ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ୧୩୭ତମ ‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ ଓଡ଼ିଶାର ସମ୍ବଲପୁର ଜିଲ୍ଲା ଡେବ୍ରିଗଡ଼ ଅଞ୍ଚଳର ‘ଢୋଡ୍ରୋକୁସୁମ୍’ ଗ୍ରାମର ମହିଳାମାନଙ୍କ ଭୂୟସୀ ପ୍ରଶଂସା କରିଛନ୍ତି। ଡେବ୍ରିଗଡ଼ ଜଙ୍ଗଲ ସୁରକ୍ଷାକୁ ନିଜ ଜୀବିକାର ମାଧ୍ୟମ ବନାଇଥିବା ମୈଥିଲୀ ଭୂଏ ଏବଂ ଗାଁର ଅନ୍ୟ ମହିଳାମାନଙ୍କ ପ୍ରଚେଷ୍ଟାକୁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କ ସମ୍ମୁଖରେ ଉପସ୍ଥାପନ କରିଛନ୍ତି। ମହିଳାଙ୍କ ପାଇଁ ମୈଥିଲୀ ଜଣେ ପ୍ରେରଣା ବୋଲି କହିବା ସହ ତାଙ୍କ ଜୀବନ ଓ ଜୀବିକାରେ ଆସିଥିବା ପରିବର୍ତ୍ତନର କଥା ବଖାଣିଛନ୍ତି ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ କହିଛନ୍ତି ପୂର୍ବରୁ କେବଳ କେନ୍ଦୁପତ୍ର ଓ ମହୁ ସଂଗ୍ରହ କରି ଜୀବିକା ନିର୍ବାହ କରୁଥିବା ମୈଥିଲୀ, ଜଙ୍ଗଲ ସୁରକ୍ଷା ପାଇଁ ପଦକ୍ଷେପ ନେଇଥିଲେ। ତାଙ୍କର ଏହି ପ୍ରଚେଷ୍ଟାରେ ପ୍ରଥମେ ୧୦ ଜଣ ମହିଳା ସାମିଲ ହୋଇଥିବା ବେଳେ, ଏବେ ୭୦ରୁ ଅଧିକ ମହିଳା ଜଙ୍ଗଲ ସଂରକ୍ଷଣରେ ସକ୍ରିୟ ଯୋଗଦାନ ଦେଉଛନ୍ତି। ଏହି ମହିଳାମାନେ ବନ୍ୟଜନ୍ତୁଙ୍କ ସୁରକ୍ଷା, ଘାସ ମୈଦାନର ବିକାଶ ଏବଂ ଡେବ୍ରିଗଡ଼ ଇକୋ-ଟୁରିଜିମ୍ କାର୍ଯ୍ୟକ୍ରମ ସହ ଯୋଡ଼ିହୋଇ ନିଜ ପରିବାରର ଗୁଜରାଣ ମେଣ୍ଟାଉଛନ୍ତି। ମୈଥିଲୀଙ୍କ ଏହି ସଫଳତା କେବଳ ତାଙ୍କ ଜୀବନକୁ ବଦଳାଇନାହିଁ, ବରଂ ଡେବ୍ରିଗଡ଼ ଅଞ୍ଚଳର ଅନ୍ୟ ମହିଳାମାନଙ୍କୁ ମଧ୍ୟ ପ୍ରେରଣା ଦେଇଛି।ପ୍ରଧାନମନ୍ତ୍ରୀ କହିଛନ୍ତି, ଜଙ୍ଗଲ କେବଳ ଜୀବନର ନୁହେଁ, ଜୀବିକାର ମଧ୍ୟ ଆଧାର। ଜଙ୍ଗଲକୁ ସୁରକ୍ଷା ଦେବା ସହ ଏହାର ସମ୍ବଳକୁ ସୁଚାରୁ ଭାବେ ବ୍ୟବହାର କରି ମୈଥିଲୀ ରୋଜଗାରର ଏକ ନୂଆ ବାଟ ଦେଖାଇଛନ୍ତି। Post navigation Odisha Extends Paddy Registration Deadline: ରାଜ୍ୟରେ ୭ ଦିନ ବଢ଼ିଲା ଧାନ ପଞ୍ଜୀକରଣ ସମୟସୀମା Sofia Firdous Likely to Quit Congress: କଂଗ୍ରେସ ଛାଡ଼ି ଓଡ଼ିଶା ଜନତା କଂଗ୍ରେସରୁ ଲଢ଼ିବେ ସୋଫିଆ: ମହମ୍ମଦ ମୋକିମ୍