ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆସନ୍ତା ଅଗଷ୍ଟ ୩ରୁ ୫ ତାରିଖ ପର୍ଯ୍ୟନ୍ତ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିବେ। ଏହି ଗସ୍ତ ଅବସରରେ ସେ ଭୁବନେଶ୍ୱର, କଟକ ଏବଂ ବ୍ରହ୍ମପୁର ଗସ୍ତ କରିବା ସହ ଗଞ୍ଜାମ ଜିଲ୍ଲାର ତପ୍ତପାଣି ମଧ୍ୟ ଯିବେ। ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ପ୍ରସ୍ତୁତ ଖସଡ଼ା କାର୍ଯ୍ୟସୂଚୀ ରାଜ୍ୟ ସରକାର ଓ ସମ୍ପୃକ୍ତ ବିଭାଗଗୁଡ଼ିକୁ ପଠାଯାଇଛି। ଖସଡ଼ା କାର୍ଯ୍ୟସୂଚୀ ଅନୁସାରେ ଅଗଷ୍ଟ ୩ରେ ରାଷ୍ଟ୍ରପତି ଭୁବନେଶ୍ୱରରେ ପହଞ୍ଚିବା ପରେ ଲୋକସେବା ଭବନରେ ରହିବେ। ସେହିଦିନ କଟକର ଜଗଦ୍ଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟର ଉଦ୍ଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଅଗଷ୍ଟ ୪ ସକାଳେ ରାଷ୍ଟ୍ରପତି ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ଭୁବନେଶ୍ୱରରୁ ବ୍ରହ୍ମପୁର ରେଳ ଷ୍ଟେସନରେ ପହଞ୍ଚିବେ। ସେଠାରୁ ସଡ଼କ ପଥରେ ତପ୍ତପାଣି ଯାଇ ମା’ କନ୍ଧୁଣୀ ଦେବୀ ମନ୍ଦିର ଦର୍ଶନ କରିବେ। ଏହାପରେ ଗୋପାଳପୁରସ୍ଥିତ ସେନାର ଏୟାର ଡିଫେନ୍ସ କଲେଜ କିମ୍ବା ଅନ୍ୟ କୌଣସି ନିର୍ଦ୍ଧାରିତ ସ୍ଥାନରେ ରାତ୍ରିଯାପନ କରିବେ। ଅଗଷ୍ଟ ୫ରେ ରାଷ୍ଟ୍ରପତି ଗୋପାଳପୁରରୁ ବ୍ରହ୍ମପୁର ରେଳ ଷ୍ଟେସନକୁ ଆସି ପୁଣି ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ଭୁବନେଶ୍ୱର ଫେରିବେ। ସେଠାରୁ ବିମାନ ଯୋଗେ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ। ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଭୁବନେଶ୍ୱର, କଟକ ଓ ଗଞ୍ଜାମ ଜିଲ୍ଲା ପ୍ରଶାସନ, ପୁଲିସ, ରେଳବାଇ ଏବଂ ଅନ୍ୟାନ୍ୟ ସମ୍ପୃକ୍ତ ବିଭାଗକୁ ବିସ୍ତୃତ ପ୍ରସ୍ତୁତି ଆରମ୍ଭ କରିବାକୁ କୁହାଯାଇଛି। ସୁରକ୍ଷା ବ୍ୟବସ୍ଥା, ରେଳ ଷ୍ଟେସନ ଓ ଯାତ୍ରାପଥର ବ୍ୟବସ୍ଥା, ଚିକିତ୍ସା ସହାୟତା, ଭୋଜନ, ରାତ୍ରିଯାପନ, ମଞ୍ଚ, ପ୍ରୋଟୋକଲ ଏବଂ ଅନ୍ୟାନ୍ୟ ବ୍ୟବସ୍ଥା ସମ୍ପର୍କରେ ରାଷ୍ଟ୍ରପତି ଭବନ ପକ୍ଷରୁ ସବିଶେଷ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ବିଶେଷକରି ରାଷ୍ଟ୍ରପତିଙ୍କ ଟ୍ରେନ୍ ଯାତ୍ରାକୁ ନେଇ ଭୁବନେଶ୍ୱର ଓ ବ୍ରହ୍ମପୁର ରେଳ ଷ୍ଟେସନରେ ସୁରକ୍ଷା, ପ୍ଲାଟଫର୍ମ ବ୍ୟବସ୍ଥା, ଗ୍ରିନ୍ ରୁମ୍, ଭିଭିଆଇପି ଚଳାଚଳ, ସ୍ୱତନ୍ତ୍ର କୋଚ୍ ବ୍ୟବସ୍ଥା ଏବଂ ରେଳବାଇ ସହ ସମନ୍ୱୟ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ଜିଲ୍ଲା ପ୍ରଶାସନକୁ ଗସ୍ତ ପୂର୍ବରୁ ସମସ୍ତ ପ୍ରସ୍ତୁତି ସମ୍ପୂର୍ଣ୍ଣ କରି ରିପୋର୍ଟ ଦାଖଲ କରିବାକୁ ମଧ୍ୟ କୁହାଯାଇଛି। Post navigation Anganwadi Management Committee in Odisha: ସବୁ ଅଙ୍ଗନବାଡ଼ି କେନ୍ଦ୍ରରେ ଗଠନ ହେବ ଅଙ୍ଗନବାଡ଼ି ପରିଚାଳନା କମିଟି Odisha Renames Regional Education Directorates: ବଦଳିଲା ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟର ନାଁ