ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ ଚାଲିଥିବା ‘ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା’ରେ ଝଟକୁଛି ‘ଓଡ଼ିଶା ମଣ୍ଡପ’। ଦେଶ ବିଦେଶରୁ ପ୍ରତିଦିନ ଏହି ମେଳାକୁ ଆସୁଥିବା ଦର୍ଶକମାନେ ଓଡ଼ିଶା ମଣ୍ଡପ ବୁଲିବାକୁ ଆସୁଛନ୍ତି। ଓଡ଼ିଶାର ବିଭିନ୍ନ ଆକର୍ଷଣୀୟ ଉତ୍ପାଦ କିଣିବାକୁ ଆଗ୍ରହ ଦେଖାଉଛନ୍ତି। ଚଳିତବର୍ଷ ‘ଓଡ଼ିଶା ମଣ୍ଡପ’ରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଓ ସଂସ୍ଥା ପକ୍ଷରୁ ଖୋଲାଯାଇଥିବା ୨୫ଟି ସ୍ୱତନ୍ତ୍ର ଷ୍ଟଲ୍ ରେ ଓଡ଼ିଶାର ଅନନ୍ୟ କଳା କାରିଗରୀ , ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀ ସହିତ ଜନଜାତି କଳାକୃତି ସ୍ଥାନ ପାଇଛି। ସେହିପରି ଓଡ଼ିଶାର ସ୍ୱତନ୍ତ୍ର ହାତବୁଣା ଶାଢ଼ି ଓ ଆଧୁନିକ ପୋଷାକ କିଣିବାକୁ ଲୋକଙ୍କର ଭିଡ଼ ଜମୁଛି। ବାଣିଜ୍ୟ ମେଳାରେ ଓଡ଼ିଶାର ବିଭିନ୍ନ ଗ୍ରାମୀଣ ଉତ୍ପାଦ ଏବଂ ମିଶନ ଶକ୍ତି ମହିଳାଙ୍କ ହାତ ତିଆରି ଜିନିଷର ବେଶ୍ ଚାହିଦା ରହିଛି। ପୁଷ୍ଟିଶସ୍ୟରୁ ପ୍ରସ୍ତୁତ ବିଭିନ୍ନ ପ୍ରକାର ଖାଦ୍ୟ ଓ କନ୍ଧମାଳ ହଳଦୀ ସହ ଓଡ଼ିଶାର ତାଳଗୁଡ଼, ନାଲି ଚୂଡ଼ା, କଳାଜିରା ଚାଉଳ ଏବଂ ବ୍ରହ୍ମପୁର ଆଚାର ଆଦି ଓଡ଼ିଶା ମଣ୍ଡପକୁ ଆସୁଥିବା ଲୋକଙ୍କ ପାଇଁ ଆକର୍ଷଣ ସାଜିଛି। ‘ଓଡିଶା ମଣ୍ଡପ’ର ଆଉ ଏକ ଆକର୍ଷଣ ହେଉଛି ରାଜ୍ୟର ଅନନ୍ୟ ହସ୍ତକଳା ଓ ହସ୍ତଶିଳ୍ପ ସାମଗ୍ରୀର ଲାଇଭ୍ ଡେମନଷ୍ଟ୍ରେସନ। ଏଠାରେ ଓଡ଼ିଶାର କାରିଗରମାନେ ପଟ୍ଟଚିତ୍ର, ରୁପା ତାରକସି ଓ ସବାଇ ଘାସରୁ ବିଭିନ୍ନ ଉତ୍ପାଦ ପ୍ରସ୍ତୁତ କରୁଛନ୍ତି।ସେହିପରି ଅହିଂସା ଉପାୟରେ ପ୍ରସ୍ତୁତ ‘କରୁଣା ସିଲ୍କ’ ଦେଶ ବିଦେଶର ଲୋକଙ୍କୁ ଆକର୍ଷିତ କରୁଛି। ଭାରତ ମଣ୍ଡପମ୍ ର ସ୍ୱତନ୍ତ୍ର ଫୁଡ ଜୋନରେ ଓଡିଶା ବ୍ୟଞ୍ଜନର ଷ୍ଟଲ ଖୋଲାଯାଇଥିବା ବେଳେ ଓଡ଼ିଶା ରସଗୋଲା, ଦହିବରା, ଛେନାଝିଲ୍ଲି ଓ ଛନାପୋଡ଼ର ସୁଆଦ ଲୋକଙ୍କୁ ବେଶ୍ ଆକର୍ଷିତ କରୁଛି । ‘ବିକଶିତ ଭାରତ @ 2047’ ଥିମକୁ ନେଇ ପ୍ରସ୍ତୁତ ‘ଓଡ଼ିଶା ମଣ୍ଡପ’ ଡିଜାଇନରେ ସଂସ୍କୃତି ଓ ପ୍ରଯୁକ୍ତିର ଚମତ୍କାର ସମନ୍ୱୟ ରହିଛି। ଏଠାରେ ରାଜ୍ୟର ପ୍ରାଚୀନ କୀର୍ତ୍ତିରାଜି ସହ ଭାରତର ଆଧୁନିକ ବିଜ୍ଞାନ ଓ କାରିଗରିର ଯାତ୍ରା ପ୍ରତିଫଳିତ ହେଉଛି। ଏହାର ପ୍ରବେଶ ପଥରେ ନିର୍ମିତ ଓଡ଼ିଶାର ମନ୍ଦିର ଭାସ୍କର୍ଯ୍ୟର ମୁଖଶାଳା ମୁକ୍ତେଶ୍ୱର ତୋରଣ ଦର୍ଶକମାନଙ୍କୁ ଆକର୍ଷିତ କରୁଛି। ସେହିପରି କୋଣାର୍କ ମନ୍ଦିରର ପ୍ରତିରୂପ ଓ ରତ୍ନଗିରିର ବୌଦ୍ଧ କୀର୍ତ୍ତିରାଜି ସହ ଅତ୍ୟାଧୁନିକ ବୁଲେଟ୍ ଟ୍ରେନ ଓ ଶିଳ୍ପ ପ୍ରଗତିର ଚିତ୍ର ପାଭିଲିୟନକୁ ଆସୁଥିବା ଦର୍ଶକମାନଙ୍କୁ ବେଶ୍ ଆକୃଷ୍ଟ କରୁଛି। Post navigation ଲୋକସେବା ଭବନରେ ମହିଳାଙ୍କ ପାଇଁ ସାନିଟାରୀ ନାପକିନ୍ ଭେଣ୍ଡିଂ ମେସିନ୍ ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ ଖାଦ୍ୟ ଅଭାବ ରୁ ତେନ୍ତୁଳି ମଞ୍ଜି ଖାଇବାକୁ ବାଧ୍ୟ ହେଉଛନ୍ତି ଡଙ୍ଗରିଆ ଆଦିବାସୀ