ଭାରତୀୟ ସଂସ୍କୃତିରେ ପର୍ବପର୍ବାଣୀଗୁଡ଼ିକ ଆମ ଜୀବନ ସହିତ ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ସାମାଜିକ ଜୀବନକୁ ସରସ ସୁନ୍ଦର କରିବା ପାଇଁ ସାଧାରଣତଃ ପର୍ବଗୁଡ଼ିକର ସୃଷ୍ଟି। ଓଡ଼ିଶାରେ ପାଳନ କରାଯାଉଥିବା ପର୍ବମାନଙ୍କ ମଧ୍ୟରୁ ରଜ ପର୍ବ ଅନ୍ୟତମ। ଏହା ଓଡ଼ିଶାର ଝିଅ ବୋହୂମାନଙ୍କର ଏକ ସ୍ୱତନ୍ତ୍ର ଓ ପ୍ରଧାନ ପର୍ବ। ମାଟି ଓ ମୌସୁମୀର ମିଳନର ପର୍ବ ରଜ। ପୃଥିବୀର ମାତୃତ୍ଵ କାମନା କରି ସୃଷ୍ଟି ଜୟ ଗୀତଗାନ କରୁଛି କୃଷକ। ଆଦ୍ୟ ଆଷାଢର ପ୍ରଥମ ବାରିପାତରେ ପୃଥିବୀ ଋତୁମତୀ ହୋଇଥିବାରୁ ଖୁସିରେ ଉତ୍ସବ ମୁଖର ହୋଇଉଠୁଛି ସବୁଆଡ଼। ପ୍ରଥମ ବର୍ଷାର ପହିଲି ପସରା ମାଟି ଛୁଇଁଲେ, ଆଦ୍ର ହୋଇ ଉଠେ ପୃଥିବୀ।ଯେମିତିକି ବହୁ ଦିନୁ ପ୍ରତିକ୍ଷୀତ ଏହି ମାଟି- ମେଘ ସହ ରଚି ବସିଛି ଶୃଙ୍ଗାରର ପର୍ବ। ରଜ ପର୍ବ ଆଷାଢ଼ ମାସରେ ପଡ଼େ। ଜ୍ୟେଷ୍ଠ ମାସ ଶେଷ ଦିନଠୁ ଆଷାଢ଼ ମାସ ଦ୍ୱିତୀୟ ଦିନ ପର୍ଯ୍ୟନ୍ତ ଅର୍ଥାତ ତିନିଦିନ ଧରି ରଜ ପର୍ବ ପାଳିତ ହୁଏ। ପ୍ରଥମ ଦିନକୁ ପହିଲି ରଜ, ଦ୍ୱିତୀୟ ଦିନକୁ ରଜ ସଂକ୍ରାନ୍ତି ଓ ତୃତୀୟ ଦିନକୁ ଭୂମିଦହନ କୁହନ୍ତି। ଏହି ପର୍ବ ଝିଅମାନଙ୍କର ମୁଖ୍ୟ ପର୍ବ ହେଲେ ହେଁ ଆବାଳ ବୃଦ୍ଧ ବନିତା ବହୁ ଶ୍ରଦ୍ଧାରେ ପାଳନ କରିଥାନ୍ତି। ଏହି ତିନିଦିନ ଲୋକେ ଆମୋଦ ପ୍ରମୋଦ ଓ ଖେଳ କୌତୁକରେ ସମୟ ବିତାଇଥାନ୍ତି। ଘରେ ଘରେ ପିଠାପଣାର ଆସର। ସଜବାଜ ଦିନ ପୋଡ଼ ପିଠାର ପ୍ରସ୍ତୁତି ରଜ ପର୍ବର ବିଶେଷ ଆକର୍ଷଣ। ପହିଲି ରଜ ଦିନ ସକାଳୁ ସକାଳୁ ଝିଅ ବୋହୂମାନେ ନିତ୍ୟକର୍ମ ସାରି ନୂଆ ବସ୍ତ୍ର ପରିଧାନ କରିଥାନ୍ତି। ଚନ୍ଦନ ଟିକା, ଅଳତା, କଜଳ ସେମାନଙ୍କ ସୌନ୍ଦର୍ଯ୍ୟ ବଢ଼ାଇଥାଏ। କୁମାରୀମାନେ ଖାଲି ପାଦରେ ଭୂମିରେ ନ ଚାଲିବାର ଏକ ପାରମ୍ପରିକ ବିଧି ରହିଛି। ଏଥିପାଇଁ ପୂର୍ବେ ଝିଅମାନେ ଗୁଆ ଖୋଳପା ପିନ୍ଧୁଥିଲେ। ଦୋଳି ଖେଳ ରଜ ପର୍ବର ଆଉ ଏକ ଆକର୍ଷଣ। ଝିଅମାନେ ଦୋଳି ଖେଳିବା ପାଇଁ ସତେ ଯେପରି ରଜ ପର୍ବକୁ ଅପେକ୍ଷା କରିଥାନ୍ତି। ପ୍ରତି ଗାଁ’ର ଘରେ ଘରେ ରଜ ଦୋଳି ଲାଗିଥାଏ। ମନ ଆନନ୍ଦରେ ଗାଁ ଗାଁ ବୁଲି ଦୋଳି ଖେଳିଥାନ୍ତି। ଏହି ସମୟରେ କଣ୍ଠରୁ ଭାସିଆସେ… “ରଜ ଦୋଳି କଟମଟ ମୋ ଭାଇ ମୁଣ୍ଡରେ ସୁନା ମୁକୁଟ ସୁନା ମୁକୁଟ ଲୋ ଦିଶୁଥାଏ ଝଟଝଟ।” ତୃତୀୟ ବା ଭୂମିଦହନ ଦିନଟି ବସୁମତିଙ୍କ ବିଶ୍ରାମର ଦିନ। ଏହି ଦିନ ମାଟିକୁ ଆଘାତ ହେଲା ଭଳି କୌଣସି କାର୍ଯ୍ୟ କରାଯାଏ ନାହିଁ। ଚତୁର୍ଥ ଦିନକୁ ଠାକୁରାଣୀଙ୍କ ସ୍ନାନ ଦିବସ ଭାବେ ପାଳନ କରାଯାଏ। ଘରେ ଘରେ ଠାକୁରାଣୀଙ୍କୁ ସ୍ନାନ କରାଇ ନୈବେଦ୍ୟ ଅର୍ପଣ କରିଥାନ୍ତି। ଘର ଅଗଣାରେ ହଳ, ଲଙ୍ଗଳ ଓ ଶିଳପୁଆ ଆଦିକୁ ହଳଦୀରେ ସ୍ନାନ କରାଇ ପୂଜାର୍ଚ୍ଚନା କରାଯାଏ। ଏହିପରି ଭାବେ ରଜ ପର୍ବ ଶେଷ ହୁଏ। Post navigation ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ହେଲେ କାମଚଳା ବାଚସ୍ପତି କୁଏତ ବିଲ୍ଡିଂ ଅଗ୍ନିକାଣ୍ଡ: ଦୁଇ ଓଡ଼ିଆ ମୃତକଙ୍କ ମିଳିଲା ପରିଚୟ