ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଓଡ଼ିଶା ଗସ୍ତକୁ ଦୃଷ୍ଟିରେ ରଖି ରାଜଧାନୀ ଭୁବନେଶ୍ୱରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବା ସହ ଟ୍ରାଫିକ୍ କଟକଣା ଜାରି କରାଯାଇଛି। କମିଶନରେଟ୍ ପୋଲିସ୍ ପକ୍ଷରୁ ସାଧାରଣ ଜନତାଙ୍କ ଯାତାୟତ ପାଇଁ ଏକ ସ୍ୱତନ୍ତ୍ର ଆଡଭାଇଜରୀ ଜାରି କରାଯାଇଛି। ପ୍ରଧାନମନ୍ତ୍ରୀ ଏହି ଗସ୍ତ ସମୟରେ ଖୋର୍ଦ୍ଧା ଜିଲ୍ଲାର ଜଟଣୀ ନିକଟସ୍ଥ ଇନଫୋଭ୍ୟାଲି-୨ ଠାରେ ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)ର ଏକ ଅତ୍ୟାଧୁନିକ ଡାଟା ସେଣ୍ଟରର ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି। କମିଶନରେଟ୍ ପୋଲିସର ସୂଚନା ଅନୁଯାୟୀ, VVIP ଏବଂ VIP ମାନଙ୍କର ସୁରକ୍ଷା ତଥା ସାଧାରଣ ଜନତାଙ୍କ ଯାତାୟାତକୁ ସୁଗମ କରିବା ପାଇଁ ରବିବାର ଦିନ ସନ୍ଧ୍ୟା ୫:୪୦ ରୁ ୬:୪୦ ମଧ୍ୟରେ ରାଜଧାନୀର ପ୍ରମୁଖ ରାସ୍ତାଗୁଡ଼ିକରେ ଯାନବାହାନ ଚଳାଚଳ ଉପରେ କଟକଣା ରହିବ। ଆର.ବି.ଆଇ ଡାଟା ସେଣ୍ଟରରୁ ଆରମ୍ଭ କରି ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦର ପର୍ଯ୍ୟନ୍ତ ନିର୍ଦ୍ଦିଷ୍ଟ ରୁଟ୍ରେ ଏହି କଟକଣା କାର୍ଯ୍ୟକାରୀ ହେବ। ଏହି ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଇନଫୋଭ୍ୟାଲି ଛକ, ତାଳଖେତା ଛକ, ବଟଭୁଆସୁଣୀ ଛକ, ଜୟଦେବ ବିହାର ଛକ, ବେହେରା ସାହି ଛକ, ଶାସ୍ତ୍ରୀନଗର ଛକ, ୧୨୦ ବାଟାଲିୟନ ଛକ, ପାୱାର ହାଉସ୍ ଛକ, ଲୋକ ଭବନ ଗୋଲେଇ, ଏ.ଜି. ଛକ, ହସପିଟାଲ୍ ଛକ ଏବଂ ସୂର କମ୍ପାନୀ ଛକ ଦେଇ ଯାତ୍ରା ନ କରିବାକୁ ଯାତ୍ରୀମାନଙ୍କୁ ପରାମର୍ଶ ଦିଆଯାଇଛି। ତେବେ ଜନସାଧାରଣଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଆମ୍ବୁଲାନ୍ସ, ଅଗ୍ନିଶମ ଗାଡ଼ି ଏବଂ ପୋଲିସ ଭଳି ଜରୁରୀକାଳୀନ ସେବା ଯାନଗୁଡ଼ିକୁ ଏହି କଟକଣାରୁ ମୁକ୍ତ ରଖାଯାଇଛି। କମିଶନର ଅଫ୍ ପୋଲିସ ଡଃ ସୁରେଶ ଦେବ ଦତ୍ତ ସିଂହ ସାଧାରଣ ଜନତାଙ୍କୁ ସହଯୋଗ କରିବାକୁ ଏବଂ ଆଗୁଆ ଯାତ୍ରା ପ୍ଲାନ୍ କରି ବିକଳ୍ପ ରାସ୍ତା ବ୍ୟବହାର କରିବାକୁ ଅନୁରୋଧ କରିଛନ୍ତି। ଓଡ଼ିଶା ଅର୍ବନ୍ ପୋଲିସ ଆକ୍ଟ-୨୦୦୩ ଏବଂ କମିଶନରେଟ୍ ପୋଲିସର ରେଗୁଲେସନ୍-୨୦୦୮ ଅଧୀନରେ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି। ପ୍ରାୟ ୧୬୯ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ନୂତନ ଆର.ବି.ଆଇ ଡାଟା ସେଣ୍ଟର ଦ୍ୱାରା ଦେଶର କେନ୍ଦ୍ରୀୟ ବ୍ୟାଙ୍କର ଡାଟା ପରିଚାଳନା, ସାଇବର ସୁରକ୍ଷା ଏବଂ ବିପର୍ଯ୍ୟୟ ପରିଚାଳନା କ୍ଷମତା ଅଧିକ ମଜବୁତ ହେବ ବୋଲି ଆଶା କରାଯାଉଛି। Post navigation Congress Appoints War Room Chairpersons: ବିଧାନସଭା ନିର୍ବାଚନ ପାଇଁ ୫ ରାଜ୍ୟରେ ୱାର ରୁମ୍ ଅଧ୍ଯକ୍ଷ ନିଯୁକ୍ତ କଲା କଂଗ୍ରେସ