କଟକସ୍ଥିତ ରେଭେନ୍ସା ବିଶ୍ୱବିଦ୍ୟାଳୟର ନାମ ପରିବର୍ତ୍ତନ ପ୍ରସଙ୍ଗରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦେଇଥିବା ବୟାନକୁ ନେଇ ଦିନକୁ ଦିନ ସରଗରମ ହେଉଛି ରାଜନୀତି । ଆଜି ଶୂନ୍ୟକାଳରେ ରେଭେନ୍ସା ପ୍ରସଙ୍ଗକୁ ଉଠାଇଲେ ବିରୋଧୀଦଳ ନେତା ।

ରେଭେନ୍ସା ପ୍ରସଙ୍ଗରେ ବିଜେଡି ବିଧାୟକ ବ୍ୟୋମକେଶ ରାୟ କରିଛନ୍ତି ରେଭେନ୍ସା ନାମ ପରିବର୍ତ୍ତନ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀଙ୍କ ମନ୍ତବ୍ୟକୁ ଉପମୁଖ୍ୟମନ୍ତ୍ରୀ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ସମର୍ଥନ କରିଛନ୍ତି । ରେଭେନ୍ସା ୧୫୬ ବର୍ଷର ଶିକ୍ଷାନୁଷ୍ଠାନ, ନ’ଙ୍କ ଦୁର୍ଭିକ୍ଷ ସହ ଯୋଡ଼ିବା ଠିକ୍ ନୁହେଁ । ଏହି ମନ୍ତବ୍ୟ ସାରା ପୂରାତନ ଛାତ୍ର, ବୁଦ୍ଧିଜୀବୀ ଏବଂ ଏବେକାର ଛାତ୍ରଙ୍କୁ ଆଘାତ ପହଞ୍ଚିଛି। ରେଭେନ୍ସା ଜଣେ ବ୍ୟକ୍ତି ନୁହାନ୍ତି, ସେ ଉଚ୍ଚଶିକ୍ଷାର ଏକ ବ୍ରାଣ୍ଡ। ରେଭେନ୍ସା ତାଙ୍କ କାର୍ଯ୍ୟକାଳରେ ଓଡ଼ିଆ ପଢ଼ାଯିବା ଲାଗି ଗୁରୁତ୍ୱ ଦେଇଥିଲେ । ରେଭେନ୍ସାଙ୍କ ଉଦ୍ୟମକୁ ଫକୀର ମୋହନ ଓ ଗୌରୀଶଙ୍କର ପ୍ରଶଂସା କରିଥିଲେ । ସ୍ୱାଧୀନତା ସଂଗ୍ରାମୀ କେବେ ଏହି ନାଁ ବଦଳାଇବା କଥା ଉଠାଇ ନହାନ୍ତି। ଓଡ଼ିଶାର ପ୍ରଥମ ବିଧାନସଭା ରେଭେନ୍ସାରେ ବସିଥିଲା ହେଲେ ନାମ ବଦଳାଇବା କଥା କେବେ ହୋଇ ନାହିଁ।

ଏହା ଛଡା ସେ ରେଭେନ୍ସା ପ୍ରସଙ୍ଗରେ ଗୃହରେ ବିବୃତି ରହିବାକୁ ମୁଖ୍ୟମନ୍ତ୍ରୀଙ୍କୁ କହିଛନ୍ତି ।

ଅନ୍ୟପଟେ ଶାସନ ଦଳ ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ରେଭେନ୍ସା ପ୍ରସଙ୍ଗ ଉପରେ ବିବୃତି ରଖି କହିଛନ୍ତି, କେନ୍ଦ୍ରମନ୍ତ୍ରୀ ଯେଉଁ ପ୍ରସ୍ତାବ ଦେଇଛନ୍ତି ତାକୁ ଓଡ଼ିଶାବାସୀ ଗ୍ରହଣ କରି ନେଇଛନ୍ତି । ଯେଉଁମାନେ ରିମୋଟ୍‌ରେ ପରିଚାଳିତ ହେଉଥିଲେ ସେମାନେ ବିରୋଧ କରୁଛନ୍ତି । ୨୦୦ ବର୍ଷ ଇଂରେଜ ମାନେ ଆମକୁ ଶାସନ କଲେ । ତାଙ୍କ ନାମରେ କାହିଁକି କୌଣସି ଅନୁଷ୍ଠାନ ନାମିତ ହେବ । ଆମର ଅନେକ ବରପୁତ୍ର ରହିଛନ୍ତି । ସେମାନଙ୍କ ନାମରେ ନାମିତ ହେବା କଥା ।

ସେହିପରି କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦୋସ ମଧ୍ୟ କେନ୍ଦ୍ରମନ୍ତ୍ରୀ କହିଥିବା ରେଭେନ୍ସା ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇ କହିଛନ୍ତି ରେଭେନ୍ସା ସହିତ ସମସ୍ତଙ୍କ ଭାବାବେଗ ଜଡ଼ିତ । କେନ୍ଦ୍ରମନ୍ତ୍ରୀଙ୍କ ବୟାନ ଛାତ୍ରଛାତ୍ରୀଙ୍କ ମନକୁ ଆଘାତ ଦେଇଛି । ରାଜ୍ୟସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ରାଜ୍ୟ ସରକାର ଓଡ଼ିଆ ଅସ୍ମିତା କଥା କହୁଛନ୍ତି କିନ୍ତୁ ୨୦୨୧ରେ ସର୍ଦାର ବଲ୍ଲଭ ଭାଇ ଷ୍ଟାଡିୟମର ନାମ କାହିଁକି ପରିବର୍ତ୍ତନ କରାଯାଇ ନରେନ୍ଦ୍ର ମୋଦି ଷ୍ଟାଡିୟମ କରାଗଲା ? ଏହି ପ୍ରସଙ୍ଗ ଉଠାଇ କଟକବାସୀଙ୍କ ଭାବନାକୁ ଆଘାତ ଦେଉଛନ୍ତି । ଛୋଟ ଚିନ୍ତାଧାରା ରଖନ୍ତୁ ନାହିଁ । ରେଭେନ୍ସାର ନାମ ପରିବର୍ତ୍ତନ ପ୍ରସଙ୍ଗରେ ସୃଷ୍ଟତା ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ଗୃହରେ ବିବୃତି ରଖୁବେ କି ବୋଲି ପ୍ରଶ୍ନ କରିଛନ୍ତି ।

Leave a Reply

Your email address will not be published. Required fields are marked *