୨୦୨୫କୁ ନେଇ କିଏ କେତେ ପ୍ରକାର କରି ସାରିଲେଣି ଭବିଷ୍ୟବାଣୀ। ଅନେକ ଜ୍ୟୋତିଷ ଭବିଷ୍ୟବାଣୀ କରୁଛନ୍ତି ଯେ ୨୦୨୫ ସମସ୍ତଙ୍କ ପାଇଁ ଆଶଙ୍କାର ବର୍ଷ ହେବ । ନାଷ୍ଟ୍ରେଦମସ ୨୦୨୫ ପାଇଁ କିଛି ସାଂଘାତିକ ଭବିଷ୍ୟବାଣୀ ଅନେକ ପୂର୍ବରୁ କରିସାରିଛନ୍ତି । ଏହା ଏକ ଧ୍ବଂସର ବର୍ଷ ହେବ ବୋଲି କହିଥିଲେ ସେ । ଯେଉଁଭଳି ମଧ୍ୟପ୍ରାଚ୍ୟ ଏବଂ ପାକିସ୍ତାନ ଓ ଆଫ୍‌ଗାନିସ୍ତାନ ମଧ୍ୟରେ ସଂଘର୍ଷ ଲାଗିଲାଣି, ମନେହୁଏ ନାଷ୍ଟ୍ରଦମସଙ୍କ ଭବିଷ୍ୟବାଣୀ ସତ ହୋଇଯାଇପାରେ । ତାଙ୍କର ଆଉ ଏକ ଭୟ ସୃଷ୍ଟିକାରୀ ଭବିଷ୍ୟବାଣୀ ଥିଲା ଯେ ୨୦୨୫ରେ ବିଶ୍ଵ ଅର୍ଥ ବ୍ୟବସ୍ଥା ବିଗିଡ଼ିଯିବ । ଭାରତ ଏକ ମଧ୍ୟମଶ୍ରେଣୀ ଜନ ବହୁଳ ଦେଶ। ଦେଶର ଅର୍ଥନୀତି ପ୍ରଭାବିତ ହେବା ଅର୍ଥ ମଧ୍ୟମ ଶ୍ରେଣୀ ବର୍ଗ ଉପରେ ସବୁଠୁ ବେଶୀ ଚଡ଼କ ପଡ଼ିବ । ମୋଦୀ ସରକାରଙ୍କର କିଛି ନୀତି ମଧ୍ଯମବର୍ଗଙ୍କୁ ଅସନ୍ତୁଷ୍ଟ କରୁଛି । ଯଦିଓ ଦେଶର ଅର୍ଥ ବ୍ୟବସ୍ଥା ବେଶ ମଜଭୁତ ଅଛି, କିନ୍ତୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅର୍ଥନୀତି ଲଗାମଛଡା଼ କରିଦେଇପାରେ ଦେଶର ମଧ୍ଯମବର୍ଗଙ୍କୁ ।

ଜର୍ଜ ସୋରୋସ ଏବଂ ଅନ୍ୟ ଭାରତ ବିରୋଧୀ ଗୋଷ୍ଠୀ ଏହାହିଁ ଚାହାନ୍ତି । ଭାରତୀୟ ଜନତା ପାର୍ଟିର ଭୋଟ ବ୍ୟାଙ୍କ ହେଉଛନ୍ତି ଏହି ମଧ୍ଯମବର୍ଗ । କିନ୍ତୁ କେତେକାଳ ସେମାନେ ଦରଦାମ ଛାଟ ସହିପାରିବେ ? ସେମାନଙ୍କ ଧୈର୍ଯ୍ୟ ସହିତ ମୋଦୀ ସରକାର ନଖେଳିଲେ ଭଲ। ଭାରତ ବିରୋଧୀ ବିଦେଶୀ ଶକ୍ତି ରାହୁଲ ଗାନ୍ଧୀଙ୍କ ମାର୍ଫିତରେ ହିନ୍ଦୁ ସମାଜକୁ ଭାଙ୍ଗିବା ପାଇଁ ଚେଷ୍ଟା କରି ନିରାଶ ହୋଇସାରିଛନ୍ତି । ଜାତିଗତ ଜନଗଣନା ପାଇଁ ରାହୁଲଙ୍କ ଜିବ୍ କାମ ଦେଇନାହିଁ । ଆଦାନୀ ବିରୋଧୀ ସ୍ଲୋଗାନ ମଧ୍ୟ କାମ ଦେବ ନାହିଁ । ଏହି କାରଣରୁ ଦେଶର ମଧ୍ୟମ ବର୍ଗ ଙ୍କ ଅସନ୍ତୋଷକୁ ଅସ୍ତ୍ର ରୂପେ ବ୍ୟବହାର କରିବାକୁ ଚାହିଁବେ ସୋରୋସମାନେ। ଏହାକୁ ମୋଦୀ ସରକାର ହାଲୁକା ଭାବେ ନନେଲେ ଭଲ।

କେନ୍ଦ୍ରରେ ଏନ୍‌ଡିଏ ସଶକ୍ତ ନୁହେଁ । ବିରୋଧୀ ଦଳ ପୂର୍ବ ତୁଳନାରେ ଶକ୍ତିଶାଳୀ। ମୋଦୀଙ୍କ ଭାଗ୍ୟକୁ ହରିୟାଣା ଓ ମହାରାଷ୍ଟ୍ରର ନିର୍ବାଚନ ଫଳ ବିପକ୍ଷଙ୍କ ବିରୋଧରେ ଯାଇଛି । କିନ୍ତୁ କଂଗ୍ରେସ ସବୁବେଳେ ମଉକା ଖୋଜୁଛି । ବାରମ୍ବାର କଂଗ୍ରେସର ଅସ୍ତ୍ର ବିଫଳ ହେଉଥ‌ିବାରୁ ମଧ୍ୟମବର୍ଗଙ୍କୁ ଏହି ଦଳ ଆୟୁଦ୍ଧ କରିବାକୁ ଚେଷ୍ଟା କରିବ ।

ଏ ସୁଯୋଗ ମୋଦୀ ସରକାର ଦେବେ କି ? ଭୋଟ ପାଇଁ ଜନତାଙ୍କୁ ମାଗଣା ନିଶାରେ ପକାଉଛନ୍ତି ରାଜନୈତିକ ଦଳଗୁଡ଼ିକ । ମହିଳା ଭୋଟରଙ୍କୁ ଆକୃଷ୍ଟ କରିବା ନିମନ୍ତେ ପ୍ରତିଯୋଗିତା କରୁଛନ୍ତି ସେମାନେ । ଛତିଶଗଡ଼ ପରେ ଓଡ଼ିଶା ଏବଂ ମହାରାଷ୍ଟ୍ରରେ ଭାଜପାର ମହିଳା କାର୍ଡ଼ ଫାଇଦା ଦେଇସାରିଛି । ଏବେ ଯୁବ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଆରମ୍ଭ ହେବ ପ୍ରତିଯୋଗିତା । କିନ୍ତୁ ମଧ୍ୟମବର୍ଗଙ୍କ ଉପରେ ସବୁ ଦଳର ରାଗ କାହିଁକି ? ସବୁ ଆନ୍ଦୋଳନ ସଫଳ ହେବା ମୂଳରେ ମଧ୍ୟମ ବର୍ଗ ହିଁ ବଡ଼ ଭୂମିକା ଗ୍ରହଣ କରିଥାନ୍ତି । ଏକଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯେ ଅବଗତ ନଥିବେ, ତାହା ନୁହେଁ। ଏବେ ବଜେଟ ପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଗଲାଣି । ବିଚାରବିମର୍ଶ ଚାଲିଛି । ଦେଶର ବିକାଶରେ ମଧ୍ୟମ ବର୍ଗଙ୍କ ଅବଦାନ କିଛି କମ ନୁହେଁ । ତେଣୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଗାମୀ ବଜେଟ୍‌ରେ ଯେମିତି ନିରାଶ ନକରନ୍ତି ମଧ୍ୟମ ବର୍ଗଙ୍କୁ । ମଧ୍ୟମ ବର୍ଗଙ୍କ ଅସନ୍ତୋଷ ସହିବାର ସୀମା ଯଦି ଟପେ ତେବେ ବିଭିନ୍ନ ରାଜ୍ୟରେ ଏକ ବଡ଼ ଆନ୍ଦୋଳନ ମୁଣ୍ଡ ଟେକିବା ଆଶଙ୍କାକୁ କଦାପି ଏଡ଼ାଇ ଦିଆଯାଇ ପାରିବ ନାହିଁ । ଗରିବଙ୍କ ନାମରେ ଭୋଟ ଅଛି। ତେଣୁ ସେମାନଙ୍କୁ ମାଗଣାରେ କିଛି ଦେଇ ସନ୍ତୁଷ୍ଟ କରିଆସୁଛନ୍ତି ରାଜନୈତିକ ଦଳଗୁଡ଼ିକ ।

ଧନୀକ ଶ୍ରେଣୀ ସର୍ବଦା ଶାସକ ଦଳ ସହ ରହିବାକୁ ପସନ୍ଦ କରନ୍ତି । ନିର୍ଦ୍ଦିଷ୍ଟ ଆଭିମୁଖ୍ୟ ନଥାଏ। ଯିଏ ସରକାରକୁ ଆସିଲା, ସେମାନେ ତାଙ୍କର । ଏ ପରିସ୍ଥିତିରେ ମଧ୍ଯମ ବର୍ଗଙ୍କୁ ପଚାରେ କିଏ ? କେତେଦିନ ଜାତି, ଧର୍ମ ଏବଂ ଜାତୀୟତାବାଦ ସ୍ଲୋଗାନ ଭିତରେ ମଧ୍ଯମବର୍ଗଙ୍କୁ ବାନ୍ଧି ରଖାଯାଇ ପାରିବ।

ଆସନ୍ତା ବଜେଟ ବିକାଶମୂଖୀ ହେଉ । କିନ୍ତୁ ବିକାଶ ପାଇଁ ମଧ୍ୟମବର୍ଗଙ୍କୁ ବଳି ପକା ନଯାଉ । ରାଷ୍ଟ୍ର ବିକାଶରେ ସେମାନଙ୍କ ଯୋଗଦାନକୁ ଆଖ‌ିରେ ରଖ୍ ମୋଦୀ ସରକାର ଅର୍ଥନୀତି ସଂଚାଳନ ସେହି ଢଙ୍ଗରେ କରନ୍ତୁ । ଜିଏସ୍‌ଟି ନାମରେ ମଧ୍ୟମ ବର୍ଗଙ୍କୁ ଶୋଷଣ କରି ଅର୍ଥନୀତିକୁ ସୁଦୃଢ଼ କରିବାର ମାନେ କିଛି ହୁଏ ନାହିଁ । ଏହା ଦେଶର ରାଜନୀତିର ଚିତ୍ର ବଦଳାଇ ଦେବାକୁ ବେଶି ବିଳମ୍ବ ଲାଗିବ ନାହିଁ । ଏଣୁ ଆଗାମୀ ବଜେଟ ମୋଦୀ ସରକାର ଏବଂ ବିଶେଷକରି ଭାରତୀୟ ଜନତା ପାର୍ଟି ସକାଶେ ଏକ ବଜ୍ର ପରୀକ୍ଷା ହେବାକୁ ଯାଉଛି । ଏବେ ମଧ୍ୟମ ବର୍ଗଙ୍କ ଗୁଞ୍ଜରଣ ଶୁଣାଗଲାଣି। ଏହା ଯେମିତି ବିସ୍ଫୋରଣରେ ପରିଣତ ନହେଉ ।

 

Leave a Reply

Your email address will not be published. Required fields are marked *