ଓଡ଼ିଆ ଅସ୍ମିତା ନେଇ ରାଜ୍ୟ ରାଜନୀତି ସରଗରମ ହୋଇଥିବା ବେଳେ ଆଜି ଓଡ଼ିଶା ଗସ୍ତରେ ଆସି ଏହି ପ୍ରସଙ୍ଗରେ ଏସ୍‌. ଜୟଶଙ୍କରଙ୍କ ବଡ ବୟାନ ଦେଇଛନ୍ତି। ଓଡ଼ିଶା ପ୍ରାକୃତିକ ସଂପଦ ଓ ପ୍ରତିଭାରେ ଭରପୂର, କ’ଣ ନାହିଁ ଓଡ଼ିଶାରେ, କିନ୍ତୁ ଓଡ଼ିଶା ସେ ଅନୁପାତରେ ବିକଶିତ କି?ବୋଲି ପ୍ରଶ୍ନ କରିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜିର ଓଡ଼ିଶାକୁ ଦେଖିଲେ ବିକାଶ ହୋଇଥିଲା ଭଳି ଲାଗୁଛି କି? ଓଡ଼ିଶାର କଳା ଓ ସଂସ୍କୃତି କେତେ ସମୃଦ୍ଧ, ତାହା କହିବା ଅନାବଶ୍ୟକ। କୋଣାର୍କ ଚକ୍ରକୁ ଜି-୨୦ରେ ସାମିଲ କରାଯିବା ତା’ର ନିଦର୍ଶନ। ଏତେ ସବୁ ଥାଉ ଥାଉ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋଣାର୍କ ଚକ୍ରକୁ କାହିଁକି ବାଛିଲେ? କଳା, ସଂସ୍କୃତି କ୍ଷେତ୍ରରେ ସମୃଦ୍ଧ ଓଡ଼ିଶା ନିଜ ନେତା ସୃଷ୍ଟି ପାଇଁ ସକ୍ଷମ। ଓଡ଼ିଶା ଭଳି ରାଜ୍ୟର ନେତା ନିଜ ମାଟିର ପୁଅ ହୁଅନ୍ତୁ। ଏଭଳି ସମୃଦ୍ଧ ରାଜ୍ୟକୁ ତା’ ମାଟିର ନେତା ପରିଚାଳନା କରିବା ଉଚିତ ବୋଲି ଜୟଶଙ୍କର କହିଛନ୍ତି।

ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିରେ ଓଡ଼ିଶାର ସ୍ୱତନ୍ତ୍ର ମର୍ଯ୍ୟାଦା ରହିଛି। ଓଡ଼ିଶାର ବିକାଶ ପାଇଁ ମୋଦି ସବୁବେଳେ ଆଗଭର। ଗତ ୧୦ ବର୍ଷ ମଧ୍ୟରେ କେନ୍ଦ୍ରରୁ ଓଡ଼ିଶାକୁ ଅନେକ ସହଯୋଗ ମିଳିଛି। ୧୦ ବର୍ଷ ମଧ୍ୟରେ ୧୮ ଲକ୍ଷ କୋଟିର କେନ୍ଦ୍ରୀୟ ଅନୁଦାନ ମିଳିଛି। ସାଗରମାଳା ପ୍ରକଳ୍ପରେ ୫୪ ହଜାର କୋଟିର ଅନୁଦାନ ମିଳିଛି। ମୋଦିଙ୍କ କାର୍ଯ୍ୟକାଳରେ ୨୦ ପାସ୍‌ପୋର୍ଟ ସପୋର୍ଟ କେନ୍ଦ୍ର ଖୋଲିଛି। ୨.୭ ଲକ୍ଷ ଲୋକଙ୍କୁ ଆବାସ ଯୋଜନାରେ ଘର ମିଳିଛି। ୫୩ ଲକ୍ଷ ମହିଳାଙ୍କୁ ଉଜ୍ଜ୍ୱଳା ଯୋଜନାରେ ଗ୍ୟାସ୍‌ ମିଳିଛି। ସ୍ୱନିଧି ଯୋଜନାରେ ୫୪ ହଜାର ଉପଭୋକ୍ତା ଓଡ଼ିଶାର ଅଛନ୍ତି। ମୋଦିଙ୍କ ବିକାଶକୁ ଆଗେଇ ନେଲା ଭଳି ସରକାର ଏଠି ହେବା ଉଚିତ। ଓଡ଼ିଶା ସହଯୋଗରେ ସଂସଦରେ ୪ ଶହ ପାର୍‌ ହେବା ବିଶ୍ୱାସ ରହିଛି। ଓଡ଼ିଶାରେ ଥିବା ସଂପଦ ତୁଳନାରେ ରାଜ୍ୟର ବିକାଶ ହୋଇନି। ଚଳିତ ନିର୍ବାଚନରେ ଓଡ଼ିଶା ଲୋକ ମୋଦିଙ୍କୁ ସଶକ୍ତ କରିବେ ବୋଲି ଜୟଶଙ୍କର କହିଛନ୍ତି।

By Nirvay

Leave a Reply

Your email address will not be published. Required fields are marked *