ଭୁବନେଶ୍ବର: ଓଡ଼ିଶାର ବିକାଶ ପାଇଁ କେନ୍ଦ୍ର ସରକାର ଗୁରତ୍ବ ଦେଉଛନ୍ତି। ଓଡ଼ିଶା ଗସ୍ତରେ ଆସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଏହା କହିଛନ୍ତି। ଯାଜପୁର ଜିଲ୍ଲା ଚଣ୍ଡିଖୋଲରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଆମ ସରକାର ଯେଉଁ ପ୍ରକଳ୍ପ ପାଇଁ ଶିଳାନ୍ୟାସ କରିଥାଏ, ଏହାକୁ ପୂର୍ଣ୍ଣ ରୂପ ଦେବା ପାଇଁ ମଧ୍ୟ କାମ କରିଥାଏ। ୨୦୧୪ ମସହିା ପୂର୍ବରୁ ଅଟକି ଥିବା ପ୍ରକଳ୍ପଗୁଡ଼ିକର କାମ ଅଧିକ ତ୍ବରାନ୍ବିତ ହୋଇଛି। ଆମ ସରକାର ପାରାଦୀପ ରିଫାଇନାରି ପ୍ରକଳ୍ପକୁ ପୂରା କରିଛି। ପୂର୍ବ ଭାରତର ପ୍ରାକୃତିକ ସମ୍ବଳକୁ ବ୍ୟବହାର କରି ବିକାଶ କରାଯାଇଛି। ଓଡ଼ିଶାରେ ବିକାଶର ନୂଆ ଧାରା ଆରମ୍ଭ ହୋଇଛି।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ମୋଦୀ ଆଜି ଓଡ଼ିଶାରେ ୧୯,୬୦୦ କୋଟି ପ୍ରକଳ୍ପର ଭେଟି ଦେଇଛନ୍ତି। ଏଥିରେ ପାରାଦୀପ ରିଫାଇନାରୀରେ ଭାରତୀୟ ତୈଳ ନିଗମ ଲିମିଟେଡ୍‌‌ ମୋନୋ ଏଥାଇଲନ୍‌‌ ଗ୍ଲାଇକଲ୍‌‌ ପ୍ରକଳ୍ପ, ପାରାଦୀପରୁ ପଶ୍ଚିମବଙ୍ଗର ହଳଦିଆ ପର୍ଯ୍ୟନ୍ତ ୩୪୪ କିମି ଦୈର୍ଘ୍ୟର ପାଇପଲାଇନ ଉଦଘାଟନ କରିଛନ୍ତି। ପାରାଦୀପରେ ଏଲପିଜି ଆମଦାନୀ ସୁବିଧାକୁ ମଧ୍ୟ ଲୋକାର୍ପଣ କରିଥିବା ବେଳେ ବିଭିନ୍ନ ଜାତୀୟ ରାଜଥର ସମ୍ପ୍ରସାରଣ ପାଇଁ ଭିତ୍ତିପ୍ରସ୍ତର ରଖିଛନ୍ତି। ସେହିପରି ୧୬୨ କିମି ବାଂଶପାଣି– ଦୈତାରୀ–ଟମକା– ଯଖପୁରା ରେଳ ଲାଇନ ଦୋହରୀକରଣକୁ ଦେଶ ପାଇଁ ଉତ୍ସର୍ଗ କରିଛନ୍ତି। କଳିଙ୍ଗ ନଗରରେ କନକୋର କଣ୍ଟେନର ଡିପୋ ଉଦ୍‌‌ଘାଟନ, ନର୍ଲାଠାରେ ପ୍ରସ୍ତାବିତ ଇଲେକ୍ଟ୍ରିକ୍‌‌ ରେଳ ଇଂଜିନ ମରାମତି କାରଖାନା, କଣ୍ଟାବାଞ୍ଜିରେ ୱାଗନ୍‌‌ ମରାମତି କାରଖାନା ଏବଂ ବାଘୁଆପାଳରେ ରେଳ ଇଞ୍ଜିନ ଓ ୱାଗନ ରକ୍ଷଣାବେକ୍ଷଣ ସୁବିଧାଗୁଡ଼ିକର ନବୀକରଣ ଏବଂ କ୍ଷମତା ବୃଦ୍ଧି ପାଇଁ ଭିତ୍ତିପ୍ରସ୍ତର ସ୍ଥାନ କରିଛନ୍ତି। କେନ୍ଦୁଝରଗଡ଼ ମାର୍ଗ ଦେଇ ପୁରୀ ଏବଂ ଆନନ୍ଦ ବିହାର (ନୂଆଦିଲ୍ଲୀ) ମଧ୍ୟରେ ନୂତନ ଟ୍ରେନ୍‌‌ କେନ୍ଦୁଝରଗଡ଼ ରେଳ ଷ୍ଟେସନରୁ ଶୁଭାରମ୍ଭ, କେନ୍ଦ୍ରାପଡ଼ା ଜିଲ୍ଲା ମଧ୍ୟଦେଇ ହରିଦାସପୁର– ପାରାଦୀପ ରେଳ ମାର୍ଗରେ ଯାତ୍ରୀବାହୀ ଟ୍ରେନ ଚଳାଚଳର ଶୁଭାରମ୍ଭ କରିଛନ୍ତି।

ଏହାସହ ଉପସ୍ଥିତ ବିଶାଳ ଜନସଭାକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହି ଅବସରରେ ଜୟ ଜଗନ୍ନାଥ କହି ଭାଷଣ ଆରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ । ସେ କହିଥିଲେ, ଓଡ଼ିଶାରେ ଆଜି ବିକାଶର ନୂଆ ଧାରା ଆରମ୍ଭ ହୋଇଛି । ଓଡ଼ିଶା ଓ ଦେଶର ବିକାଶ ପାଇଁ ବିଜୁ ବାବୁଙ୍କ ଯୋଗଦାନ ସ୍ମରଣୀୟ । ପୂର୍ବ ଯୋଜନାରେ ପ୍ରକଳ୍ପ ଠିକ୍‌ ସମୟରେ ସରୁନଥିଲା । ଆମ ସରକାର ପ୍ରକଳ୍ପକୁ ନିର୍ଦ୍ଧାରିତ ସମୟରେ ସାରିବାକୁ ଗୁରୁତ୍ୱ ଦିଏ । ଆମ ସରକାର ପାରାଦୀପ ରିଫାଇନାରୀ କାମ ସାରିଥିଲା ।

ଓଡ଼ିଶାର ବିକାଶ ପାଇଁ ଆମେ ଗୁରୁତ୍ୱ ଦେଇଆସୁଛୁ । ଓଡ଼ିଶା ରେଳ ବଜେଟ ପ୍ରାୟ ୧୨ ଗୁଣା ବଢ଼ାଇଛୁ । ଗଂଜାମରେ ଲୁଣି ଜଳ ପ୍ରକ୍ରିୟାକରଣ ପ୍ଲାଣ୍ଟ ଶିଳାନ୍ୟାସ ହୋଇଛି । ଲୁଣି ଜଳକୁ ପାନୀୟ ଉପଯୋଗୀ ଜଳରେ ପରିଣତ କରାଯିବ । ଏହାଦ୍ୱାରା ଦୈନିକ ୫୦ ଲକ୍ଷ ଲିଟର ପାନୀୟ ଜଳ ମିଳିବ ।

ଏହି ଅବସରରେ ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଶ୍ୱେଶ୍ୱର ଟୁଡୁ ପ୍ରମୁଖ ଉପସ୍ଥିତ ଥିଲେ  ।

ଚଣ୍ଡିଖୋଲ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶଂସା କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ଭାରତୀୟ ଅର୍ଥନୀତିକୁ ପ୍ରଧାନମନ୍ତ୍ରୀ ନୂଆ ଗତି ଦେଇଛନ୍ତି । ଏବେ ଭାରତ ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତି ହୋଇପାରିଛି । ଖୁବ୍‌ ଶୀଘ୍ର ଏହା ତୃତୀୟ ବୃହତ୍ତମ ଅର୍ଥନୀତି ହେବାକୁ ଯାଉଛି ବୋଲି କହିଛନ୍ତି । ଓଡ଼ିଶାକୁ ଅନେକ ପ୍ରକଳ୍ପ ଭେଟି ଦେଇଥିବାରୁ କୃତଜ୍ଞତା ଜଣାଇଲେ ମୁଖ୍ୟମନ୍ତ୍ରୀ । ଓଡ଼ିଶାର ବିକାଶ ପାଇଁ ମୁଁ ପ୍ରଧାନମନ୍ତ୍ରୀଙ୍କ ସହଯୋଗ କାମନା କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *