ଭାରତରେ ମଧୁମେହ, ମୋଟାପଣ ଓ ଅତ୍ୟାଧିକ ମାନସିକ ଚାପ ବୃଦ୍ଧି ପାଇବାରେ ଲାଗିଛି । ଗ୍ରାମାଞ୍ଚଳ ତୁଳନାରେ ସହରାଞ୍ଚଳରେ ଏହି ସମସ୍ୟା ଅଧିକ । ରାଜ୍ୟସଭାରେ ସାଂସଦ ଦିଲ୍ଲୀପ ରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ପ୍ରତାପ ରାଓ ଯାଦବ ଏହି ତଥ୍ୟ ପ୍ରଦାନ କରିଛନ୍ତି । ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ କହିଛନ୍ତି ଯେ ଏ ସଂକ୍ରାନ୍ତରେ ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମ୍ଆର୍) ପକ୍ଷରୁ ଲଗାତାର ଅଧ୍ୟୟନ କରାଯାଇ ନିକଟରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ ପାଇଛି । ଦେଶର ସହରାଞ୍ଚଳର ଅନୁ୍ୟନ ୧୬.୪୦ ପ୍ରତିଶତ ଲୋକ ମଧୁମେହରେ ଆକ୍ରାନ୍ତ ହୋଇଥିବାବେଳେ ଗ୍ରାମାଞ୍ଚଳରେ ଏହି ସଂଖ୍ୟା କିନ୍ତୁ ୮.୯୦ ପ୍ରତିଶତ ରହିଛି । ସେହିପରି ମୋଟାପଣ କ୍ଷେତ୍ରରେ ସାଧାରଣ ବଡି ମାକ୍ସ ଇଣ୍ଡେକ୍ସ ସହରାଞ୍ଚଳରେ ୩୯.୬୦ ପ୍ରତିଶତ ଥିବାବେଳେ ଗ୍ରାମାଞ୍ଚଳରେ ୨୩.୧୦ ପ୍ରତିଶତ ରହିଛି । ଦେଶର ଗ୍ରାମାଞ୍ଚଳରେ ଅନୁ୍ୟନ ୩୩.୫୦ ପ୍ରତିଶତ ଲୋକଙ୍କ ପେଟ ଆବଶ୍ୟକତାଠାରୁ ଅଧିକ ବଡ଼ ଥିବାବେଳେ ସହରାଞ୍ଚଳରେ ୫୧.୬୦ ପ୍ରତିଶତ ଲୋକଙ୍କ କ୍ଷେତ୍ରରେ ଏହି ସମସ୍ୟା ଲାଗି ରହିଛି । ଅତ୍ୟଧିକ ମାନସିକ ଚାପ ବା ହାଇପର ଟେନ୍ସନ୍ ମଧ୍ୟ ଆମ ସ୍ୱାସ୍ଥ୍ୟ କ୍ଷେତ୍ରରେ ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି । ଦେଶର ସହରାଞ୍ଚଳରେ ୪୦.୭୦ ପ୍ରତିଶତ ଲୋକ ହାଇପର ଟେନ୍ସନ୍ରେ ଆକ୍ରାନ୍ତ ଥିବାବେଳେ ଗ୍ରାମାଞ୍ଚଳରେ ଏହି ପରିମାଣ ୩୩ ପ୍ରତିଶତରେ ସୀମିତ ରହିଛି । ଏହାଛଡ଼ା କୋଲଷ୍ଟ୍ରଲ୍ ସମସ୍ୟା ବି ଲାଗି ରହିଛି । ଏଚ୍ବିଏଲ୍ କୋଲଷ୍ଟ୍ରଲ୍ କମ୍ ରହିବା କ୍ଷେତ୍ରରେ ସହରାଞ୍ଚଳରେ ୬୯.୩ ଓ ଗ୍ରାମାଞ୍ଚଳରେ ୬୫.୬ ପ୍ରତିଶତ ଲୋକ ଆକ୍ରାନ୍ତ ଅଛନ୍ତି । ଏଲ୍ଡିଆର୍ କୋଲଷ୍ଟ୍ରଲ୍ ଅଧିକ ରହିବା ଯୋଗୁ ବି ସମସ୍ୟା ଲାଗି ରହୁଛି । ଏହି ସମସ୍ୟାର ନିରାକରଣ ପାଇଁ ରାଜ୍ୟ ସରକାରମାନଙ୍କ ସହଯୋଗରେ କେନ୍ଦ୍ର ସରକାର ଉଦ୍ୟମ ଚଳାଇଛନ୍ତି । ଏ ସଂକ୍ରାନ୍ତରେ ସାଂସଦ ଦିଲ୍ଲୀପ ରାୟ ଏକ ବିବୃତିରେ କହିଛନ୍ତି ଯେ ଲୋକଙ୍କ ଦୈନନ୍ଦିନ ଜୀବନ ଶୈଳୀ ଓ ଖାଦ୍ୟାଭ୍ୟାସରେ ନକରାତ୍ମକ ପରିବର୍ତ୍ତନ ଯୋଗୁ ବିଭିନ୍ନ ରୋଗ ସୃଷ୍ଟି ହେଉଛି ଏବଂ ଏହାର ଚିକିତ୍ସା ଲାଗି ସରକାର ଓ ପରିବାର ବିପୁଳ ଅର୍ଥ ଖର୍ଚ୍ଚ କରିବାକୁ ବାଧ୍ୟ ହେଉଛନ୍ତି। ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରୁ ଏ ସମସ୍ୟା ଓ ତା’ର ନିରାକରଣ ସମ୍ବନ୍ଧରେ ପାଠ୍ୟକ୍ରମରେ ବିଷୟବସ୍ତୁ ଉଲ୍ଲେଖିତ ସହିତ ଜନସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରିବା ଲାଗି ସେ ପରାମର୍ଶ ଦେଇଛନ୍ତି। ନିୟମିତ ବ୍ୟାୟାମ ଏବଂ ଯୋଗ-ପ୍ରାଣାୟାମ ଆଦି ସହିତ ସନ୍ତୁଳିତ ଖାଦ୍ୟ ଓ ସୁସ୍ଥ ପରିବେଶ ମଣିଷ ଜୀବନକୁ ସୁଗମ, ହସଖୁସିର ଏବଂ ରୋଗ ମୁକ୍ତ ପାଇଁ ବରଦାନ ହେବ । Post navigation ओडिशा DGP नियुक्ति पर सुप्रीम कोर्ट में विवाद; उच्चतम न्यायालय बुधवार को करेगा सुनवाई Chitalagi Amabasya in Puri: ଆସନ୍ତାକାଲି ଶ୍ରୀମନ୍ଦିରରେ ୫ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ