Process Starts For Election To PRI Vacancies In Odisha
ରାଜ୍ୟର ପଞ୍ଚାୟତ ସ୍ତରରେ ଖାଲି ପଡ଼ିଥିବା ୧୧୩୪ଟି ପଦ ପୂରଣ ପାଇଁ ଉପନିର୍ବାଚନ ନିମନ୍ତେ ପ୍ରାଥମିକ ପଦକ୍ଷେପ ରାଜ୍ୟ ନିର୍ବାଚନ କମିଶନଙ୍କ ତରଫରୁ ଆରମ୍ଭ କରାଯାଇଛି ।
 
ସେଥି ମଧ୍ୟରୁ ପାଞ୍ଚଟି ଜିଲ୍ଲା ପରିଷଦ ସଭ୍ୟ, ୪୧ଟି ପଞ୍ଚାୟତ ସମିତି ସଦସ୍ୟ, ୪୫ଟି ସରପଞ୍ଚ, ୨୭୨ଟି ୱାର୍ଡ ମେମ୍ବର ପାଇଁ ଉପନିର୍ବାଚନ ହେଉଥିବାବେଳେ ୭୭୧ଟି ୱାର୍ଡରେ ନୂତନ ଭାବେ ନିର୍ବାଚନ ଅନୁଷ୍ଠିତ ହେବ ।
 
ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସଂରକ୍ଷିତ ବର୍ଗ ପାଇଁ ଉଦ୍ଦିଷ୍ଟ ଥିବା ୭୭୧ଟି ୱାର୍ଡରେ କୌଣସି ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିନଥିବାରୁ ଉକ୍ତ ୱାର୍ଡ ଗୁଡିକରେ ନିର୍ବାଚନ ବନ୍ଦ ରହିଥିଲା । ପରବର୍ତ୍ତୀ ପର୍ଯ୍ୟାୟରେ ସଂପୃକ୍ତ ଜିଲ୍ଲାପାଳଙ୍କ ସୁପାରିଶ କ୍ରମେ ଉକ୍ତ ୱାର୍ଡଗୁଡ଼ିକୁ ଅଣସଂରକ୍ଷିତ କରାଯିବା ପରେ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ।
 
ରାଜ୍ୟ ନିର୍ବାଚନ ଆୟୁକ୍ତଙ୍କ ସଚିବଙ୍କ ସୂଚନା ଅନୁଯାୟୀ ଉକ୍ତ ୱାର୍ଡଗୁଡ଼ିକ ପାଇଁ ଏପ୍ରିଲ ୧୭ରୁ ୨୨ ତାରିଖ ମଧ୍ୟରେ ନିର୍ବାଚନ ଅଧିକାରୀମାନେ କେନ୍ଦ୍ର ନିର୍ବାଚନ ଆୟୋଗ ଦ୍ଵାରା ପ୍ରକାଶିତ ଭୋଟର ତାଲିକାରୁ ସମ୍ପୃକ୍ତ ୱାର୍ଡ ୱାରୀ ଭୋଟର ତାଲିକା ପ୍ରସ୍ତୁତ କରିବେ ।
 
ସେହିଭଳି ଏପ୍ରିଲ ୨୪ ତାରିଖରେ ସଂପୃକ୍ତ ଗ୍ରାମପଞ୍ଚାୟତ ମୁଖ୍ୟାଳୟରେ ୱାର୍ଡୱାରୀ ପ୍ରାଥମିକ ଭୋଟର ତାଲିକା ପ୍ରକାଶନ ହେବ ଏବଂ ଏପ୍ରିଲ ୩୦ ତାରିଖ ସୁଦ୍ଧା ଅଭିଯୋଗ ଗ୍ରହଣ କରାଯାଇ ମଇ ୨ରୁ ୫ ତାରିଖ ମଧ୍ୟରେ ସଂପୃକ୍ତ ଅଭିଯୋଗଗୁଡ଼ିକୁ ବିଚାରକୁ ନିଆଯାଇ ଉପଯୁକ୍ତ ପଦକ୍ଷେପ ନିଆଯିବ । ସଂଶୋଧିତ ଭୋଟର ତାଲିକାକୁ ନିର୍ବାଚନ ଅଧିକାରୀମାନେ ମଇ ୯ ତାରିଖ ଦିନ ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ପ୍ରଦାନ କରିବେ ।

By Nirvay

Leave a Reply

Your email address will not be published. Required fields are marked *