ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାର ସମସ୍ତ ପ୍ରସ୍ତୁତି କରୁଛନ୍ତି । ଏଥିପାଇଁ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ୍ କରାଯାଇଛି । ଛୁଟିରେ ଥିବା ଅଧିକାରୀମାନଙ୍କୁ ତୁରନ୍ତ କାର୍ଯ୍ୟରେ ଯୋଗଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଶନିବାର ଛୁଟି ଥିଲେ ମଧ୍ୟ ସମସ୍ତ ଅଧିକାରୀ ପ୍ରସ୍ତୁତି ବୈଠକ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି । ମନ୍ତ୍ରୀଙ୍କ ସୂଚନା ଅନୁସାରେ, ଆସନ୍ତା ୨୬ ତାରିଖରୁ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି । ୨୭ ତାରିଖ ପାଇଁ ପୁରୀ, ଗଞ୍ଜାମ ଓ ଗଜପତି ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି । ଅବପାତ କେଉଁଠି ସ୍ଥଳଭାଗ ଛୁଇଁବ, ସେ ନେଇ ଭାରତୀୟ ପାଣିପାଗ ବିଭାଗ (IMD) ଏପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ଦେଇନାହିଁ । ତେବେ ପ୍ରାଥମିକ ଆକଳନ ଅନୁସାରେ, ଏହା କାକିନାଡ଼ା ଓ ଗୋପାଳପୁର ମଧ୍ୟବର୍ତ୍ତୀ ଅଞ୍ଚଳ ଦେଇ ଅତିକ୍ରମ କରିପାରେ । ଏହା ଓଡ଼ିଶା ଅତିକ୍ରମ କରି ଛତିଶଗଡ଼ ଦେଇ ଝାଡ଼ଖଣ୍ଡ ଆଡ଼କୁ ଯିବାର ଆକଳନ କରାଯାଉଛି । ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ରିଲିଫ୍ ସାମଗ୍ରୀ ଓ ବାତ୍ୟା ଆଶ୍ରୟସ୍ଥଳଗୁଡ଼ିକୁ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଶନିବାର ସକାଳ ସୁଦ୍ଧା ସମସ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ରରୁ ଫେରି ଆସିବାକୁ କୁହାଯାଇଛି । ଏଥିସହ ଓଡ୍ରାଫ୍ ଓ ଏନ୍ଡିଆର୍ଏଫ୍ (NDRF) ଟିମ୍କୁ ମଧ୍ୟ ସଜାଗ ରଖାଯାଇଛି । ରାଜ୍ୟ ସରକାର ବାତ୍ୟାର ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ତେଣୁ ଲୋକମାନେ ଆଦୌ ବିଚଳିତ ନହୋଇ ସତର୍କ ରହିବାକୁ ରାଜସ୍ୱ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି । Post navigation Odisha to Get ₹54,000 Crore Investment: ଓଡ଼ିଶାକୁ ଆସିବ ୫୪ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ Jaleswar Minor’s Rape and Murder Case: ନାବାଳିକା ଧର୍ଷଣ ଓ ହତ୍ୟା ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କଲା କଂଗ୍ରେସ