ରାଜ୍ୟରେ ଆଦିବାସୀ, ମହିଳା ଓ ଶିଶୁଙ୍କୁ ନ୍ୟାୟ ପ୍ରଦାନ କରିବାରେ ରାଜ୍ୟ ସରକାର ବିଫଳ ବୋଲି ବିଜୁ ଜନତା ଦଳ ତରଫରୁ ଅଭିଯୋଗ କରାଯାଇଛି। ଶଙ୍ଖ ଭବନ ଠାରେ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂଦେଓ ଓ ଦଳର ମୁଖପାତ୍ର ଡଃ ଲେଖାଶ୍ରୀ ସାମନ୍ତସିଂହାର ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଛି ବୋଲି ଅଭିଯୋଗ କରିଛନ୍ତି। କଳିକେଶ ନାରାୟଣ ସିଂଦେଓ କହିଛନ୍ତି, ବଲାଙ୍ଗିର ଜିଲ୍ଲାର ଖପ୍ରାଖୋଲ ଅଞ୍ଚଳରେ ଏକ ଆଦିବାସୀ ମହିଳା ତାର ପିଲାକୁ ବିକ୍ରି କରିଥିବା ଭଳି ଏକ ଅଭାବନୀୟ ଖବର ଆସିଛି, ଯାହା ରାଜ୍ୟ ପାଇଁ ଏକ ଲଜ୍ଜାଜନକ ଘଟଣା। ଏହି ଘଟଣା ରାଜ୍ୟର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କ ନିଜ ନିର୍ବାଚନ ମଣ୍ଡଳୀର ଘଟଣା ହୋଇଥିଲେ ମଧ୍ୟ ରାଜ୍ୟ ସରକାର ନୀରବରେ ବସି ରହିଛନ୍ତି । ରାଜ୍ୟରେ, ଖାଦ୍ୟ ଅଭାବ କାରଣରୁ ଆମ୍ବ ଟାକୁଆ ଜାଉ ଖାଇ କନ୍ଧମାଳ ଜିଲ୍ଲାରେ ୩ ଜଣ ଆଦିବାସୀ ମହିଳାଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣା ସମଗ୍ର ରାଜ୍ୟ ପାଇଁ ଲଜ୍ଜା ଆଣିଥିବା ବେଳେ ରାଜ୍ୟ ସରକାର ଘଟଣାସ୍ଥଳକୁ ନଯାଇ ଆମ୍ବ ଟାକୁଆ ଆଦିବାସୀଙ୍କ ପାରମ୍ପରିକ ଖାଦ୍ୟ ବୋଲି ସମ୍ବେଦନହୀନ ମନ୍ତବ୍ୟ ଦେଇଥିଲେ। ସେହିପରି ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି, ବଲାଙ୍ଗିର ଜିଲ୍ଲାର ବଙ୍ଗୋମୁଣ୍ଡା ଥାନା ଅଞ୍ଚଳରେ ନଭେମ୍ବର ୧୬ ତାରିଖ ଦିନ ଏକ ଆଦିବାସୀ ଯୁବତୀ ଗାଧୋଇ ସାରି ଘରକୁ ଫେରିବା ସମୟରେ ଅଭୟ ବାଗ ନାମକ ଏକ ଯୁବକ ତାଙ୍କୁ ଦୁବ୍ୟବହାର କରିବା ସହିତ ଜାତିଆଣ ଆକ୍ଷେପ କରିଥିଲେ ଓ ତାଙ୍କ ପାଟିରେ ବିଷ୍ଠା ଖୁଆଇ ଦେଇଥିଲେ । ସେହି ସମୟରେ ଯୁବତୀଙ୍କ ବଡ଼ ମା ଘଟଣାସ୍ଥଳରେ ପହଞ୍ଚି ଯୁବକର ଅତ୍ୟାଚାରରୁ ଯୁବତୀଙ୍କୁ ରକ୍ଷା କରିବାକୁ ଚେଷ୍ଟା କରିବାରୁ ଯୁବକ ଜଣକ ତାଙ୍କ ତଣ୍ଟିକୁ ଚିପି ହତ୍ୟା କରିବାକୁ ଉଦ୍ୟମ କରିଥିଲେ। ଏଭଳି ସ୍ପର୍ଶକାତର ଓ ଅମାନବୀୟ ଘଟଣା ଘଟିବାର ଛଅ ଦିନ ବିତି ଯାଇଥିଲେ ମଧ୍ୟ ଅଭିଯୁକ୍ତ ଗିରଫ ହୋଇନାହିଁ। ଏହାସହ ଟିଟିଲାଗଡ଼ ବିଧାୟକଙ୍କ ବିରୋଧରେ ଏକ ଦଳିତ ମହିଳାଙ୍କୁ ଅତ୍ୟାଚାରର ଅଭିଯୋଗ ଆସିଥିଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ। ଏହି ଘଟଣା ଗୁଡିକରୁ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ହୁଗୁଳା ହୋଇଯାଇଥିବା ସ୍ପଷ୍ଟ ହେଉଛି । ରାଜ୍ୟରେ ବିଜେପି ସରକାର ଆସିବା ପରେ ଆଦିବାସୀ, ମହିଳା ଓ ଶିଶୁଙ୍କୁ ସାମାଜିକ ନ୍ୟାୟ ପ୍ରଦାନ କରିବାରେ ସରକାର ବିଫଳ ହୋଇଛନ୍ତି । ଆଇନ କଡାକଡି ଲାଗୁ ନହେବାରୁ, ରାଜ୍ୟରେ ଅପରାଧୀ ମାନଙ୍କ ସାହସ ବଢୁଛି । କେବଳ ପ୍ରତୀକାତ୍ମକ ଭାବେ ଆଦିବାସୀଙ୍କ ସ୍ଵାର୍ଥରକ୍ଷା ନାମରେ ଜଣେ ଆଦିବାସୀଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ବସାଯାଇଛି, କିନ୍ତୁ ଆଦିବାସୀଙ୍କୁ ଶୋଷଣ, ଅତ୍ୟାଚାରର ସମ୍ମୁଖୀନ ହେବାକୁ ପଡୁଛି ଓ ସରକାର ନିଦାବିଷ୍ଣୁ ସାଜି ବସିଛନ୍ତି ବୋଲି ସାମନ୍ତସିଂହାର କହିଛନ୍ତି।। Post navigation ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ଘଟଣା: ୧୦ ଜଣ ଗିରଫ ରାଜ୍ୟ ମହିଳା କମିଶନରଙ୍କ ପଦଚ୍ୟୁତ ମାମଲା ରେ ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନୋଟିସ