ଉତ୍ତର ଉପକୂଳ ଆନ୍ଧ୍ରପ୍ରଦେଶ ଉପରେ ସୃଷ୍ଟ ଗଭୀର ଅବପାତ ୨୩ ସେପ୍ଟେମ୍ବର ରାତି ୧୧ଟାରୁ ୨୪ ସେପ୍ଟେମ୍ବର ରାତି ୧ଟା ମଧ୍ୟରେ କଳିଙ୍ଗପଟ୍ଟନମର ଦକ୍ଷିଣ-ପଶ୍ଚିମ ନିକଟବର୍ତ୍ତୀ ଅଞ୍ଚଳ ଦେଇ ଉପକୂଳ ଅତିକ୍ରମ କରିଛି। ଏହି ସମୟରେ ଏହାର ସର୍ବାଧିକ ସ୍ଥାୟୀ ପବନ ବେଗ ଘଣ୍ଟାପ୍ରତି ୫୫–୬୫ କି.ମି. ଥିବାବେଳେ ଝଟକା ପବନର ବେଗ ଘଣ୍ଟାପ୍ରତି ୭୫ କି.ମି. ପର୍ଯ୍ୟନ୍ତ ରହିଥିଲା। ଏହା ପରେ ଗଭୀର ଅବପାତ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରିଛି। ଆଜି ସକାଳ ୫ଟା ୩୦ ସୁଦ୍ଧା ଏହା ଉତ୍ତର ଉପକୂଳ ଆନ୍ଧ୍ରପ୍ରଦେଶ ଉପରେ ଅବସ୍ଥିତ ଥିବାବେଳେ ଓଡ଼ିଶାର ଗୋପାଳପୁରଠାରୁ ପ୍ରାୟ ୧୭୦ କି.ମି. ଦକ୍ଷିଣ-ପଶ୍ଚିମରେ ରହିଥିଲା। ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ସୁରେଶ ପୂଜାରୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଉତ୍ତର ଉପକୂଳ ଆନ୍ଧ୍ରପ୍ରଦେଶ ଉପରେ ସୃଷ୍ଟ ଗଭୀର ଅବପାତ ଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟାପ୍ରତି ୭ କି.ମି. ବେଗରେ ଉତ୍ତର-ପଶ୍ଚିମ ଦିଗକୁ ଗତି କରିଛି। ଆଜି, ୨୪ ସେପ୍ଟେମ୍ବର ୨୦୨୬, ସକାଳ ୮ଟା ୩୦ ମିନିଟ୍ ସମୟରେ ଏହା ଉତ୍ତର ଉପକୂଳ ଆନ୍ଧ୍ରପ୍ରଦେଶ ଓ ସଂଲଗ୍ନ ଦକ୍ଷିଣ ଓଡ଼ିଶା ଉପରେ, ଅକ୍ଷାଂଶ ୧୮.୫° ଉତ୍ତର ଓ ଦ୍ରାଘିମା ୮୩.୫° ପୂର୍ବରେ କେନ୍ଦ୍ରୀଭୂତ ହୋଇଥିଲା। ଏହା କଳିଙ୍ଗପଟ୍ଟନମ୍ (ଆନ୍ଧ୍ରପ୍ରଦେଶ)ର ପ୍ରାୟ ୭୦ କି.ମି. ପଶ୍ଚିମ-ଉତ୍ତରପଶ୍ଚିମ, ରାୟଗଡ଼ାର ୮୦ କି.ମି. ଦକ୍ଷିଣ-ଦକ୍ଷିଣପୂର୍ବ, କୋରାପୁଟର ୯୦ କି.ମି. ପୂର୍ବ-ଦକ୍ଷିଣପୂର୍ବ ଏବଂ ଜଗଦଲପୁର (ଛତିଶଗଡ଼)ର ୧୭୦ କି.ମି. ପୂର୍ବ-ଦକ୍ଷିଣପୂର୍ବରେ ଅବସ୍ଥିତ ଥିଲା। ଏହି ଗଭୀର ଅବପାତ ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରି ଆଜି, ୨୪ ସେପ୍ଟେମ୍ବର ସନ୍ଧ୍ୟା ସୁଦ୍ଧା ଧୀରେ ଧୀରେ ଦୁର୍ବଳ ହୋଇ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ଏହାପରେ ମଧ୍ୟ ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରି ଧୀରେ ଧୀରେ ଦୁର୍ବଳ ହେବାର ସମ୍ଭାବନା ରହିଛି। ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହା ପ୍ରଥମେ ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଏହାର ତୀବ୍ରତା ବଜାୟ ରଖିବାର ସମ୍ଭାବନା ରହିଛି। ପରବର୍ତ୍ତୀ ସମୟରେ ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରି କ୍ରମେ ଦୁର୍ବଳ ହେବାର ସମ୍ଭାବନା ରହିଛି। ଗଭୀର ଅବପାତ ଉପକୂଳ ଅତିକ୍ରମ କରି ଏବେ ସ୍ଥଳଭାଗ ଆଡ଼କୁ ଗତି କରୁଥିବାରୁ ରାଜ୍ୟ ସରକାର ପରିସ୍ଥିତି ଉପରେ ନିରନ୍ତର ନଜର ରଖିଛନ୍ତି। ବିଶେଷକରି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ଜିଲ୍ଲାଗୁଡ଼ିକର ପରିସ୍ଥିତି ଉପରେ ନିରନ୍ତର ତଦାରଖ କରାଯାଉଛି। ଜିଲ୍ଲା ପ୍ରଶାସନ ଓ କ୍ଷେତ୍ରସ୍ତରରେ ନିୟୋଜିତ ପ୍ରତିକ୍ରିୟାଶୀଳ ବାହିନୀଗୁଡ଼ିକ ସତର୍କ ରହିଛନ୍ତି। ନିୟମିତ ଭାବେ କ୍ଷେତ୍ରସ୍ତରୀୟ ସ୍ଥିତି ଆକଳନ କରାଯାଉଛି। ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକରେ ପ୍ରସ୍ତୁତିମୂଳକ ପଦକ୍ଷେପ, ରାତ୍ରିକାଳୀନ ପାଟ୍ରୋଲିଂ, ଯାତାୟାତ ପରିଚାଳନା, ଜଳସ୍ତର ନିରୀକ୍ଷଣ ଏବଂ ପୁନରୁଦ୍ଧାର ବ୍ୟବସ୍ଥା ଜାରି ରହିଛି। ପ୍ରଭାବିତ ଜିଲ୍ଲାଗୁଡ଼ିକର ସାମଗ୍ରିକ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି। ଜିଲ୍ଲାଗୁଡ଼ିକରୁ ପ୍ରାପ୍ତ ରିପୋର୍ଟ ଅନୁଯାୟୀ, ଏପର୍ଯ୍ୟନ୍ତ ବ୍ୟାପକ ଭାବେ କୌଣସି ବଡ଼ ଧରଣର କ୍ଷୟକ୍ଷତି ଘଟିଥିବା ରିପୋର୍ଟ ମିଳିନାହିଁ। କୋରାପୁଟ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଥିବାବେଳେ ସାମଗ୍ରିକ ପରିସ୍ଥିତି ସ୍ୱାଭାବିକ ରହିଛି। ସିମିଳିଗୁଡ଼ା ବ୍ଲକ୍ରେ ୧୦୦ ମି.ମି.ରୁ ଅଧିକ ବର୍ଷା ରେକର୍ଡ ହୋଇଥିଲେ ମଧ୍ୟ କୌଣସି ବଡ଼ ଧରଣର କ୍ଷୟକ୍ଷତି କିମ୍ବା ଜୀବନହାନି ଘଟିନାହିଁ। ମାଲକାନଗିରି ଜାତୀୟ ରାଜପଥର କେତେକ ସ୍ଥାନରେ ପାଣି ଉଛୁଳିବା ଯୋଗୁଁ କାଙ୍ଗୁରକୋଣ୍ଡା, ଏମ୍ଭି-୯୦ ଓ କନ୍ୟାଶ୍ରମ ନିକଟସ୍ଥ ତିନୋଟି ସେତୁ ଦେଇ ଯାତାୟାତକୁ ବିକଳ୍ପ ମାର୍ଗରେ ପରିଚାଳନା କରାଯାଇଛି। ଏଥିପାଇଁ ଛତିଶଗଡ଼ ପୋଲିସ ସହ ସମନ୍ୱୟ କରାଯାଇଛି। ସେହିପରି କଳାହାଣ୍ଡି ବିଚ୍ଛିନ୍ନ ଭାବେ ଗଛ ଉପୁଡ଼ିଯିବା ଘଟଣାଗୁଡ଼ିକୁ ତୁରନ୍ତ ସଫା କରାଯାଇଛି। ଜିଲ୍ଲାର ସାମଗ୍ରିକ ପରିସ୍ଥିତି ସ୍ୱାଭାବିକ ରହିଛି। ନବରଙ୍ଗପୁର ତେନ୍ତୁଳିଖୁଣ୍ଟି ବ୍ଲକ୍ର ଏକ ସେତୁ ଉପରେ ପାଣି ଉଛୁଳିବା ପରେ ସେଠାରେ ଯାତାୟାତକୁ ବିକଳ୍ପ ମାର୍ଗରେ ପରିଚାଳନା କରାଯାଇଛି। ଗଛ ଉପୁଡ଼ିଯିବା ଯୋଗୁଁ ଦୁଇଟି ଘର କ୍ଷତିଗ୍ରସ୍ତ ହୋଇଥିବାବେଳେ ପ୍ରଭାବିତ ଲୋକମାନଙ୍କୁ ନିରାପଦ ଭାବେ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଗଜପତିରେ ଗତକାଲି ସନ୍ଧ୍ୟା ୫ଟା ୩୦ରୁ ଆଜି ସକାଳ ୬ଟା ପର୍ଯ୍ୟନ୍ତ ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ରେକର୍ଡ ହୋଇଛି। ହାରାହାରି ବର୍ଷା ପରିମାଣ ପ୍ରାୟ ୭୦ ମି.ମି. ରହିଛି। ବଂଶଧାରା ନଦୀର ଜଳସ୍ତର ବୃଦ୍ଧି ପାଇଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନଦୀତଟ ଅଞ୍ଚଳରେ ନିରନ୍ତର ପାଟ୍ରୋଲିଂ କରାଯାଉଛି। ଏଥିରେ ଓଡ୍ରାଫ୍ର ଏକ ଟିମ୍ ନିୟୋଜିତ ରହିଛି। ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ବଂଶଧାରା ଓ ଋଷିକୁଲ୍ୟା ନଦୀର ଜଳସ୍ତର ଉପରେ ନିରନ୍ତର ନଜର ରଖାଯାଉଛି। ଜଳ ପରିଚାଳନା ବ୍ୟବସ୍ଥାର ଅଂଶ ଭାବେ ରାତ୍ରିକାଳୀନ ପାଟ୍ରୋଲିଂ ଏବଂ ବ୍ୟାରେଜ୍ ଗେଟ୍ଗୁଡ଼ିକର ପରିଚାଳନା ମଧ୍ୟ କରାଯାଉଛି। ରାୟଗଡ଼ା ବଂଶଧାରା ନଦୀ ନିକଟବର୍ତ୍ତୀ ଅଞ୍ଚଳରେ ରାତ୍ରିକାଳୀନ ପାଟ୍ରୋଲିଂ କରାଯାଇଛି। ବର୍ତ୍ତମାନ ସୁଦ୍ଧା ଜିଲ୍ଲାରୁ କୌଣସି ବଡ଼ ଧରଣର କ୍ଷୟକ୍ଷତିର ରିପୋର୍ଟ ମିଳିନାହିଁ। ସୂଚନାଯୋଗ୍ୟ ଯେ, ଏହି ପାଣିପାଗ ପ୍ରଣାଳୀ ଯୋଗୁଁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଉଲ୍ଲେଖନୀୟ ବର୍ଷା ହୋଇଛି। ୨୪ ସେପ୍ଟେମ୍ବରରେ ବିଭିନ୍ନ ବ୍ଲକ୍ରେ ୧୦୦ ମି.ମି.ରୁ ଅଧିକ ବର୍ଷା ରେକର୍ଡ ହୋଇଛି। ସେଥିମଧ୍ୟରେ କୋରାପୁଟର ସିମିଳିଗୁଡ଼ାରେ ୧୯୩.୯ ମି.ମି., ମାଲକାନଗିରିର ଚିତ୍ରକୋଣ୍ଡାରେ ୧୬୮.୮ ମି.ମି., ଖୋର୍ଦ୍ଧାର ଟାଙ୍ଗୀରେ ୧୪୨.୦ ମି.ମି., କଟକର ବଡ଼ମ୍ବାରେ ୧୩୪.୦ ମି.ମି., କନ୍ଧମାଳର ଜି. ଉଦୟଗିରିରେ ୧୨୫.୪ ମି.ମି., ଗଜପତିର ପାରଳାଖେମୁଣ୍ଡିରେ ୧୨୧.୪ ମି.ମି. ଏବଂ ଗଜପତିର ଗୋଷାଣୀରେ ୧୨୦.୦ ମି.ମି. ବର୍ଷା ରେକର୍ଡ ହୋଇଛି। ଯଦିଓ ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି, ତଥାପି କେତେକ ଜିଲ୍ଲା ପାଇଁ ପାଣିପାଗ ସତର୍କତା ଜାରି ରହିଛି। ଆଜି ପାଇଁ ନବରଙ୍ଗପୁର ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ, ଯେତେବେଳେ କୋରାପୁଟ, ମାଲକାନଗିରି, ବରଗଡ଼, ନୂଆପଡ଼ା, ବଲାଙ୍ଗୀର ଓ କଳାହାଣ୍ଡି ଜିଲ୍ଲାକୁ ଅରେଞ୍ଜ୍ ୱାର୍ଣ୍ଣିଂ ଜାରି କରାଯାଇଛି। ରାଜ୍ୟ ପ୍ରଶାସନ ପକ୍ଷରୁ ଏହି ଜିଲ୍ଲାଗୁଡ଼ିକରେ ବର୍ଷା ପରିସ୍ଥିତି ଏବଂ ସମ୍ଭାବ୍ୟ ସ୍ଥାନୀୟ ପ୍ରଭାବ ଉପରେ ନିରନ୍ତର ନଜର ରଖାଯାଉଛି। ସ୍ଥାନୀୟ ପରିସ୍ଥିତି ଅନୁଯାୟୀ ଜିଲ୍ଲା ପ୍ରଶାସନ ଓ କ୍ଷେତ୍ରସ୍ତରୀୟ ସଂସ୍ଥାଗୁଡ଼ିକ ପକ୍ଷରୁ ପ୍ରାକ୍-ସତର୍କତାମୂଳକ ପଦକ୍ଷେପ ଜାରି ରହିଛି। ଏଥିରେ ସମ୍ବେଦନଶୀଳ ଅଞ୍ଚଳରେ ରାତ୍ରିକାଳୀନ ପାଟ୍ରୋଲିଂ, ନଦୀ ଓ ଜଳସ୍ତର ନିରୀକ୍ଷଣ, ଆବଶ୍ୟକତା ଅନୁଯାୟୀ ଯାତାୟାତ ବିକଳ୍ପ ମାର୍ଗରେ ପରିଚାଳନା, ଉପୁଡ଼ିଥିବା ଗଛଗୁଡ଼ିକୁ ତୁରନ୍ତ ସଫା କରିବା, ପ୍ରଭାବିତ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତରଣ ଏବଂ ନିରନ୍ତର ପୁନରୁଦ୍ଧାର ବ୍ୟବସ୍ଥା ଅନ୍ତର୍ଭୁକ୍ତ। ଜିଲ୍ଲାଗୁଡ଼ିକର ପରିସ୍ଥିତିର ନିରନ୍ତର ଆକଳନ କରାଯାଉଥିବାବେଳେ ଆବଶ୍ୟକତା ଅନୁଯାୟୀ କ୍ଷେତ୍ରସ୍ତରରେ ତୁରନ୍ତ ପ୍ରତିକ୍ରିୟାମୂଳକ ପଦକ୍ଷେପ ନିଆଯାଉଛି। ଜନସାଧାରଣଙ୍କ ସୁରକ୍ଷା ସୁନିଶ୍ଚିତ କରିବା, ଅତ୍ୟାବଶ୍ୟକ ଯୋଗାଯୋଗ ଓ ଯାତାୟାତ ବ୍ୟବସ୍ଥା ବଜାୟ ରଖିବା ଏବଂ ସ୍ଥାନୀୟ ସ୍ତରରେ ଉପୁଜୁଥିବା ଯେକୌଣସି ପରିସ୍ଥିତିର ତୁରନ୍ତ ମୁକାବିଲା କରିବା ଉପରେ ଗୁରୁତ୍ୱ ଦିଆଯାଉଛି। ଗଭୀର ଅବପାତ ବର୍ତ୍ତମାନ ସ୍ଥଳଭାଗ ଆଡ଼କୁ ଗତି କରୁଥିବା ଏବଂ କ୍ରମେ ଦୁର୍ବଳ ହେବାର ସମ୍ଭାବନା ଥିବାରୁ, ସ୍ଥାନୀୟ ସ୍ତରରେ ସୃଷ୍ଟି ହୋଇପାରୁଥିବା ଯେକୌଣସି ପ୍ରଭାବର ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିଛନ୍ତି। ଜିଲ୍ଲା ପ୍ରଶାସନ ଓ ପ୍ରତିକ୍ରିୟାଶୀଳ ଟିମ୍ଗୁଡ଼ିକ ସତର୍କ ରହିବା ସହ ନଦୀ ଜଳସ୍ତର, ବର୍ଷା ପରିମାଣ ଓ ସମ୍ବେଦନଶୀଳ ସ୍ଥାନଗୁଡ଼ିକ ଉପରେ ତୀକ୍ଷ୍ଣ ନଜର ରଖାଯାଉଛି। ବର୍ତ୍ତମାନର ଆକଳନ ଅନୁଯାୟୀ, ଏପର୍ଯ୍ୟନ୍ତ ବ୍ୟାପକ ଭାବେ କୌଣସି ବଡ଼ ଧରଣର କ୍ଷୟକ୍ଷତି ଘଟିନାହିଁ। ପ୍ରଭାବିତ ଜିଲ୍ଲାଗୁଡ଼ିକର ସାମଗ୍ରିକ ପରିସ୍ଥିତି ବର୍ତ୍ତମାନ ମୁଖ୍ୟତଃ ନିୟନ୍ତ୍ରଣାଧୀନ ରହିଛି ଏବଂ ଆବଶ୍ୟକ ପ୍ରତିକ୍ରିୟା ଓ ପୁନରୁଦ୍ଧାରମୂଳକ ପଦକ୍ଷେପ କ୍ଷେତ୍ରସ୍ତରରେ ନିରନ୍ତର ଜାରି ରହିଛି। ଜନସାଧାରଣଙ୍କ ସୁରକ୍ଷା ସୁନିଶ୍ଚିତ କରିବା ନିମନ୍ତେ ରାଜ୍ୟସରକାର ସମ୍ପୂର୍ଣ୍ଣ ପ୍ରତିବଦ୍ଧତାର ସହିତ କାର୍ଯ୍ୟ କରୁଛନ୍ତି l Post navigation त्यौहारों से पहले सरकार का बड़ा तोहफा; सरकार ने सूरजमुखी, सोयाबीन और पाम तेल पर कस्टम ड्यूटी घटाई Deep Depression Near Rayagada: ରାୟଗଡ଼ା ଠାରୁ ୮୦ କିମି ଦୂରରେ ଅବସ୍ଥିତ ଗଭୀର ଅବପାତ; ୩ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କଲା ପାଣିପାଗ ବିଭାଗ