ବନ୍ୟା ପରବର୍ତ୍ତୀ ସ୍ୱଚ୍ଛତା ଓ ପାନୀୟ ଜଳ ଯୋଗାଣ ବ୍ୟବସ୍ଥାକୁ ସ୍ୱାଭାବିକ କରିବା ପାଇଁ ଗଞ୍ଜାମ ଜିଲ୍ଲାରେ ନଗର ଉନ୍ନୟନ ବିଭାଗ ପକ୍ଷରୁ ୧୦ ଜଣ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି । ଏହି ଅଧିକାରୀମାନେ ଜିଲ୍ଲାର ବନ୍ୟା ପ୍ରଭାବିତ ଅଞ୍ଚଳରେ ପରିମଳ ବ୍ୟବସ୍ଥା, ପାନୀୟ ଜଳ ଯୋଗାଣ ଓ ଅନ୍ୟାନ୍ୟ ଆବଶ୍ୟକୀୟ ସେବାର ତଦାରଖ କରିବେ । ନିୟୋଜିତ ଅଧିକାରୀଙ୍କ ମଧ୍ୟରେ ସହକାରୀ କମିଶନର, ନିର୍ବାହୀ ଅଧିକାରୀ ଏବଂ ଯନ୍ତ୍ରୀମାନେ ରହିଛନ୍ତି ।

ସେହିପରି, ପାନୀୟ ଜଳ ଯୋଗାଣ ଓ ସ୍ୱଚ୍ଛତା ବ୍ୟବସ୍ଥାର ସ୍ଥିତି ଅନୁଧ୍ୟାନ କରିବା ପାଇଁ WATCO ଏବଂ PHEOର ଟିମ୍‌କୁ ମଧ୍ୟ ଜିଲ୍ଲାରେ ନିୟୋଜିତ କରାଯାଇଛି । ବନ୍ୟା ଯୋଗୁଁ ଜଳ ଉତ୍ସ ଓ ଜଳାଶୟ ପ୍ରଦୂଷିତ ହେବାର ଆଶଙ୍କା ଥିବାରୁ ସେଗୁଡ଼ିକୁ ଭଲ ଭାବେ ସଫା କରିବା ସହ ବିଶୋଧନ କରାଯିବ । ଏହାଦ୍ୱାରା ଲୋକଙ୍କୁ ସୁରକ୍ଷିତ ପାନୀୟ ଜଳ ଯୋଗାଣ ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱ ଦିଆଯିବ ।

ଏଥିସହ ବନ୍ୟା ପ୍ରଭାବିତ ଅଞ୍ଚଳର ରାସ୍ତାଘାଟ, ଜନବସତି ଓ ଅନ୍ୟାନ୍ୟ ସ୍ଥାନରେ ସଫେଇ କାର୍ଯ୍ୟକୁ ଗୁରୁତ୍ୱ ଦିଆଯିବ । ଜଳ ନିଷ୍କାସନ ପରେ ଅଞ୍ଚଳଗୁଡ଼ିକୁ ସଫା ରଖିବା ସହ ପରିମଳ ବ୍ୟବସ୍ଥାରେ ଯେପରି କୌଣସି ଅବହେଳା ନହୁଏ, ସେଥିପ୍ରତି ନିୟୋଜିତ ଅଧିକାରୀ ଓ ଟିମ୍‌ ନଜର ରଖିବେ । ବନ୍ୟା ପରେ ଦେଖାଦେଉଥିବା ଜଳବାହିତ ରୋଗ ଓ ଅସ୍ୱାସ୍ଥ୍ୟକର ପରିବେଶର ଆଶଙ୍କାକୁ ହ୍ରାସ କରିବା ସହ ପ୍ରଭାବିତ ଅଞ୍ଚଳରେ ସ୍ୱଚ୍ଛତା ବଜାୟ ରଖିବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ ।

By Nirvay

Leave a Reply

Your email address will not be published. Required fields are marked *