ବିଶ୍ୱସ୍ତରରେ ଆଜି ଭାରତ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ବିଶେଷ କରି ବ୍ରିକ୍ସ (BRICS) ସମ୍ମିଳନୀ ଭଳି ଆନ୍ତର୍ଜାତୀୟ ମଞ୍ଚରେ ଭାରତ ଦର୍ଶାଇଥିବା ଆଭିମୁଖ୍ୟ “ସ୍ଥିରତା, ନବସୃଜନ, ସହଯୋଗ ଏବଂ ସ୍ଥାୟୀତ୍ୱ” ସାରା ବିଶ୍ୱର ଧ୍ୟାନ ଆକର୍ଷଣ କରିଛି। ଏହି ଶୀର୍ଷକ ଆଲୋଚନାରେ ଭାଗ ନେଇ ପ୍ରଧାନମନ୍ତ୍ରୀ ବ୍ରିକ୍ସ ପରିବାରକୁ ହାର୍ଦ୍ଦିକ ସ୍ୱାଗତ ଜଣାଇଛନ୍ତି ।

ସେ କହିଛନ୍ତି ବିଭିନ୍ନ ମହାଦେଶ, ସଂସ୍କୃତି ଏବଂ ବିକାଶ ଯାତ୍ରାକୁ ଏକତ୍ରିତ କରିବାରେ ବ୍ରିକ୍ସ ଏକ ପ୍ରମୁଖ ମାଧ୍ୟମ ଭାବେ ଉଭା ହୋଇଛି। ଏହା ବ୍ରିକ୍ସର ବନ୍ଧୁତା, ଆକର୍ଷଣ ଏବଂ ଅପୂର୍ବ ବିଶ୍ୱାସର ପ୍ରତୀକ। ଭାରତ ନିଜର ସମସ୍ତ ପ୍ରୟାସକୁ ସ୍ଥିରତା, ନବସୃଜନ, ସହଯୋଗ ଏବଂ ସ୍ଥାୟୀତ୍ୱ ଏହି ଚାରୋଟି ମୁଖ୍ୟ ସ୍ତମ୍ଭ ଉପରେ କେନ୍ଦ୍ରୀଭୂତ କରିଛି। ଜଳବାୟୁ ବିପର୍ଯ୍ୟୟ, ମହାମାରୀ ଏବଂ ଯୋଗାଣ ଶୃଙ୍ଖଳାରେ ବାଧା ଯୋଗୁଁ ସୃଷ୍ଟ ସଂକଟର ସମାଧାନ ପାଇଁ ବ୍ରିକ୍ସ ସଦସ୍ୟ ଦେଶଗୁଡ଼ିକ ମଧ୍ୟରେ ସ୍ଥିରତା ଓ ସହଯୋଗ ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଇଛି। ସଙ୍କଟଜନକ ରୋଗର ପ୍ରତିରୋଧ ଏବଂ ପ୍ରତିକ୍ରିୟା ପାଇଁ “ବ୍ରିକ୍ସ ସମନ୍ୱିତ ପ୍ରାରମ୍ଭିକ ଚେତାବନୀ ପ୍ରଣାଳୀ” ସ୍ଥାପନ ଉପରେ ସହମତି ହୋଇଛି।

ମୋଦି ଆଉ ମଧ୍ୟ କହିଛନ୍ତି ନବସୃଜନ କ୍ଷେତ୍ରରେ ବ୍ରିକ୍ସ ଇନୋଭେସନ୍ ନେଟୱାର୍କ ସମ୍ପ୍ରସାରିତ ହେଉଛି। ବ୍ରିକ୍ସ ଡିଜିଟାଲ କୃଷି ନେଟୱାର୍କ ଜରିଆରେ AI, ମହାକାଶ ପ୍ରଯୁକ୍ତିବିଦ୍ୟା ଏବଂ ଡିଜିଟାଲ ପାଣିପାଗ ସେବାକୁ କୃଷକମାନଙ୍କ ଆବଶ୍ୟକତା ସହିତ ଯୋଡ଼ାଯିବ।ବ୍ରିକ୍ସର ପ୍ରୟାସ କେବଳ ସରକାରମାନଙ୍କ ମଧ୍ୟରେ ସୀମିତ ନରହି ଉଦ୍ୟୋଗୀ, କୃଷକ, ଗବେଷକ, ମହିଳା ଏବଂ ଯୁବବର୍ଗଙ୍କ ପର୍ଯ୍ୟନ୍ତ ପହଞ୍ଚିବା ଆବଶ୍ୟକ। ମହିଳା ଅଂଶଗ୍ରହଣ, ସାମାଜିକ ସୁରକ୍ଷା, ଦକ୍ଷତା ବିକାଶ ଏବଂ କର୍ମକ୍ଷେତ୍ରରେ ସମାନତାକୁ ପ୍ରୋତ୍ସାହିତ କରିବା ପାଇଁ ଭାରତ ବଦ୍ଧପରିକର। କ୍ଷୁଦ୍ର ଓ ମାଧ୍ୟମିକ ଉଦ୍ୟୋଗଗୁଡ଼ିକୁ ସହାୟତା ପାଇଁ “ବ୍ରିକ୍ସ ଆନ୍ତରୀଣ ସହଯୋଗ ପୋର୍ଟାଲ” ପ୍ରତିଷ୍ଠା କରାଯାଉଛି।

ପ୍ରକୃତିକୁ ମା’ର ରୂପ ଦେଇ ଭାରତ ବିକାଶ ଏବଂ ପରିବେଶ ମଧ୍ୟରେ ସନ୍ତୁଳନ ରକ୍ଷା କରିବାକୁ ଆହ୍ୱାନ ଦେଇଛି। “ପାର୍ଟ କ୍ଲିନ୍” ଏବଂ ଶକ୍ତି ପରିବର୍ତ୍ତନ ପାଇଁ “ବ୍ରିକ୍ସ ଡିଜିଟାଲ ସେଣ୍ଟର ଅଫ୍ ଏକ୍ସଲେନ୍ସ” ପ୍ରତିଷ୍ଠା କରାଯିବ।

ପ୍ରଧାନମନ୍ତ୍ରୀ ଶେଷରେ ସ୍ପଷ୍ଟ କରିଛନ୍ତି ଯେ ବ୍ରିକ୍ସର ଶକ୍ତି ଆମର ବିବିଧତା ଏବଂ ସହଯୋଗରେ ନିହିତ, ଏବଂ ଗ୍ଲୋବାଲ ସାଉଥ୍‌ର ବିକାଶ ପାଇଁ ଏହି ମଞ୍ଚ ସଦା ସର୍ବଦା କାର୍ଯ୍ୟ କରିବ।

Leave a Reply

Your email address will not be published. Required fields are marked *