ରାଜ୍ୟ ସରକାର ଗାଡ଼ିର ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣ ପତ୍ର ଉଲ୍ଲଂଘନ ଜରିମାନା ରାଶିରେ ବଡ଼ ପରିବର୍ତ୍ତନ କରିଛନ୍ତି । ସରକାର ପିୟୁସିସି ଜରିମାନାକୁ କୋହଳ କରିଛନ୍ତି । ଏ ନେଇ ଆଜି ସୂଚନା ଦେଇଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା । ପୂର୍ବରୁ ସର୍ବାଧିକ ୧୦,୦୦୦ ଟଙ୍କା ଥିବା ଜରିମାନା ରାଶିକୁ ହ୍ରାସ କରାଯାଇ ୬,୦୦୦ ଟଙ୍କାକୁ ଅଣାଯାଇଛି। ୨୦୧୯ ମସିହାରୁ ବଳବତ୍ତର ଥିବା ଜରିମାନା ପ୍ରାବଧାନରେ ପରିବର୍ତ୍ତନ ଆଣି ଏହି ନୂତନ ଚାଲାଣ ବ୍ୟବସ୍ଥା ଲାଗୁ କରାଯାଇଛି। ଏହାଦ୍ୱାରା ରାଜ୍ୟର ଗାଡ଼ି ମାଲିକମାନଙ୍କୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ସରକାରଙ୍କ ଦ୍ୱାରା ଘୋଷିତ ନୂତନ ନିୟମାବଳୀ ଅନୁଯାୟୀ, ଦୁଇଚକିଆ ଯାନ ବା ମୋଟରସାଇକେଲ ଏବଂ ତିନିଚକିଆ ଗାଡ଼ି ପାଇଁ ପ୍ରଥମ ଥର ପ୍ରଦୂଷଣ ନିୟମ ଭଙ୍ଗ କଲେ ୧ ହଜାର ଟଙ୍କା ଏବଂ ଦ୍ୱିତୀୟ ଥର ଉଲ୍ଲଂଘନ ପାଇଁ ୨ ହଜାର ଟଙ୍କା ଫାଇନ୍ ଦେବାକୁ ପଡ଼ିବ। ସେହିପରି ଚାରିଚକିଆ ଯାନ ଯଥା କାର୍, ଜିପ୍, ମୋଟର କ୍ୟାବ୍, ଟ୍ରାକ୍ଟର ଓ ଟ୍ରେଲର ପାଇଁ ପ୍ରଥମ ଥର ୨ ହଜାର ଟଙ୍କା ଏବଂ ଦ୍ୱିତୀୟ ଥର ୫ ହଜାର ଟଙ୍କା ଜରିମାନା ଧାର୍ଯ୍ୟ କରାଯାଇଛି। ଅନ୍ୟାନ୍ୟ ବଡ଼ ବାଣିଜ୍ୟିକ ଓ ଭାରୀ ଯାନବାହାନ ପାଇଁ ପ୍ରଥମ ଥର ୩ ହଜାର ଟଙ୍କା ଏବଂ ଦ୍ୱିତୀୟ ଥର ପାଇଁ ସର୍ବାଧିକ ୬ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ। ଏହା ସହିତ ପରିବହନ ବିଭାଗ ଆଉ ଏକ କଠୋର ନିୟମ ସାମ୍ନାକୁ ଆଣିଛି। ଯେଉଁ ଗାଡ଼ିଗୁଡ଼ିକର ଇ-ଚାଲାଣ କିମ୍ବା ବାକି ଜରିମାନା ୯୦ ଦିନରୁ ଅଧିକ ସମୟ ଧରି ଅଦେୟ ହୋଇ ପଡ଼ିରହିଥିବ, ସେହି ଗାଡ଼ିଗୁଡ଼ିକୁ ନୂତନ ପ୍ରଦୂଷଣ ପ୍ରମାଣପତ୍ର ମିଳିପାରିବ ନାହିଁ। ପୂର୍ବରୁ ୨୦୧୯ ମସିହାରୁ ଲାଗୁ ହୋଇଥିବା କଠୋର ନିୟମ ଯୋଗୁଁ ସମସ୍ତ ଗାଡ଼ି ପାଇଁ ସୀଧାସଳଖ ୧୦ ହଜାର ଟଙ୍କା ଫାଇନ୍ ଲାଗୁ ହେଉଥିଲା। ବିଶେଷ କରି ଟୋଲଗେଟ୍ଗୁଡ଼ିକରେ ସ୍ୱୟଂଚାଳିତ କାମେରା ମାଧ୍ୟମରେ ଚାଲାଣ କାଟିବା ପରେ ଜନସାଧାରଣଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ ପାଇଥିଲା। ଏହି ସମସ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନିୟମକୁ କୋହଳ କରିଛନ୍ତି, ତେବେ ପରିବେଶ ସୁରକ୍ଷା ଓ ଦୁର୍ଘଟଣା ଏଡ଼ାଇବା ପାଇଁ ପ୍ରତ୍ୟେକ ଗାଡ଼ିର ବୈଧ ପ୍ରଦୂଷଣ କାଗଜପତ୍ର ରହିବା ଏକାନ୍ତ ଜରୁରୀ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। Post navigation Temple Reappears After 25 Years in Ganjam: ଗଞ୍ଜାମରେ ସମୁଦ୍ରରୁ ଦୃଶ୍ୟମାନ ହେଲା ୨୫ ବର୍ଷର ପୋତା ହୋଇରହିଥିବା ମନ୍ଦିର Odisha Police SI Recruitment Scam: ପୁଲିସ ଏସ୍ଆଇ ନିଯୁକ୍ତି ସ୍କାମ୍; ରାଜ୍ୟ ସରକାର ଚାହୁଁଛନ୍ତି, କେନ୍ଦ୍ର ଚାହୁଁନି !