ରାଜ୍ୟରେ ମହିଳାମାନଙ୍କ ବିରୁଦ୍ଧରେ ବଢ଼ୁଥିବା ଅପରାଧ ପାଇଁ ଆଜି ବିଜୁ ଜନତା ଦଳ ସାଂସଦ ସସ୍ମିତ ପାତ୍ର ଓଡ଼ିଶାରେ ଭାରତୀୟ ଜନତା ପାର୍ଟି (ବିଜେପି) ସରକାରଙ୍କୁ ସମାଲୋଚନା କରିଛନ୍ତି। ୨୧ ଜୁଲାଇ ଠାରୁ ଆରମ୍ଭ ହେଉଥିବା ସଂସଦ ମୌସୁମୀ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକରେ ଯୋଗ ଦେବା ପରେ, ସସ୍ମିତ ପାତ୍ର ଜାତୀୟ ଗଣମାଧ୍ୟମରେ କହିଛନ୍ତି ଓଡିଶାରେ ପରିସ୍ଥିତି ଅତ୍ୟନ୍ତ ଗମ୍ଭୀର। ମହିଳା ଏବଂ ଝିଅ ପିଲାମାନଙ୍କ ଉପରେ ଲଗାତାର ଆକ୍ରମଣ ହେଉଛି। ଗତ ନଅ ଦିନ ଧରି ଆପଣ ବାଲେଶ୍ୱରରେ ଦେଖିଥିବେ କିପରି ଜଣେ ଯୁବ ଛାତ୍ରୀ ଆତ୍ମହତ୍ୟା କରିଥିଲେ। ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ଯୋଗାଯୋଗ କରିଥିଲେ, ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ମଧ୍ୟ ଯୋଗାଯୋଗ କରିଥିଲେ ଏହା ସହ ତାଙ୍କ ନିର୍ବାଚନମଣ୍ଡଳୀର ବିଜେପି ସାଂସଦଙ୍କୁ ମଧ୍ୟ ଯୋଗାଯୋଗ କରିଥିଲେ। ସମସ୍ତେ ତାଙ୍କଠାରୁ ମୁହଁ ଫେରାଇ ନେଇଥିଲେ। ଶେଷରେ ସେ ଆତ୍ମହତ୍ୟା କରି ମୃତ୍ୟୁବରଣ କରିଥିଲେ। ସସ୍ମିତ ପାତ୍ର କହିଛନ୍ତି ଆଜି ଓଡ଼ିଶା ବିଜେପି ସରକାର ସମ୍ପୂର୍ଣ୍ଣ ଅକ୍ଷମ, ବିଫଳ ଏବଂ ରାଜ୍ୟରେ ଭୁଶୁଡ଼ି ପଡ଼ୁଥିବା ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ତାଙ୍କର କୌଣସି ନିୟନ୍ତ୍ରଣ ନାହିଁ। ମହିଳା ଏବଂ ଶିଶୁକନ୍ୟାମାନଙ୍କ ବିରୁଦ୍ଧରେ ଜଘନ୍ୟ ଅପରାଧ ଦିନକୁ ଦିନ ବୃଦ୍ଧି ପାଉଛି। ତେଣୁ, ରାଜ୍ୟର ଅନ୍ୟାନ୍ୟ ପ୍ରସଙ୍ଗ ବ୍ୟତୀତ ଆମେ ଏହି ସମସ୍ତ ପ୍ରସଙ୍ଗକୁ ସଂସଦରେ ଉଠାଇବୁ। ସେ ଆଉ ମଧ୍ୟ କହିଛନ୍ତି ଗତକାଲି ପୁରୀ ଜିଲ୍ଲାରେ ଜଣେ ନାବାଳିକା ଚାଲି ଚାଲି ଯାଉଥିବା ବେଳେ ଲୋକମାନେ ଆସି ପେଟ୍ରୋଲ ଢାଳି ତାଙ୍କୁ ଜାଳି ଦେଇଥିଲେ। ଏବେ ତାଙ୍କର ଅବସ୍ଥା ଗୁରୁତର। ସେହିପରି କିଛି ଦିନ ତଳେ ଗୋପାଳପୁର ସମୁଦ୍ର ବେଳାଭୂମିରେ ଏକ ଗଣଦୁଷ୍କର୍ମ ହୋଇଥିଲା, ଯାହା ଏକ ପର୍ଯ୍ୟଟନ ସ୍ଥଳ। ଏହା ସହ କିଛି ଦିନ ତଳେ ପୁଣି ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନର ଅତିରିକ୍ତ କମିଶନରଙ୍କୁ ତାଙ୍କ କାର୍ଯ୍ୟାଳୟରୁ ଟାଣି ନେଇ ସେଠାରେ ବିଜେପି ନେତା ମାଡ଼ ମାରିଥିଲେ । ଏହି ସବୁରୁ ଜଣାପଡେ ଯେ ବିଜେପି ସରକାର ଶୃଙ୍ଖଳା ପରିସ୍ଥିତି ଉପରେ ସମ୍ପୂର୍ଣ୍ଣ ଅକ୍ଷମ, ବିଫଳ । Post navigation ମହିଳାଙ୍କ ସହ ଶାରୀରିକ ସମ୍ପର୍କ ଓ ନିର୍ଯାତନା ଅଭିଯୋଗରେ ଅଗ୍ନିଶମ ଅଧିକାରୀ ଗିରଫ ଖୋଲା ପେଟ୍ରୋଲ୍ ବିକ୍ରି ଉପରେ ଲାଗିଲା କଟକଣା