ଆଉ ମାତ୍ର ୧୨ ବର୍ଷ ଓଡ଼ିଶା ନିଜର ସ୍ୱତନ୍ତ୍ର ପ୍ରଦେଶ ଗଠନର ଶତବାର୍ଷିକୀ ପାଳନ କରିବ। ଏହି ୮୮ ବର୍ଷ ଭିତରେ ଓଡ଼ିଶା ଅଛି କେଉଁଠି ଶୀର୍ଷକ ଆଲୋଚନାଚକ୍ର ନିର୍ଭୟ ୧୦ମ ବାର୍ଷିକ ଉତ୍ସବ ପରେ ପରେ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଶିଷ୍ଟ ରାଜନେତା ବିଜୟ ମହାପାତ୍ର, ବିଶିଷ୍ଟ ରାଜନୀତିଜ୍ଞ ରାଜୀବ ସାହୁ ଓ ବିଶିଷ୍ଟ ଓଡ଼ିଶୀ ନୃତ୍ୟାଙ୍ଗନା ତଥା ଗୁରୁ ପଦ୍ମଶ୍ରୀ ଅରୁଣା ମହାନ୍ତି ସାମିଲ ହୋଇଥିଲେ। ବରିଷ୍ଠ ସାମ୍ବାଦିକ ସନ୍ଦୀପ ମିଶ୍ର ଆଲୋଚନାଚକ୍ର ପରିଚାଳନା କରିଥିଲେ।

ବିଶିଷ୍ଟ ରାଜନେତା ବିଜୟ ମହାପାତ୍ର କହିଥିଲେ ଯେ, ୨୦୩୬ କଣ, ଆଉ କିଛି ବର୍ଷ ଭିତରେ ଓଡ଼ିଶାରେ ପାଣି ଏକ ବଡ଼ ସମସ୍ୟା ହୋଇ ଦେଖାଦେବ। ୧୯୫୭ ମସିହାରେ ହୀରାକୁଦ ବନ୍ଧ ନିର୍ମାଣ ହୋଇଥିଲା। ତାହାକୁ ଯେପରି ସୁରକ୍ଷା ଓ ଆବଶ୍ୟକୀୟ ସଜଡା ଯିବା କଥା ତାହା ହୋଇପାରିନାହିଁ। ୧୬ଟି ଜିଲ୍ଲା ହୀରାକୁଦ ବନ୍ଧ ପାଣି ଉପରେ ନିର୍ଭରଶୀଳ। ଭୁବନେଶ୍ୱରକୁ ମଧ୍ୟ ଆଉ କିଛି ବର୍ଷ ପରେ ପାଣି ମିଳିବ ନାହିଁ ବୋଲି ସେ ସତର୍କ କରାଇ ଦେଇଥିଲେ। ସରକାର ଓ ଆମ ସମସ୍ତଙ୍କୁ କିଛି ଠୋସ ଓ କଠୋର ପଦକ୍ଷେପ ନେବାର ଆବଶ୍ୟକତା ରହିଛି। ସେ ଓଡ଼ିଶା ଆଗରେ ପାଣି, ବେକାରୀ ଓ ଦୁର୍ନୀତିକୁ ମୂଳ ଆହ୍ବାନ ବୋଲି ବତାଇଥିଲେ। ବିଗତ ବର୍ଷଗୁଡିକରେ ଦୁର୍ନୀତି ବ୍ୟାପକ ହୋଇଛି ଓ ସମ୍ପତ୍ତି ଆହରଣ କରିବାର ମାନସିକତା ଦୁର୍ନୀତି ରାକ୍ଷାସ ସଦୃଶ୍ୟ କରିସାରିଲାଣି। ଓଡ଼ିଶା ଆଜି ପର୍ଯ୍ୟନ୍ତ କୌଣସି ଗୋଟିଏ ବିଷୟକୁ ପୂର୍ଣ୍ଣ ପ୍ରାଥମିକତା ଦେଲା ନାହିଁ। ଆମେ ମିଶ୍ରିତ ପ୍ରାଥମିକତା ଦେଇ କାର୍ଯ୍ୟ କରିଆସିଲୁ। ଏହା ଆମ ପାଇଁ ଏକ ଭୁଲ ଥିଲା ବୋଲି ସେ କହିଥିଲେ। ୨୦୩୬କୁ ଆଖି ଆଗରେ ନୂଆ ଅଭିଯାନ ଓ ନୂଆ ଜାଗରଣ ଆରମ୍ଭ କରିବାର ଆବଶ୍ୟକତା ଉପରେ ସେ ଜୋର ଦେଇଥିଲେ।

ନୃତ୍ୟାଙ୍ଗନା ଅରୁଣା ମହାନ୍ତି କହିଥିଲେ ଯେ, ଓଡ଼ିଶୀ ନୃତ୍ୟ ଓ ପୋଷାକପତ୍ର ଓଡିଶାକୁ ବାହାରେ ପରିଚିତ କରାଇ ଦେଇପାରିଛି। ହେଲେ ଓଡିଶୀ ଗୀତର ସେତେଟା ଆଦୃତି ହେଉନାହିଁ ବୋଲି ସେ କ୍ଷୋଭ ପ୍ରକାଶ କରିଥିଲେ। ଆଉ ଓଡ଼ିଶା ଗୀତ ବୋଲା ଯାଉନାହିଁ। ଓଡ଼ିଶା ଲୋକ ସୋନୁ ନିଗମଙ୍କ କାର୍ଯ୍ୟକ୍ରମ ସକାଶେ ହଜାର ହଜାର ଟଙ୍କାର ଟିକେଟ କିଣୁଛନ୍ତି ହେଲେ ଓଡିଶୀ ଗୀତ ଶୁଣିବାକୁ ଯାଉନାହାନ୍ତି। କିପରି ଓଡିଶୀ ସଙ୍ଗୀତକୁ ଲୋକାଭିମୁଖୀ କରାଯିବ ଓ ଭାଗବତ ଟୁଙ୍ଗୀଗୁଡିକର ପୁନରୁଦ୍ଧାର କରାଯାଇ ଓଡିଶୀ ଗୀତ ପୁଣି ବୋଲା ଆରମ୍ଭ ହେବ ସେ ଦିଗରେ ଅଭିଯାନ ଆରମ୍ଭ କରିବାକୁ ଆହ୍ବାନ ଦେଇଥିଲେ। ଓଡିଶୀ ନୃତ୍ୟ ସଙ୍ଗୀତ ଶିଖୁଥିବା ପିଲାମାନଙ୍କ ପାଇଁ ଚାକିରିର ସୁଯୋଗ କମୁଥିବା ଉପରେ ସେ ଦୃଷ୍ଟି ଆକର୍ଷଣ କରାଇଥିଲେ। ଓଡ଼ିଶା ସାହିତ୍ୟର କିପରି ଅଧିକ ଭାଷାକୁ ଅନୁବାଦ ହୋଇପାରିବ ତାହାକୁ ସେ ଗୁରୁତ୍ୱ ଦେବା ସହ ୨୦୩୬ ବେଳେ ରାଜ୍ୟର ପ୍ରତ୍ୟେକ ସ୍କୁଲର ଓଡିଶୀ ଗୀତ ଯେପରି ବୋଲା ଯାଇପାରୁଥିବ ସେ ଦିଗରେ ସରକାରୀ ଉଦ୍ୟମ ହେବା ପାଇଁ ସେ ଜୋର ଦେଇଥିଲେ।

ଅର୍ଥନୀତି ବିଶେଷଜ୍ଞ ରାଜୀବ ସାହୁ କହିଥିଲେ ଯେ, ଶିଳ୍ପ ଓ ବ୍ୟବସାୟ କ୍ଷେତ୍ରରେ ପୁଣି ଥରେ ପ୍ରାଥମିକତା ଦେବାକୁ ପଡିବ। ମାଇନିଂ ବୁମ ଘଟିଛି, ଅବକାରୀରୁ ଅଧିକ ହେଉଛି। କିନ୍ତୁ ଆନ୍ଧ୍ର ଓ ତେଲେଙ୍ଗାନା ତୁଳନାରେ ଆମେ ଏବେ ବି ପଛରେ ଅଛୁ। ଆମେ ଏପରି ଶିଳ୍ପ ପ୍ରତି ଆଗ୍ରହ କରୁଛେ ଯେଉଁଥିରେ ଅଧିକ ନିବେଶ ତ ହେଉଛି ହେଲେ ନିଯୁକ୍ତି ସେଥିରେ ବେଶୀ ହେଉନାହିଁ। ଆମକୁ ଏପରି ଶିଳ୍ପ ଉପରେ ଜୋର ଦେବାକୁ ପଡିବ ଯେଉଁଥିରେ ଅଧିକ ନିଯୁକ୍ତି ରହିଛି। ସରକାର ବଦଳିଲେ ଶିଳ୍ପ ଓ ବ୍ୟବସାୟ ପ୍ରତି ମନୋଭାବ ନବଦଳୁ। ଗୁଜରାଟ ଯେପରି ଶିଳ୍ପ ଓ ବ୍ୟବସାୟ ପାଇଁ ବନ୍ଧୁତ୍ୱପୂର୍ଣ୍ଣ ମାହୋଲ ବନାଇପାରିଛି ସେପରି ପରିବେଶ ଓଡ଼ିଶାରେ କରାଯିବା ଉପରେ ସେ ଗୁରୁତ୍ୱ ଦେଇଥିଲେ। ଓଡ଼ିଶାର ଦକ୍ଷ କାରିଗର ଓ ଶ୍ରମିକ ସୁରଟ କି କୋଏମ୍ବାଟୁର ନଯାଇ ଯେପରି ଓଡ଼ିଶାରେ କାମ ପାଇପାରିବେ ସେ ଦିଗରେ କାର୍ଯ୍ୟ ହେବା ଉଚିତ। ପର୍ଯ୍ୟଟନରୁ ବଡ଼ ଆୟର ସମ୍ଭାବନା ଥିଲା ସେ ବତାଇଥିଲେ। ଏହି ଉତ୍ସବରେ ନିର୍ଭୟର ରାୟଗଡା ଖବରଦାତା ତ୍ରିନାଥ ଖାଡ଼ଙ୍ଗା, ତାଳଚେର ଖବରଦାତା ବିଜୟ କୁମାର ଦେବତା ଓ ନିର୍ଭୟ ସରକୁଲେସନ ବିଭାଗର ନକୁଳ ଭୋଳଙ୍କୁ ପୁରସ୍କୃତ କରାଯାଇଥିଲା। ନିର୍ଭୟର ନିର୍ଦ୍ଦେଶକ ମମତା ଦାସ ଅତିଥିଙ୍କୁ ଉପହାର ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *