ରାଜ୍ୟରେ ପୁଣି ଥରେ କୋଟିଆ ସୀମା ବିବାଦ ପ୍ରସଙ୍ଗ ରାଜନୈତିକ ବାତାବରଣକୁ ସରଗରମ କରିଛି। କୋଟିଆ ପ୍ରସଙ୍ଗରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ସିଧାସଳଖ ଖୋଲା ବିତର୍କ ପାଇଁ ଆହ୍ୱାନ କରିଛନ୍ତି ବରିଷ୍ଠ ବିଜେପି ନେତା ତଥା ମନ୍ତ୍ରୀ ସୁରେଶ ପୂଜାରୀ। କୋଟିଆ ପଞ୍ଚାୟତ ଅନ୍ତର୍ଗତ ଫାଗୁଣସିନେରୀ, ଗଞ୍ଜେଇପଦର ଓ ଫାଟୁସିନେରୀ ପରି ବିବାଦୀୟ ଗ୍ରାମଗୁଡ଼ିକରେ ଆନ୍ଧ୍ରପ୍ରଦେଶ ସରକାର ସ୍ଥାନୀୟ ନିର୍ବାଚନ ସହ ପଞ୍ଚାୟତ ନିର୍ବାଚନ କରିବାକୁ ବିଜ୍ଞପ୍ତି ପ୍ରକାଶ କରିବା ପରେ ଓଡ଼ିଶା ରାଜନୀତିରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ଆନ୍ଧ୍ରର ଏପରି ଏକତରଫା ନିଷ୍ପତ୍ତି ପରେ ବିଜେପି ନେତୃତ୍ୱାଧୀନ ଓଡ଼ିଶା ସରକାର କାହିଁକି ନୀରବ ଅଛନ୍ତି ବୋଲି ସେ ପ୍ରଶ୍ନ ଉଠାଇଛନ୍ତି। କେନ୍ଦ୍ରରେ ଏନଡିଏ ସରକାରଙ୍କ ମୁଖ୍ୟ ସହଯୋଗୀ ଦଳ ତେଲୁଗୁ ଦେଶମ୍ ପାର୍ଟି ଉପରେ ରାଜନୈତିକ ନିର୍ଭରଶୀଳତା ଯୋଗୁଁ ରାଜ୍ୟ ସରକାର କେନ୍ଦ୍ରୀୟ ଚାପ ଆଗରେ ମୁଣ୍ଡ ନୋଇଁଛନ୍ତି କି ବୋଲି ନବୀନ ସନ୍ଦେହ ବ୍ୟକ୍ତ କରିବା ସହ ଡବଲ-ଇଞ୍ଜିନ୍ ସରକାର ଓଡ଼ିଶାର ସ୍ୱାର୍ଥ ରକ୍ଷା ପାଇଁ କେବେ ଦୃଢ଼ ପଦକ୍ଷେପ ନେବେ ବୋଲି ଦାବି କରିଛନ୍ତି। ଏହାପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କୋଟିଆ ପ୍ରସଙ୍ଗରେ ନବୀନ ପଟ୍ଟନାୟକଙ୍କୁ ଲେଖିଥିବା ଚିଠିକୁ ଆଧାର କରି ସୁରେଶ ପୂଜାରୀ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି କ୍ଷମତାରୁ ହଟିବା ପରେ ଯାଇ ନବୀନଙ୍କର କୋଟିଆ କଥା ମନେପଡ଼ିଛି ବୋଲି କଟାକ୍ଷ କରିବା ସହ ସେ ବିଜେଡି ସଭାପତିଙ୍କୁ ଖୋଲା ବିତର୍କ ପାଇଁ ଚ୍ୟାଲେଞ୍ଜ ଦେଇଛନ୍ତି। ନିଜର ୨୪ ବର୍ଷର ଶାସନ କାଳରେ ବିଜେଡି ସରକାର କୋଟିଆ ବିବାଦର ସମାଧାନ ପାଇଁ କ’ଣ କରିଥିଲେ ଏବଂ ବର୍ତ୍ତମାନର ସରକାର କ’ଣ ପଦକ୍ଷେପ ନେଉଛନ୍ତି, ସେ ନେଇ ଆସି ମୁହାଁମୁହିଁ ଆଲୋଚନା କରିବାକୁ ମନ୍ତ୍ରୀ ସୁରେଶ ପୂଜାରୀ ଆହ୍ବାନ ଜଣାଇଛନ୍ତି। ଓଡ଼ିଶା ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ କରି ମନ୍ତ୍ରୀ ପୂଜାରୀ କହିଛନ୍ତି ଯେ ଆନ୍ଧ୍ରପ୍ରଦେଶର କୌଣସି ବି ବେଆଇନ୍ ପଦକ୍ଷେପକୁ ବଳପୂର୍ବକ ରୋକିବା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ। ସୁପ୍ରିମ୍ କୋର୍ଟଙ୍କ ସ୍ଥିତାବସ୍ଥା ଆଦେଶ ବଳବତ୍ତର ଥିବାରୁ ଆନ୍ଧ୍ରର ନିର୍ବାଚନ ପ୍ରକ୍ରିୟା ସମ୍ପୂର୍ଣ୍ଣ ବେଆଇନ୍। ଏହାସହ ଦକ୍ଷିଣାଞ୍ଚଳ ରାଜସ୍ୱ ଆୟୁକ୍ତ ଏବଂ କୋରାପୁଟ ଜିଲ୍ଲାପାଳଙ୍କ ସହ ଉଚ୍ଚସ୍ତରୀୟ ବୈଠକ ସରିଛି ଏବଂ ସୀମାନ୍ତ ଗ୍ରାମଗୁଡ଼ିକ ଯେପରି ଆନ୍ଧ୍ରର ନିର୍ବାଚନରେ ଅଂଶଗ୍ରହଣ ନକରନ୍ତି, ସେଥିପାଇଁ କଡ଼ା ପ୍ରଶାସନିକ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। Post navigation Puri Mother Murder Case: ପୁରୀରେ ମା’ ହତ୍ୟାକାଣ୍ଡ ମାମଲା: ୫୭ ଦିନର ଫେରାର୍ ପୁଅ ଝାଡ଼ଖଣ୍ଡରୁ ଗିରଫ CJP Protest: ଆଶୁତୋଷ ରାଙ୍କା ଓ ସୌରଭ ଦାସଙ୍କ ହାଜତ ମିଆଦ ବୃଦ୍ଧିକୁ ନବୀନଙ୍କ ନାପସନ୍ଦ, ତୁରନ୍ତ ମୁକ୍ତି ଦାବି