Tragic Accident in Madhya Pradesh: 8 Odia Tourists Killed
ମଧ୍ୟପ୍ରଦେଶର ଅଗର ମାଲୱା ଜିଲ୍ଲା ନଲଖେଡ଼ା ଅଞ୍ଚଳରେ ଏକ ଦୁଃଖଦ ଅଘଟଣରେ ୭ ଜଣ ଓଡ଼ିଆ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି । ଝରଣାରେ ବଢ଼ି ପାଣି ଆସିଥିବା ସମୟରେ ଏକ କାର୍‌ ଭାସିଯିବାରୁ ଏହି ଅଘଟଣ ଘଟିଥିବା ଜଣାପଡ଼ିଛି । 
 
ମୃତକମାନେ ଭୁବନେଶ୍ୱର ଜୟଦେବ ବିହାର ଅଞ୍ଚଳର ବୋଲି ସୂଚନା ମିଳିଛି। ଗୋଟିଏ ପରିବାରର ପୁଅ, ନାତି ଓ ନାତୁଣୀଙ୍କ ସମେତ ଝିଅ, ଜ୍ୱାଇଁ ଓ ନାତୁଣୀଙ୍କ ମୃତ୍ୟୁ ହୋଇଛି । ଏଥିସହ ଆଉ ଜଣେ ଅବିବାହିତ ଝିଅ ମଧ୍ୟ ଏହି ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ତାଙ୍କର ଆଉ କିଛି ଦିନ ପରେ ରିଙ୍ଗ୍‌ ସେରିମନି ହେବାର ଥିଲା ।
 
ସୂଚନା ଅନୁଯାୟୀ, ପରିବାର ସଦସ୍ୟ ଓ ବନ୍ଧୁବାନ୍ଧବମାନେ ବୁଲିବା ପାଇଁ ମଧ୍ୟପ୍ରଦେଶ ଯାଇଥିଲେ । ଉଜ୍ଜୟିନୀରୁ ବଗଳାମୁଖୀ ମନ୍ଦିର ଦର୍ଶନ ପାଇଁ କାର୍‌ ଯୋଗେ ଯାଉଥିବା ବେଳେ ନଲଖେଡ଼ା ଅଞ୍ଚଳର ଏକ ଝରଣାରେ ବଢ଼ି ପାଣି ଆସିଥିଲା ।
 
ତାହା ପାର୍‌ ହେବାକୁ ଡ୍ରାଇଭର ଉଦ୍ୟମ କରିବାରୁ କାର୍‌ଟି ପାଣିରେ ଭାସିଯାଇଥିବା ପ୍ରାଥମିକ ସୂଚନା ରହିଛି । କାର୍‌ରେ ଥିବା ସମସ୍ତ ୮ ଜଣ ଓଡ଼ିଆ ପର୍ଯ୍ୟଟକ ଜଳସ୍ରୋତରେ ଭାସିଯାଇ ପ୍ରାଣ ହରାଇଛନ୍ତି ।
 
ମଧ୍ୟପ୍ରଦେଶରେ ଘଟିଥିବା ଦୁଃଖଦ ଦୁର୍ଘଟଣାରେ ୭ ଜଣ ଓଡ଼ିଆ ପର୍ଯ୍ୟଟକଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକବ୍ୟକ୍ତ କରିଛନ୍ତି । ମୃତକଙ୍କ ପରିବାରବର୍ଗଙ୍କ ପ୍ରତି ସେ ଗଭୀର ସମବେଦନା ଜଣାଇବା ସହ ଦିବଙ୍ଗତ ଆତ୍ମାଙ୍କ ସଦ୍‌ଗତି କାମନା କରିଛନ୍ତି ।
 
ଏହି ଦୁଃଖଦ ସମୟରେ ରାଜ୍ୟ ସରକାର ଶୋକସନ୍ତପ୍ତ ପରିବାର ସହ ଦୃଢ଼ ଭାବେ ଠିଆ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ମୃତଦେହଗୁଡ଼ିକୁ ସମ୍ମାନର ସହ ଶୀଘ୍ର ଓଡ଼ିଶା ଫେରାଇ ଆଣିବା ପାଇଁ ମଧ୍ୟପ୍ରଦେଶ ସରକାର ଓ ସ୍ଥାନୀୟ ପ୍ରଶାସନ ସହ ସମନ୍ୱୟ କରି ସମସ୍ତ ଆବଶ୍ୟକ ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

By Nirvay

Leave a Reply

Your email address will not be published. Required fields are marked *