ଭୁବନେଶ୍ୱର; ବଦଳିଲା ପାଗ । ଅସହ୍ୟ ଖରା ଓ ତାତିରୁ ମିଳିଲା ଆଶ୍ୱସ୍ତି । ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ମେଘୁଆ ପାଗ ସହ ବର୍ଷା ହେଉଛି । କିଛି ସ୍ଥାନରେ ପ୍ରବଳ ପବନ ସାଙ୍ଗକୁ କୁଆପଥର ମାଡ଼ ସହ ବର୍ଷା ହୋଇଛି । ନୟାଗଡ଼, ପୁରୀ ଓ ଗଞ୍ଜାମ ଜିଲ୍ଲାରେ କାଳବୈଶାଖୀ ଜନିତ ବର୍ଷା ହେଉଛି । ବିଶେଷ କରି ଟ୍ୱିନ୍‌ସିଟିରେ କଳା ବାଦଲରେ ଘୋଟି ଆସିଥିଲା । ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ୩ ଘଣ୍ଟାରେ ୪ ଜିଲାରେ ପ୍ରବଳ ବର୍ଷିବା ନେଇ ପୂର୍ବାନୁମାନ କରା ଯାଇଥିଲା । ବିଜୁଳି ଘଡଘଡି ସହ ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ସୋମବାର ସତର୍କ ସୂଚନା ଜାରି କରାଯାଇଥିଲା ।
ଆସନ୍ତାକାଲି ପାଇଁ ଗଞ୍ଜାମ, ଗଜପତି, ନୟାଗଡ଼, କେଉଁଝର, ମୟୂରଭଞ୍ଜ, ଏବଂ ବାଲେଶ୍ୱରକୁ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ସେହିପରି ୮ ଏବଂ ୯ ତାରିଖରେ ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଆଗାମୀ ୪ ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ୯ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ଝଡ ତୋଫାନ ସହ ବର୍ଷା ସମ୍ଭାବନା ରହିଛି। ୭ ତାରିଖରୁ ବଢିବ ବର୍ଷା । ୭ ଓ ୮ ତାରିଖରେ ଅଧିକ ରହିବ ବର୍ଷାର ପରିମାଣ । ବିଜୁଳି ଘଡ଼ଘଡ଼ି ସହ ବର୍ଷା ପବନ ନେଇ ଆଜି ପାଇଁ ୬ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ ।
ମଙ୍ଗଳବାର ପାଇଁ ୨୦ଟି ଜିଲ୍ଲାରେ ବର୍ଷା ଆଲର୍ଟ ଜାରି କରାଯାଇଥିଲା । ଏହି ୨୦ଟି ଜିଲ୍ଲା ମଧ୍ୟରୁ ଅେନକ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଥିଲା । କୋରାପୁଟ, ରାୟଗଡ଼ା, ଗଞ୍ଜାମ, ନବରଙ୍ଗପୁର, କଳାହାଣ୍ଡି, ଗଜପତି, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କଟକ, ଢେଙ୍କାନାଳ, ଅନୁଗୁଳ, କେନ୍ଦ୍ରାପଡ଼ା, ଯାଜପୁର, କେନ୍ଦୁଝର, ଭଦ୍ରକ, ବାଲେଶ୍ୱର ଏବଂ ମୟୁରଭଞ୍ଜରେ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଥିଲା ।

By SonaliP

Leave a Reply

Your email address will not be published. Required fields are marked *