଭିଡିଓ ରେକର୍ଡିଂ କରୁଥିବା ସମୟରେ ମନ୍ତ୍ରୀ ଓ ତାଙ୍କ ସହଯୋଗୀମାନେ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିବା ଅଭିଯୋଗ କରିଛନ୍ତି। ଏହି ଘଟଣାକୁ ନେଇ ଆପ୍ର ଜାତୀୟ ଆବାହକ ଅରବିନ୍ଦ କେଜ୍ରିୱାଲ ସୋସିଆଲ ମିଡିଆ ‘X’ ମାଧ୍ୟମରେ ମନ୍ତ୍ରୀଙ୍କ ଗିରଫଦାରୀ ଦାବି କରିବା ସହ ଘଟଣାସ୍ଥଳ ପରିଦର୍ଶନ କରିବେ ବୋଲି କହିଛନ୍ତି। ଦିଲ୍ଲୀ ଆପ୍ ମୁଖପାତ୍ର ସୌରଭ ଭାରଦ୍ୱାଜ ଏହାକୁ ଏକ ଅପମାନଜନକ, କାପୁରୁଷପୂର୍ଣ୍ଣ ଓ ଲଜ୍ଜାଜନକ କାର୍ଯ୍ୟ ବୋଲି ଅଭିଯୋଗ କରିଛନ୍ତି। ଏହା ସହିତ କଂଗ୍ରେସ ଜନତା ପାର୍ଟି (CJP) ମଧ୍ୟ ବିଜେପିକୁ ଘେରିବା ସହ ପୋଲିସ ସୁରକ୍ଷା ମଧ୍ୟରେ ଜଣେ ସାଧାରଣ ଯୁବକଙ୍କୁ ଏଭଳି ଦୁର୍ବ୍ୟବହାର କରାଯିବାକୁ କଡ଼ା ସମାଲୋଚନା କରିଛି। ଅପରପକ୍ଷରେ, ନିଜର ପକ୍ଷ ରଖି ମନ୍ତ୍ରୀ ପ୍ରବେଶ ବର୍ମା ସୋସିଆଲ ମିଡିଆରେ ଏକ ଭିଡିଓ ବାର୍ତ୍ତା ଜାରି କରି କହିଛନ୍ତି ଯେ ରାସ୍ତା କାମ ବହୁତ ଭଲ ଭାବରେ ଚାଲିଛି। ଆପ୍ ବିଧାୟକ ଜର୍ନାଇଲ ସିଂହ ଦୀର୍ଘ ଦିନ ହେବ PWD ଇଞ୍ଜିନିୟରଙ୍କ ଉପରେ କଣ୍ଟ୍ରାକ୍ଟରଙ୍କ ସହ ବୈଠକ କରାଇ ପିସି ଆଦାୟ ପାଇଁ ଚାପ ପକାଉଥିଲେ। ନିରୀକ୍ଷଣ ସମୟରେ ବିଧାୟକଙ୍କ କେତେକ ସହଯୋଗୀ ମନ୍ତ୍ରୀଙ୍କ ପରିବାର ପ୍ରତି ଅଶାଳୀନ ଭାଷା ବ୍ୟବହାର କରିବାରୁ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଥିଲା। ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି ଓ କମିଶନ ମାଗିବା ଅଭିଯୋଗରେ PWD ଇଞ୍ଜିନିୟରଙ୍କ ପକ୍ଷରୁ ମଧ୍ୟ ପୋଲିସରେ ଏତଲା ଦିଆଯାଇଛି। Post navigation No Meeting Day on Mondays: ସୋମବାରକୁ ‘ଅଣ ବୈଠକ ଦିବସ’ ଘୋଷଣା କଲେ ରାଜ୍ୟ ସରକାର PCC President Targets Election Commission: ନିର୍ବାଚନ କମିଶନଙ୍କ ନାମରେ ଏକ ଦଲାଲକୁ ଅବସ୍ଥାପିତ କରାଯାଇଛି: ଭକ୍ତ ଦାସ