ଖଣି ଓ ଖଣିଜ ଦ୍ରବ୍ୟ ବିକାଶ ଓ ନିୟନ୍ତ୍ରଣ ଆଇନ (ସଂଶୋଧନ) ସମ୍ପର୍କରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଆଜି ପୁଣି ଥରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ପତ୍ର ଲେଖିଛନ୍ତି । ନବୀନ ପଟ୍ଟନାୟକ ଲେଖିଥିବା ତାଙ୍କ ଦ୍ୱିତୀୟ ପତ୍ରରେ କହିଛନ୍ତି ଯେ ବିଜୁ ଜନତା ଦଳ ସବୁବେଳେ ଓଡିଶାର ଅଧିକାର ଓ ଆମର ଯୁବ ସମାଜର ଭବିଷ୍ୟତ ସହିତ ରହି ଆସିଛି ଏବଂ ଏହାର ଦୃଢ ସମର୍ଥନ କରୁଛି । ତେଣୁ ନିକଟରେ ସଂସଦରେ ବିନା ଆଲୋଚନାରେ ଗୃହିତ ହୋଇଥିବା ଖଣି ଓ ଖଣିଜ ଦ୍ରବ୍ୟ ବିକାଶ ଓ ନିୟନ୍ତ୍ରଣ ଆଇନ (ସଂଶୋଧନ) ସମ୍ପୂର୍ଣ୍ଣ ପ୍ରତ୍ୟାହାର ପାଇଁ ବିଧାନ ସଭାରେ ସର୍ବସମ୍ମତ ପ୍ରସ୍ତାବ ପାରିତ କରିବା ପାଇଁ ସବୁ ରାଜନୈତିକ ଦଳ ଏକାଠି କାମ କରିବାକୁ ନବୀନ ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି । ଏହାକୁ ବିଜୁ ଜନତା ପୂର୍ଣ୍ଣ ସମର୍ଥନ କରିବ । ଏଭଳି ସମ୍ମିଳିତ ଉଦ୍ୟମକୁ ଏକ ଐତିହାସିକ ମୂହୁର୍ତ୍ତ ଭାବରେ ଓଡିଶାବାସୀ ମନେ ରଖିବେ ବୋଲି ନବୀନ ପଟ୍ଟନାୟକ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି । ନବୀନ ପଟ୍ଟନାୟକ କହିଛନ୍ତି ଯେ ଖଣିଜ ସମ୍ପଦ ଓ ଖଣି ଅଞ୍ଚଳ ଉପରେ ଟିକସ ଲାଗୁ କରିବା ସମ୍ପର୍କିତ ରାଜ୍ୟର ସାମ୍ବିଧାନିକ ଅଧିକାରକୁ ବିରୋଧ କରି ଖଣି କମ୍ପାନୀ ମାନେ ଅଦାଲତକୁ ଯାଇଥିଲେ । ଓଡିଶାର ଏହି ସାମ୍ବିଧାନିକ ଅଧିକାରର ସୁରକ୍ଷା ପାଇଁ ବିଜେଡି ସରକାର ବହୁ ବର୍ଷ ଧରି ହାଇକୋର୍ଟ ଓ ସୁପ୍ରିମ କୋର୍ଟରେ ଲଢେଇ କରିଥିଲା । ପରେ ପରେ ରାଜ୍ୟ ବିଜେପି ସରକାର ଖଣି କମ୍ପାନୀ ବିରୁଦ୍ଧରେ ମଧ୍ୟ ସୁପ୍ରିମ କୋର୍ଟରେ ଏହି ଲଢେଇ ଜାରି ରଖିଥିଲେ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଓଡିଶାର ଆଡଭୋକେଟ ଜେନେରାଲ ମଧ୍ୟ ସୁପ୍ରିମ କୋର୍ଟରେ ରାଜ୍ୟ ସରକାରଙ୍କର ପକ୍ଷ ରଖିଥିଲେ । ଏଥିରେ ସେ ସ୍ପଷ୍ଟ ଭାବରେ ଉଲ୍ଲେଖ କରିଥିଲେ ଯେ ଯଦି ଖଣି ଓ ଖଣି ଅଞ୍ଚଳ ଉପରେ ଟିକସ ବସାଇବାର ଅଧିକାର କାଢି ନିଆଯାଏ ତେବେ ଏହା ରାଜ୍ୟର ଆର୍ଥିକ ପରିସ୍ଥିତି ଉପରେ କୁପ୍ରଭାବ ପକାଇବ । ଆମର ନିରନ୍ତର ଉଦ୍ୟମ ଯୋଗୁ ଓଡିଶା ନ୍ୟାୟ ପାଇଲା ଏବଂ ମାନ୍ୟବର ସୁପ୍ରିମ କୋର୍ଟର ୯ ଜଣିଆ ସାମ୍ବିଧାନିକ ବେଞ୍ଚ ତାଙ୍କ ରାୟରେ ଓଡିଶା ସରକାର ଖଣି କମ୍ପାନୀ ବିରୁଦ୍ଧରେ ନେଇଥିବା ପଦକ୍ଷେପକୁ ଉଚିତ ଦର୍ଶାଇଥିଲେ । ସୁପ୍ରିମ କୋର୍ଟଙ୍କ ଏହି ରାୟ ଓଡିଶା ପାଇଁ ବିରାଟ ସମ୍ଭାବନା ସୃଷ୍ଟି କରିଥିଲା । କୋଟି କୋଟି ଟଙ୍କାର ବକେୟା ରାଜସ୍ୱ ଆଦାୟ ସହିତ ବାର୍ଷିକ ୧୨ ହଜାର କୋଟି ଟଙ୍କା ରାଜସ୍ୱ ଭାବେ ପାଇବାର ସୁଯୋଗ ସୃଷ୍ଟି ହୋଇଥିଲା । ଏହା ଦ୍ୱାରା ଆମର ଯୁବ ସମାଜର ଭବିଷ୍ୟତ ସୁରକ୍ଷିତ ହେବା ସହିତ ଓଡିଶାର ବିକାଶ ପାଇଁ ପ୍ରଚୁର ଅର୍ଥ ମିଳିଥାନ୍ତା । ନବୀନ ପଟ୍ଟନାୟକ କହିଛନ୍ତି ଯେ ସୁପ୍ରିମ କୋର୍ଟଙ୍କ ରାୟ ପରିପ୍ରେକ୍ଷୀରେ ଓଡିଶାକୁ ମିଳିବାକୁ ଥିବା ରାଜସ୍ୱକୁ ରାଜ୍ୟବାସୀଙ୍କର କଲ୍ୟାଣ ପାଇଁ କିପରି ସର୍ବୋତ୍ତମ ଭାବରେ ଉପଯୋଗ କରାଯାଇ ପାରିବ, ସେ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଉଚ୍ଚସ୍ତରୀୟ ବୈଠକରେ ନିଶ୍ଚିତ ଭାବରେ ଆଲୋଚନା କରିଥିବେ । କିନ୍ତୁ ଦୁଃଖର କଥା, ସାରା ଦେଶକୁ ଆଚମ୍ବିତ କରି ସଂସଦରେ ଖଣି ଓ ଖଣିଜ ଦ୍ରବ୍ୟ ବିକାଶ ଓ ନିୟନ୍ତ୍ରଣ ଆଇନ (ସଂଶୋଧନ) ଗୃହିତ ହୋଇଗଲା । ଏହା ଫଳରେ ରାଜ୍ୟର ଖଣିଜ ସମ୍ପଦ ଉପରୁ ଟିକସ ଆଦାୟର ସାମ୍ବିଧାନିକ କ୍ଷମତା ଓଡିଶା ଠାରୁ କାଢି ନିଆଗଲା । ଓଡିଶା କଥା ଓଡିଶାବାସୀଙ୍କ ସ୍ୱାର୍ଥ ବିରୁଦ୍ଧରେ ଯାଇ ବିଜେପିର ୨୦ ଜଣ ସାଂସଦ ଏହି ସଂଶୋଧନକୁ ସମର୍ଥନ କଲେ । ଶେଷରେ ସେମାନେ ଖଣି ମାଲିକ ଯାହା ଚାହୁଁଥିଲେ ତାହା କଲେ । ବର୍ତ୍ତମାନ ଖଣି ଓ ଖଣିଜ ଦ୍ରବ୍ୟ ବିକାଶ ଓ ନିୟନ୍ତ୍ରଣ ଆଇନ (ସଂଶୋଧନ) ର ପର୍ବର୍ତ୍ତୀ ପ୍ରତିକ୍ରିୟା ସ୍ୱରୂପ ଓଡିଶା ବିପୁଳ ଆର୍ଥିକ କ୍ଷତି ସହିବାକୁ ଯାଉଛି ଏବଂ ଏହାର ସାମ୍ବିଧାନିକ ଅଧିକାର ମଧ୍ୟ ଚାଲିଯାଇଛି । ଗୃହର ନେତା ଭାବରେ ବିଧାନ ସଭାରେ MMDR Amendment Act ପ୍ରତ୍ୟାହାର କରିବା ପାଇଁ ଏକ ସର୍ବସମ୍ମତ ପ୍ରସ୍ତାବ ଗୃହିତ କରିବା ମୁଖ୍ୟମନ୍ତ୍ରୀଙ୍କର ନୈତିକ ଦାୟୀତ୍ୱ ବୋଲି ନବୀନ ପଟ୍ଟନାୟକ ତାଙ୍କ ପତ୍ରରେ ସ୍ମରଣ କରାଇ ଦେଇଛନ୍ତି । ଏହାକୁ ବିଜୁ ଜନତା ଦଳ ସମର୍ଥନ କରିବ । ଏହାଦ୍ୱାରା ଓଡିଶାର ସାମ୍ବିଧାନିକ ଅଧିକାର ପୁନଃ ପ୍ରତିଷ୍ଠିତ ହେବା ସହିତ ମାନ୍ୟବର ସୁପ୍ରିମ କୋର୍ଟଙ୍କ ରାୟ ପରିପ୍ରେକ୍ଷୀରେ ଓଡିଶାର ସ୍ୱାର୍ଥ ସୁରକ୍ଷିତ ରହିବ ବୋଲି ପଟ୍ଟନାୟକ ମତବ୍ୟକ୍ତ କରିଛନ୍ତି । Post navigation Shree Jagannath Darshan Yojana Launched: ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନାର ଶୁଭାରମ୍ଭ Odisha T20 League Begins: ଓଡ଼ିଶା ଟି-୨୦ ଲିଗ୍ ସିଏମ୍ ଟ୍ରଫି ୨୦୨୬; ବାରବାଟୀ ଷ୍ଟାଡିଅମରେ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ