ରାଜଧାନୀ ଦିଲ୍ଲୀର ସଂସଦ ପୋଲିସ ଷ୍ଟେଶନ ପାର୍ଲାମେଣ୍ଟର ସୁରକ୍ଷା ଭଙ୍ଗ କରୁଥିବା ତିନି ଜଣଙ୍କୁ ଗିରଫ କରିଛି। ନକଲି ଆଧାର କାର୍ଡ ବ୍ୟବହାର କରି ସଂସଦ ଭବନ ପରିସରରେ କାମ କରିବା ପାଇଁ ପ୍ରବେଶ କରିବାକୁ ଚେଷ୍ଟା କରିବାରୁ ଉତ୍ତରପ୍ରଦେଶର ତିନିଜଣ ଶ୍ରମିକଙ୍କୁ ଗିରଫ କରାଯାଇଛି। ଜାଲିଆତି ଏବଂ ପ୍ରତାରଣା ଅଭିଯୋଗରେ ଦିଲ୍ଲୀ ପୁଲିସ ତିନିଙ୍କୁ ଗିରଫ କରିଛି।

ସୁଚନା ମୁତାବକ, ଅଭିଯୁକ୍ତମାନେ ହାସିପୁରର ସୋଏବ ଏବଂ ଆମ୍ରୋହା ନିବାସୀ ମୋନିସ ବୋଲି ଜଣାପଡିଛି। ଏହି ତିନିଜଣଙ୍କର ବୟସ ପ୍ରାୟ ୧୮ବର୍ଷ ଏବଂ ସେମାନେ ପାର୍ଲାମେଣ୍ଟ ଗୃହରେ କଣ୍ଟ୍ରାକ୍ଟର ଶାହନାୱାଜ ଆଲାମଙ୍କ ଅଧୀନରେ କାର୍ଯ୍ୟ କରୁଥିଲେ।

ପୋଲିସର ସୂଚନାନୁସାରେ, ଏହି ତିନିଜଣଙ୍କର କାଜୁଆଲ ଏଣ୍ଟ୍ରି ପାସ ଥିଲା। ଗେଟ ନମ୍ବର ତିନିରେ ସଂସଦର ସୁରକ୍ଷା ପାଇଁ ନିୟୋଜିତ ଏଏସଆଇ ଅନୀଲ କୁମାର ତିନିଜଣଙ୍କୁ ଯାଞ୍ଚ ପାଇଁ ଅଟକାଇ ସେମାନଙ୍କ କାଜୁଆଲ ପାସ ବ୍ୟତୀତ ସେମାନଙ୍କ ପରିଚୟ ପତ୍ର ମାଗିଥିଲେ। ଯେତେବେଳେ କାସୀମ ଏବଂ ମୋନିସ ସମାନ ଆଧାର ଦେଖାଇଲେ, ସେତେବେଳେ ତିନିଜଣ ଘଟଣାସ୍ଥଳରେ ଧରାପଡିଥିଲେ। ପୋଲିସର ସୂଚନାନୁସାରେ, ଆଧାର କାର୍ଡ ସମାନ ଥିଲା, କିନ୍ତୁ ଏଥିରେ ଭିନ୍ନ ଫଟୋଗ୍ରାଫ ଥିଲା। ଅଭିଯୁକ୍ତମାନେ ଆଧାର କାର୍ଡ ଜାଲିଆତି କରିଥିଲେ।

ପାର୍ଲାମେଣ୍ଟ ପୋଲିସ ଷ୍ଟେଶନରେ ୪୧୯, ୪୬୫, ୪୬୮, ୪୭୧ ଏବଂ ୧୨୦ବି ଅନୁଯାୟୀ ତିନି ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ଏବଂ ତଦନ୍ତ ଆରମ୍ଭ ହୋଇଛି।

ଏହି ମାମଲା ସଂସଦର ସୁରକ୍ଷା ସହ ଜଡିତ ଥିବାରୁ ସ୍ଥାନୀୟ ପୋଲିସ ବ୍ୟତୀତ ଅନ୍ୟ ସୁରକ୍ଷା ଏଜେନ୍ସିମାନେ ମଧ୍ୟ ଅଭିଯୁକ୍ତଙ୍କୁ ପଚରାଉଚରା କରିଛନ୍ତି। ଏପର୍ଯ୍ୟନ୍ତ ଅନୁସନ୍ଧାନରୁ ଜଣାପଡିଛି ଯେ ଏହି ତିନିଜଣ ଶ୍ରମିକ। ଜଣଙ୍କର ପରିଚୟ ନଥିଲା, ତେଣୁ ସେ ଅନ୍ୟ ଜଣେ ସହକର୍ମୀଙ୍କ ଆଧାର କାର୍ଡରେ ଟ୍ୟାମ୍ପରିଂ କରି ନିଜ ପାଇଁ ବ୍ୟବହାର କରିଥିଲେ।

Leave a Reply

Your email address will not be published. Required fields are marked *