ଜଗତର ନାଥ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ପାଇଁ ଶ୍ରୀମନ୍ଦିରର ସିଂହଦ୍ୱାର ଆଗରେ ଦଣ୍ଡାୟମାନ ସୁସଜ୍ଜିତ ତିନି ରଥ। ଭାଇଭଉଣୀଙ୍କୁ ସାଙ୍ଗରେ ନେଇ ଜନ୍ମବେଦିକୁ ନବଦିନାତ୍ମକ ଯାତ୍ରା କରିବେ। ଭକ୍ତଜନଙ୍କୁ ଉଦ୍ଧାରିବା ପାଇଁ ରତ୍ନଦେବି ଛାଡ଼ି ବଡ଼ଦାଣ୍ଡକୁ ଓହ୍ଲାଇ ଆସିବେ ବିଶ୍ବନିୟନ୍ତା। ରଥାରୂଢ଼ ହୋଇ ଶ୍ରଦ୍ଧାଳୁଙ୍କୁ ଆଶୀର୍ବାଦ କରିବେ ଭାବବିନୋଦିଆ କଳାଠାକୁର। ବଡ଼ଦାଣ୍ଡରେ ଭକ୍ତ-ଭଗବାନଙ୍କର ହେବ ଅପୂର୍ବ ମିଳନ। ଏଥିପାଇଁ ଆସିବା ବାଟକୁ ଅନାଇ ରହିଛନ୍ତି ଅଗଣିତ ଭକ୍ତ।

ସ୍ବାଗତ ପାଇଁ ପ୍ରସ୍ତୁତ ହୋଇ ସାରିଛନ୍ତି ରଥ-ପଥ-ଭକ୍ତ। ଅପରପକ୍ଷେ ୫୩ ବର୍ଷ ପରେ ଚଳିତ ବର୍ଷ ବିରଳ ରଥଯାତ୍ରା ଦେଖିବାକୁ ଅକୁଣ୍ଠ ଚିତରେ ଚାହିଁ ରହିଛନ୍ତି ଭକ୍ତ। ୧୫ ଦିନ ଅଣସର ବଦଳରେ ୧୩ ଦିନ ଅଣସର ନୀତି ଥିବାରୁ ଗୋଟିଏ ଦିନରେ ଅନୁଷ୍ଠିତ ହେବ ନେତ୍ରୋତ୍ସବ, ନବଯୌବନ ଦର୍ଶନ ଓ ଶ୍ରୀଗୁଣ୍ଡିଚା ଯାତ୍ରା। ଦୁଇଦିନ ଧରି ଭକ୍ତ ଦେଖିବେ ବିରଳ ରଥଯାତ୍ରା।

ସ୍ବତନ୍ତ୍ର ନୀତି ଚୂଡ଼ାନ୍ତ ହୋଇଛି। ରବିବାର ଅପରାହ୍ଣ ୧ଟାରେ ତିନି ଠାକୁରଙ୍କ ପହଣ୍ଡି ଆରମ୍ଭ ହେବ। ପହଣ୍ଡି ଶେଷ ପରେ ଗଜପତି ମହାରାଜଙ୍କ ଛେରାପହଁରା ନୀତି ସଂପନ୍ନ ହେବ। ଅପରାହ୍ଣ ୫ଟାରେ ରଥଟଣା ଆରମ୍ଭ ହେବ। ନୀତିକାନ୍ତି ଅଧିକ ଥିବାରୁ ରବିବାର କେବଳ ପ୍ରତୀକାତ୍ମକ ଭାବେ ରଥଟଣା ହେବ। ପରଦିନ ଅର୍ଥାତ୍‌ ୮ ତାରିଖରେ ତିନି ରଥ ଶ୍ରୀଗୁଣ୍ଡିଚା ମନ୍ଦିରଠାରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି। ସମୟ ଅଭାବରୁ ଶ୍ରୀଗୁଣ୍ଡିଚା ଯାତ୍ରା ନୀତିକାନ୍ତି ବିଳମ୍ବିତ ରାତିରୁ ଆରମ୍ଭ ହୋଇଛି।

Leave a Reply

Your email address will not be published. Required fields are marked *