ରେଭେନ୍ସା ବିଶ୍ୱବିଦ୍ୟାଳୟ ନାଁ ପରିବର୍ତ୍ତନ କରାଯିବା ଉଚିତ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିବାଦୀୟ ବୟାନ ଦେଇଥିବା ବେଳେ ଏହାକୁ କିଛି ନେତା ସମର୍ଥନ ଜଣାଇବା ସହ ଆଉ କିଛି ବିରୋଧ କରିଥିଲେ। ଏ ନେଇ ଓଡ଼ିଶା ରାଜନୀତିରେ ତୁମ୍ବିତୋଫାନ ହୋଇଥିବା ବେଳେ ରେଭେନ୍ସାର ଆଲୁମିନି ଓ ପୁରାତନ ଛାତ୍ର ବିକ୍ଷୋଭ ଶୋଭାଯାତ୍ରା ମଧ୍ୟ କରିଥିଲେ। କିଛି ବିଜେଡି ନେତାଙ୍କ ବିରୋଧରେ ମିଥ୍ୟା ଅଭିଯୋଗ ଅଣାଯାଇଥିବା ନେଇ ବିଧାନସଭା ଅଧିବେଶନ ସମୟରେ ହଟଗୋଳ ମଧ୍ୟ ହୋଇଥିଲା। ତେବେ ଏବେ ଏହି ପ୍ରସଙ୍ଗରେ ମନ୍ତବ୍ୟ ଦେଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ।

ଶ୍ରୀ ପଟ୍ଟନାୟକ ଟ୍ୱିଟ କରି କହିଛନ୍ତି, ମହାପୁରୁଷମାନଙ୍କ ପ୍ରତି ସମ୍ମାନ, କୃତଜ୍ଞ ରହିବା ଜାତିର ନୈତିକ ଦାୟିତ୍ୱ। ମହାପୁରୁଷମାନଙ୍କ ତ୍ୟାଗ, ସାଧନା ଓ ଦୂରଦୃଷ୍ଟି ଦ୍ୱାରା ଗଢ଼ିଉଠିଥିବା ଉତ୍କର୍ଷ ଅନୁଷ୍ଠାନ ଜାତିର ଅକ୍ଷୟ କୀର୍ତ୍ତି। ଏଥିରେ ଅନେକଙ୍କ ଭାବାବେଗ ଯୋଡି ହୋଇଛି। ବିଜେପି ସବୁବେଳେ ଓଡ଼ିଆ ଅସ୍ମିତାକୁ ସମ୍ମାନ ଦେବା କଥା କହୁଥିବା ବେଳେ ନାଁ ପରିବର୍ତ୍ତନ କରିବା କଣ ଆମ ଓଡ଼ିଆ ଅସ୍ମିତା ? ସେହିପରି ଇତିହାସକୁ ବିକୃତ କରିବା ପାଇଁ କିଛି ଲୋକ ଅପଚେଷ୍ଟା କରୁଛନ୍ତି। ଆଗାମୀ ପୀଢ଼ି ପାଇଁ ଏହା କି ବାର୍ତ୍ତା ଦେବ?

“ଓଡ଼ିଆ ଭାଷା ଓ ସାହିତ୍ୟର ଉନ୍ନତିରେ ବ୍ୟାସକବି ଫକୀରମୋହନ ସେନାପତିଙ୍କ ଅତୁଳନୀୟ ଅବଦାନ ରହିଛି। ଓଡ଼ିଶାର ସାମଗ୍ରିକ ବିକାଶରେ ମୟୂରଭଞ୍ଜ ରାଜ ପରିବାରର ଅବଦାନ ସମସ୍ତେ ଜାଣନ୍ତି। ସାହିତ୍ୟ, ଶିକ୍ଷା, ସ୍ୱାସ୍ଥ୍ୟ, ସଂସ୍କୃତି ଆଦି ସବୁ କ୍ଷେତ୍ରରେ ସେମାନଙ୍କ ଅବଦାନ ଅସୀମ” ବୋଲି କହିଛନ୍ତି ବିଜେଡି ସଭାପତି ନବୀନ।

“କଥାରେ କୋଣାର୍କ ହୁଏ ନାହିଁ କି ଅନୁଷ୍ଠାନଟିଏ ଗଢ଼ିବା ସହଜ ନୁହେଁ। ଏଥିପାଇଁ ଅନେକ ତ୍ୟାଗ ଓ ତପସ୍ୟା ଦରକାର। ସାମୟିକ ସଫଳତାର ଉଲ୍ଲାସରେ ମଦମତ୍ତ ନେତାମାନେ ଆଜି ନୂଆ ଇତିହାସ ଲେଖିବା ଆରମ୍ଭ କରିଛନ୍ତି। ସେମାନେ ମନେ ରଖିବା ଉଚିତ, ହିମାଳୟ ପରି ଉତ୍ତୁଙ୍ଗ ବରପୁତ୍ରମାନଙ୍କ ବ୍ୟକ୍ତିତ୍ୱକୁ ମଳିନ କରିବାକୁ ଚେଷ୍ଟା କଲେ ନିଜର ଅସ୍ତିତ୍ୱ ହରାଇ ବସିବେ” ବୋଲି କହି ବିଜେପିକୁ ଚେତାବନୀ ଦେଇଛନ୍ତି ନବୀନ।

Leave a Reply

Your email address will not be published. Required fields are marked *