ରାଜ୍ୟରେ ଲଗାଣ ବର୍ଷା ଓ ସୃଷ୍ଟ ବନ୍ୟା ପରିସ୍ଥିତି ଯୋଗୁଁ ୪ଟି ଜିଲ୍ଲା ବିଶେଷ ଭାବରେ ପ୍ରଭାବିତ ହୋଇଛନ୍ତି। ବିଶେଷ କରି ଯାଜପୁର, ଭଦ୍ରକ, ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାରେ ବନ୍ୟା ସ୍ଥିତି ଗମ୍ଭୀର ରହିଛି। ଏ ନେଇ ସ୍ୱତନ୍ତ୍ର ରିଲିଫ୍ କମିଶନର (SRC) ରାଜେଶ ପ୍ରଭାକର ପାଟିଲ ସମ୍ବାଦିକ ସମ୍ମିଳନୀରେ ବିସ୍ତୃତ ସୂଚନା ଦେଇଛନ୍ତି।

ସେ କହିଛନ୍ତି ଝାଡ଼ଖଣ୍ଡ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଥିବାରୁ ଓଡ଼ିଶାକୁ ପ୍ରବାହିତ ହେଉଥିବା ନଦୀଗୁଡ଼ିକରେ ବନ୍ୟା ଜଳ ବୃଦ୍ଧି ପାଇଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟର ମୋଟ ୪୫ଟି ପଞ୍ଚାୟତ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛି। କେବଳ ବାଲେଶ୍ୱର ଜିଲ୍ଲାର ବାଲେଶ୍ୱର ସଦର ଓ ରେମୁଣା ବ୍ଲକ୍‌ ଅଧୀନରେ ଥିବା ୧୫ଟି ପଞ୍ଚାୟତ ପ୍ରଭାବିତ ହୋଇଛି। ବୈତରଣୀ, ବୁଢ଼ାବଳଙ୍ଗ, ସୁବର୍ଣ୍ଣରେଖା, ଜଳକା ଓ ସାଳନ୍ଦୀ ନଦୀରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ବୁଢ଼ାବଳଙ୍ଗ ନଦୀର ପାଣି ବାରିପଦା ସହରରେ ପ୍ରବେଶ କରିବା ସହ ବିପଦ ସଙ୍କେତ ଟପିଛି। ଏହାସହ ବୈତରଣୀ ନଦୀର ପୂର୍ବରୁ ହୋଇଥିବା ଘାଇ ଦେଇ ବନ୍ୟାଜଳ ପ୍ରବେଶ କରିବା ଯୋଗୁଁ ଭଦ୍ରକ ଓ ଯାଜପୁର ଜିଲ୍ଲା ଅଧିକ ପ୍ରଭାବିତ ହୋଇଛି ।

ସେ ଆଉ ମଧ୍ୟ କହିଛନ୍ତି ବର୍ତ୍ତମାନ ସୁଦ୍ଧା ପ୍ରଭାବିତ ଅଞ୍ଚଳରୁ ପ୍ରାୟ ୩,୦୦୦ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ଏବଂ ସେମାନଙ୍କ ପାଇଁ ରିଲିଫ୍ କେନ୍ଦ୍ର ଖୋଲାଯାଇଛି। ଘଟଣାସ୍ଥଳରେ ୧୦ଟି ODRAF ଓ ୭ଟି NDRF ଟିମ୍ (ମୋଟ ୧୭ଟି ଟିମ୍) ମୁତୟନ କରାଯାଇଛି, ଏବଂ ଆଉ ୪ଟି ଟିମ୍‌କୁ ଷ୍ଟାଣ୍ଡବାଏ ରଖାଯାଇଛି। ବାଲେଶ୍ୱରରେ ୮ଟି ଟିମ୍, ଯାଜପୁରରେ ୩ଟି (୨ ODRAF, ୧ NDRF), ଭଦ୍ରକରେ ୨ଟି ଓ କେନ୍ଦୁଝରରେ ୧ଟି ଟିମ୍ ନିୟୋଜିତ ଅଛନ୍ତି ।

ସମ୍ପୃକ୍ତ ଜିଲ୍ଲାଗୁଡ଼ିକର ଜିଲ୍ଲାପାଳମାନଙ୍କୁ ହାଇଆଲର୍ଟରେ ରଖାଯାଇଛି ଏବଂ ବରିଷ୍ଠ ଅଫିସରମାନେ ସ୍ଥିତି ଉପରେ ସିଧାସଳଖ ନଜର ରଖିଛନ୍ତି। ମଧ୍ୟମ ଧରଣର ବନ୍ୟା ପରିସ୍ଥିତିକୁ ମୋକାବିଲା କରିବା ପାଇଁ ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା SRC ଆଶ୍ୱାସନା ଦେଇଛନ୍ତି।

 

Leave a Reply

Your email address will not be published. Required fields are marked *