ଏସୀୟ ଜୁନିୟର ହକିରେ ଭାରତୀୟ ଦଳ ଐତିହାସିକ ସଫଳତା ହାସଲ କରିଛି। ଜୁନିୟର ଏସିଆ କପ୍ ହକି ଟୁର୍ନାମେଣ୍ଟରେ ଭାରତୀୟ ପୁରୁଷ ଓ ମହିଳା ଉଭୟ ଦଳ ଚାମ୍ପିୟନ୍ ହୋଇ ଦେଶ ପାଇଁ ଗୌରବ ଆଣିଦେଇଛନ୍ତି।

ମହିଳା ଫାଇନାଲ୍‌ରେ ଭାରତ ୧-୦ ଗୋଲ୍‌ରେ ଚୀନ୍‌କୁ ପରାସ୍ତ କରିଥିଲା। ମ୍ୟାଚ୍‌ର ୧୭ତମ ମିନିଟ୍‌ରେ ସାନିକା ଚନ୍ଦ୍ରକାନ୍ତ ମାନେ ଭାରତ ପାଇଁ ନିର୍ଣ୍ଣାୟକ ଗୋଲ୍ ଦେଇଥିଲେ। ଚୀନ୍ ମ୍ୟାଚ୍‌କୁ ଫେରିବା ପାଇଁ ବହୁ ଉଦ୍ୟମ କରିଥିଲେ ବି ଭାରତର ମଜବୁତ ଡିଫେନ୍ସକୁ ଭେଦିପାରି ନଥିଲା। ଏହି ବିଜୟ ସହ ଭାରତୀୟ ମହିଳା ଟିମ୍ କ୍ରମାଗତ ତୃତୀୟ ଥର ପାଇଁ ଏସିଆ କପ୍ ଟାଇଟଲ୍ କବ୍‌ଜା କରିଛି।

ସେହିପରି ଭାରତୀୟ ପୁରୁଷ ଜୁନିୟର ଦଳ ଫାଇନାଲରେ ଦକ୍ଷିଣ କୋରିଆକୁ ୪-୧ ଗୋଲରେ ପରାସ୍ତ କରି ଚାମ୍ପିୟନ୍ ଆଖ୍ୟା ବଜାୟ ରଖିଛି। ଭାରତ ପକ୍ଷରୁ ଅଜିତ ଯାଦବ, ଅନମୋଲ ଏକ୍କା, ପ୍ରଭଦୀପ ସିଂହ ଏବଂ ଆଶୁ ମୌର୍ଯ୍ୟ ଗୋଲ ସ୍କୋର କରିଥିଲେ। ଏହି ବିଜୟ ସହ ଭାରତ ଚତୁର୍ଥ ଥର ପାଇଁ (୨୦୧୫, ୨୦୨୩, ୨୦୨୪ ଏବଂ ବର୍ତ୍ତମାନ) ଏହି ଟାଇଟଲ୍ ଜିତି ଟୁର୍ନାମେଣ୍ଟ ଇତିହାସରେ ସବୁଠାରୁ ସଫଳ ଦଳ ପାଲଟିଛି।

ଏହି ସଫଳତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଭୟ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି। ହକି ଇଣ୍ଡିଆ ପକ୍ଷରୁ ପ୍ରତ୍ୟେକ ଖେଳାଳିଙ୍କୁ ୩ ଲକ୍ଷ ଟଙ୍କା ଓ ସପୋର୍ଟ ଷ୍ଟାଫଙ୍କୁ ୧.୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଛି।

 

Leave a Reply

Your email address will not be published. Required fields are marked *