ପୋଲିସ କର୍ମଚାରୀ ଓ ଅଧିକାରୀଙ୍କ ପାଇଁ ସୋସିଆଲ ମିଡିଆ ବ୍ୟବହାର ନେଇ କଡ଼ା ନିୟମ ଆଣିଛି କମିଶନରେଟ୍ ପୋଲିସ। ଏଣିକି କର୍ତ୍ତବ୍ୟରତ ସମୟରେ କିମ୍ବା ୟୁନିଫର୍ମ ପିନ୍ଧି ସୋସିଆଲ ମିଡିଆରେ ଫଟୋ, ଭିଡିଓ କିମ୍ବା କୌଣସି ପୋଷ୍ଟ କରିବା ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଯାଇଛି। ଡ୍ୟୁଟି ସମୟରେ କୌଣସି ସମ୍ବେଦନଶୀଳ ସ୍ଥାନରେ ଫଟୋ ଉଠାଇବା କିମ୍ବା ଭିଡିଓ ଉତ୍ତୋଳନ କରିବା ଉପରେ ମଧ୍ୟ ବାରଣ କରାଯାଇଛି।

ନିକଟରେ କିଛି ପୋଲିସ ଅଧିକାରୀ ନିଜର ଡ୍ୟୁଟି ଓ କାର୍ଯ୍ୟସ୍ଥଳୀର ଭିଡିଓ ସୋସିଆଲ ମିଡିଆରେ ସେୟାର କରିବା ଫଳରେ ଗୋପନୀୟ ତଥ୍ୟ ପ୍ରକାଶ ପାଇବା ସହ ସୁରକ୍ଷା ବ୍ୟବସ୍ଥା ପ୍ରତି ବିପଦ ସୃଷ୍ଟି ହେଉଥିବା ନଜରକୁ ଆସିବା ପରେ ପୋଲିସ କମିଶନରଙ୍କ ଦ୍ୱାରା ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି।

ବିଶେଷକରି ଲୋକ ଭବନ, ଲୋକସେବା ଭବନ, ଶ୍ରୀ ଲିଙ୍ଗରାଜ ମନ୍ଦିର, ହାଇକୋର୍ଟ ଏବଂ ଆରବିଆଇ ଭଳି ଅତି ଗୁରୁତ୍ୱପୂର୍ଣ୍ଣ ଓ ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ ଏହି କଟକଣାକୁ କଡ଼ାକଡ଼ି କରାଯାଇଛି। ସୁରକ୍ଷା ଓ ଗୋପନୀୟତା ରକ୍ଷା କରିବା ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ଏହି ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି କରାଯାଇଥିବା ବେଳେ ଏହି ନିୟମ ଉଲ୍ଲଂଘନ କଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଏହି ନୂଆ ନିୟମ ଅନୁଯାୟୀ, ଲୋକସେବା ଭବନ, ଲିଙ୍ଗରାଜ ମନ୍ଦିର, ଓଡ଼ିଶା ଉଚ୍ଚ ନ୍ୟାୟାଳୟ, ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଏବଂ ଅନ୍ୟାନ୍ୟ ସମ୍ବେଦନଶୀଳ ସରକାରୀ କାର୍ଯ୍ୟାଳୟଗୁଡ଼ିକରେ ମୋତୟନ ଥିବା ପୋଲିସ କର୍ମଚାରୀମାନେ ଡ୍ୟୁଟି ସମୟରେ କୌଣସି ପ୍ରକାରର ଫଟୋ କିମ୍ବା ଭିଡିଓ ଉଠାଇବା ଓ ତାହାକୁ ଅପଲୋଡ୍ କରିବା ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ଏଭଳି କାର୍ଯ୍ୟକ୍ଷେତ୍ରର ଗୋପନୀୟତା ଓ ଜନସାଧାରଣଙ୍କ ସୁରକ୍ଷାକୁ ବିପନ୍ନ କରୁଥିବାରୁ, ସୁପରଭାଇଜରୀ ଅଧିକାରୀମାନଙ୍କୁ ଏହାକୁ କଡ଼ାକଡ଼ି ନଜର ରଖିବାକୁ କୁହାଯାଇଛି ଏବଂ ଏହି ନିୟମର ଉଲ୍ଲଂଘନ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି।

Leave a Reply

Your email address will not be published. Required fields are marked *