ଦିନକୁ ଦିନ ବଢ଼ୁଛି ପରିବା ଦର। ଗ୍ରାହକଙ୍କ ପକେଟକୁ ବାଧୁଛି ଦର। ସ୍ୱାଭାବିକ ଥିବା ଦର ଏବେ ବହୁମାତ୍ରାରେ ବୃଦ୍ଧିପାଇଛି ଯାହାକୁ ନେଇ ଚିନ୍ତାରେ ଖାଉଟି। ଅମଳ ସମୟରେ ଆକାଶଛୁଆଁ ପରିବା ଦର। ଯେଉଁ ପରିବା କିଣିଲେ କିଲୋପ୍ରତି ୪୦ ଟଙ୍କାରୁ କମ ନାହିଁ। ସ୍ଥିତି ଏମିତି ହୋଇଛି ଯେ, ଜଣେ ସାଧାରଣ ଲୋକ ପକ୍ଷେ ପରିବା କିଣିବା କଷ୍ଟକର ହୋଇପଡିଲାଣି। ଯେଉଁ ପରିବା ଦର ଗତ ମାସ ସୁଦ୍ଧା ସ୍ୱାଭାବିକ ରହିଥିଲା, ତାହା ଏବେ ବୃଦ୍ଧି ପାଇଛି। ଅନେକ ପରିବା ଦର କିଲୋପ୍ରତି ୧୦ରୁ ୨୦ ଟଙ୍କା ବୃଦ୍ଧି ପାଇଥିବା ବେଳେ ବିନ୍ସ ଦର କିଲୋପ୍ରତି ୧୮୦ ଟଙ୍କାରେ ପହଞ୍ଚିଛି ଯାହାକି ଖାଉଟିଙ୍କ ପାଇଁ ବଡ଼ ଚିନ୍ତାର କାରଣ ପାଲଟିଛି। ଅନ୍ୟପଟେ ବ୍ୟବସାୟୀ ସଂଘ କହିଛି ଖରା ପାଗ ପାଇଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ମୌସୁମୀ ବର୍ଷା ହେଲେ ପରିବା ଦର କମିବ।

ଆକାଶ ଛୁଆଁ ପରିବା ଦର। ଯେଉଁ ପରିବା ଗତ ମାସରେ ସ୍ୱାଭାବିକ ଥିଲା ଏବେ ହଠାତ ବୃଦ୍ଧି ପାଇଛି । ଗତ କିଛି ଦିନ ପୂର୍ବେ କାଙ୍କଡ଼ କିଲୋପ୍ରତି ୬୦ ଟଙ୍କାରେ ବିକ୍ରୟ ହେଉଥିଲା ତାହା ଏବେ ୭୦ରୁ ୮୦ ଟଙ୍କାରେ ବିକ୍ରି ହେଉଛି। ପୋଟଳ ବି ୪୦ ଟଙ୍କାରେ ବିକ୍ରୟ ହେଉଥିଲା ଏବେ ତାହା ୮୦ ଟଙ୍କାରେ ବିକ୍ରୟ ହେଉଛି । ଟମାଟୋ ମଧ୍ୟ ୩୦ରୁ ୪୦ରେ ବିକ୍ରୟ ହେଉଥିଲା ଏବେ ୫୦ରୁ ୬୦ ଟଙ୍କା ହୋଇଯାଇଛି। ସେହିପରି କଲରା ୪୦ରେ ବିକ୍ରୟ ହେଉଥିଲା ଏବେ ୬୦ରୁ ୮୦ ଟଙ୍କାରେ ବିକ୍ରୟ ହେଉଛି। ଭେଣ୍ଡି କିଲୋ ୩୦ ଟଙ୍କାରେ ବିକ୍ରି ହେଉଥିଲା ଏବେ ତାହା କିଲୋ ପ୍ରତି ୬୦ ଟଙ୍କାରେ ପହଞ୍ଚିଛି ।

ସେପଟେ ଜହ୍ନି ୩୦ ଟଙ୍କାରୁ ୫୦ ଟଙ୍କା ବୃଦ୍ଧି ପାଇଥିବା ବେଳେ କ୍ୟାପିସିକମ ୮୦ ଟଙ୍କାରୁ ୧୨୦ଟଙ୍କା, ସଜନା ଛୁଇଁ ୫୦ରୁ ୭୦ ଟଙ୍କା, ଅମୃତ ଭଣ୍ଡା ୨୦ ଟଙ୍କାରୁ ୩୦ ଟଙ୍କା, ବନ୍ଧା କୋବି ୨୫ ଟଙ୍କାରୁ ୪୦ ଟଙ୍କା, ଫୁଲକୋବି ଗୋଟା ୫୦ ଟଙ୍କା, ସାରୁ କିଲୋ ୫୦ ଟଙ୍କା ବୃଦ୍ଧି ପାଇଛି । ଯାହାକୁ ନେଇ ତୀବ୍ର ଅସନ୍ତୋଷ ଜାହିର କରିଛନ୍ତି ଗ୍ରାହକ। ପୂର୍ବରୁ ୨୦୦ରୁ ୩୦୦ ଟଙ୍କାରେ ବ୍ୟାଗ ଭର୍ତ୍ତି ହୋଇ ଯାଉଥିଲା ଏବେ ୫୦୦ ଟଙ୍କାରେ ବି ବ୍ୟାଗ ଭର୍ତ୍ତି ହେଉନାହିଁ। ସେହିପରି ବ୍ୟବସାୟୀମାନେ ମଧ୍ୟ ଏହାଦ୍ୱାରା ପ୍ରଭାବିତ ହେଉଛନ୍ତି। କାରଣ ଖାଉଟିମାନେ ଏକ କିଲୋ ବଦଳରେ ଅଢେଇଶହ ୫ ଶହ ଗ୍ରାମର ପରିବା ନେଉଛନ୍ତି। ଫଳରେ ପରିବା ବ୍ୟବସାୟ ପ୍ରଭାବିତ ହେଉଥିବା ବ୍ୟବସାୟୀ କହିଛନ୍ତି ।

ଅନ୍ୟପଟେ ପନିପରିବା ଦର ବୃଦ୍ଧି ପାଇଁ ପାଣିପାଗକୁ ଦାୟୀ କରିଛି କଟକ ଛତ୍ରବଜାର ବ୍ୟବସାୟୀ ସଂଘ। ଅତ୍ୟଧିକ ରୌଦ୍ରତାପର ସିଧାସଳଖ ପ୍ରଭାବ ରାଜ୍ୟର ପରିବା ଚାଷ ଉପରେ ପଡିଛି। ରାଜ୍ୟରେ ପରିବା ଉତ୍ପାଦନ ଏକ ପ୍ରକାର ବନ୍ଦ ହୋଇଯିବା ଏବଂ ରାଜ୍ୟ ବାହାରର ମଣ୍ଡିରେ ପରିବା ଦର ବୃଦ୍ଧି ପାଇବା ଯୋଗୁଁ ପନିପରିବାର ଦର ବୃଦ୍ଧି ଘଟିଥିବା କହିଛନ୍ତି ବ୍ୟବସାୟୀ। ତେବେ ମୈାସୁମୀ ଯୋଗୁଁ ଭଲ ବର୍ଷା ହେଲେ ରାଜ୍ୟରେ ପରିବା ଉତ୍ପାଦନର ମାତ୍ରା ବଢିବ। ନଚେତ ପରିବା ଦର କମିବାର ଆଶା ନାହିଁ।

Leave a Reply

Your email address will not be published. Required fields are marked *