ଚଣ୍ଡିଖୋଲ: ଦିନିକିଆ ଓଡ଼ିଶା ଗସ୍ତରେ ଆସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚଣ୍ଡିଖୋଲରେ ଏକ ବିଶାଳ ଜନସଭାକୁ ସମ୍ୱୋଧିତ କରିଛନ୍ତି । ଜନସଭାରେ କେନ୍ଦ୍ର ସରକାରଙ୍କ ୧୦ ବର୍ଷର ଉପଲବ୍ଧିକୁ ଲୋକଙ୍କ ପାଖରେ ରଖିଛନ୍ତି । ମୋଦୀ ଗ୍ୟାରେଣ୍ଟି ସମାବେଶରେ ଜୟ ଜଗନ୍ନାଥ, ଜୟ ମାଆ ବିରଜା ଏବଂ ଜୟ ଶ୍ରୀରାମ କହି ପ୍ରଧାନମନ୍ତ୍ରୀ ମୋଦୀ ନିଜ ଅଭିଭାଷଣ ଆରମ୍ଭ କରିଛନ୍ତି । ଏହାପରେ ଓଡ଼ିଆରେ ସମସ୍ତଙ୍କୁ ଅଭିବାଦନ ଜଣାଇଛନ୍ତି । ଏହାସହ ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସ୍ମୃତି ଚାରଣ କରିଛନ୍ତି । ନିଜ ସମ୍ୱୋଧନରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବିଶାଳ ସଂଖ୍ୟାରେ ଲୋକଙ୍କ ଉପସ୍ଥିତି ସ୍ପଷ୍ଟ ସନ୍ଦେଶ ଦେଉଛି । ଓଡ଼ିଶାବାସୀଙ୍କ ସଂକଳ୍ପ ସ୍ପଷ୍ଟ, ଅବ୍ କି ବାର୍ ୪୦୦ ପାର୍ ।

ପ୍ରଧାନମନ୍ତ୍ରୀ କହିଛନ୍ତି, ‘୪୦୦ ପାର୍ ସଂକଳ୍ପ ଦେଶରେ ଏକ ମଜଭୁତ ଏବଂ ବଡ଼ ବଡ଼ ନିଷ୍ପତ୍ତି ନେବାର ସରକାର ଗଠନ ପାଇଁ । ୪୦୦ ପାର୍ ସଂକଳ୍ପ ଚାଷୀ, ଯୁଗବର୍ଗ, ନାରୀ ଶକ୍ତି ଏବଂ ଗରିବଙ୍କ ଜୀବନରେ ପରିବର୍ତ୍ତନ ଆଣିବା ପାଇଁ । ଏଥିରେ ପୂର୍ବ ଭାରତ ଏବଂ ଓଡ଼ିଶାର ବଡ଼ ଯୋଗଦାନ ରହିବାକୁ ଯାଉଛି । ଗତ ଦଶ ବର୍ଷରେ ବିଜେପି ସରକାର ଓଡ଼ିଶାରେ ଅଭୂତପୂର୍ବ ନିବେଶ କରିଛି । ଆମ ଉଦ୍ୟମ ଓଡିଶା ବିକଶିତ ଭାରତର ଗେଟ୍ ୱେ ହେଉ । ଓଡ଼ିଶା ବିକଶିତ ଭାରତରୁ ଉର୍ଜା ଦେଉଛି । ଏଠାରୁ ଗ୍ୟାସ୍ ପାଇପ୍ ଲାଇନ ପୂର୍ବ ଭାରତର ଅନେକ ରାଜ୍ୟରେ ପହଞ୍ଚୁଛି । ଓଡ଼ିଶା ପୋଲିଷ୍ଟରର ଏକ ବଡ଼ କେନ୍ଦ୍ର ପାଲଟୁଛି । ଟେକ୍ସଟାଇଲ୍ ପାର୍କ ପାଇଁ କଞ୍ଚା ମାଲ୍ ଏଠାରେ ପ୍ରସ୍ତୁତ ହେଉଛି । ଗତ ୧୦ ବର୍ଷରେ ଓଡ଼ିଶାର ପେଟ୍ରୋକେମିକାଲ ସେକ୍ଟରରେ ୨ ଲକ୍ଷ କୋଟି ଟଙ୍କାର ନିବେଶ ହୋଇଛି । ଅଧିକ ନିବେଶ ଅର୍ଥାତ୍ ଅଧିକ ନିଯୁକ୍ତି ସୁଯୋଗ । ଏହି ବିକାଶ କାର୍ଯ୍ୟ ଓଡ଼ିଶାର ଯୁବବର୍ଗଙ୍କ ଭାଗ୍ୟ ପରିବର୍ତ୍ତନ କରିବ ।’

ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ କଂଗ୍ରେସକୁ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି ଯେ ୨୦୧୪ ପୂର୍ବରୁ କଂଗ୍ରେସ ଏବଂ ଏହାର ସହଯୋଗୀ ଦଳ କେବଳ ନିଜ ସମ୍ପତ୍ତି ବଢାଉଥିଲେ । ଯେଉଁ କଂଗ୍ରେସ ସରକାର କୋଇଲା ଲୁଟି ଖାଇଯାଏ, ସିଏ ଗରିବଙ୍କୁ କିପରି ଖାଇବାକୁ ହେବ । ଯେଉଁ କଂଗ୍ରେସ ସରକାର ୟୁରିଆରେ ଦୁର୍ନୀତି କରିଛି, ସିଏ ଚାଷୀଙ୍କୁ ଶସ୍ତାରେ ୟୁରିଆ କିପରି ଦେଇଥାନ୍ତା । ସ୍ୱାଧୀନତା ପରଠୁ ହିଁ କଂଗ୍ରେସ ଦେଶରେ ଏପରି ସବୁ ବ୍ୟବସ୍ଥା କରିଥିଲା ଯେଉଁଥିରେ ଗରିବ, ଆଦିବାସୀ, ଯୁବବର୍ଗଙ୍କ ଅବିଶ୍ୱାସ ସୃଷ୍ଟି ହେବ । ଗରିବ ସାହାଯ୍ୟ ମାଗିବାକୁ ଗଲେ କଂଗ୍ରେସ ସରକାର ଗ୍ୟାରେଣ୍ଟି ମାଗୁଥିଲା । ବ୍ୟାଙ୍କରେ ଖାତା ଖୋଲିବା ବେଳେ କଂଗ୍ରେସ କହୁଥିଲା ଗ୍ୟାରେଣ୍ଟି ଦିଏ, ନିଯୁକ୍ତି ପାଇଁ ଅଫିସରଙ୍କ ଗ୍ୟାରେଣ୍ଟି ମାଗୁଥିଲା । କିନ୍ତୁ ୨୦୧୪ ପରେ ଗୋଟିଏ ଗରିବ ପୁଅ କେନ୍ଦ୍ର ସରକାରକୁ ଆସିଲା । ଗରିବର ପୁଅ ପ୍ରଧାନମନ୍ତ୍ରୀ ହେବା ପରେ ସେ କହିଥିଲା ଯେ ଗରିବର ଗ୍ୟାରେଣ୍ଟି ମୋଦୀ ହେବ । ଯେଉଁ ଗରିବ ପାଖରେ ଗ୍ୟାରେଣ୍ଟି ପାଇଁ କିଛି ନଥିଲା ମୋଦୀ ତାର ଗ୍ୟାରେଣ୍ଟି ହେଲା । ଯାହାଙ୍କୁ କେବେ କେହି ପଚାରୁ ନଥିଲେ, ତାଙ୍କୁ ମୋଦୀ ପଚାରିଲା । ଓଡ଼ିଶାର ଥିବା ଅନେକ ଜନଜାତଙ୍କ କଥା କେହି ବୁଝି ନଥିଲେ । କିନ୍ତୁ ମୋଦି ସରକାର ଏହି ଆଦିବାସୀ ଲୋକଙ୍କ ପାଇଁ ପିଏମ୍ ଜନମନ ଯୋଜନା ଆରମ୍ଭ କରିଥିଲେ ବୋଲି ସେ କହିଛନ୍ତି  ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *