ନୀତି ଆୟୋଗଙ୍କ ଦ୍ୱାରା ପ୍ରଥମ ଥର ପାଇଁ ପ୍ରକାଶିତ ‘ଇନଭେଷ୍ଟମେଣ୍ଟ ଫ୍ରେଣ୍ଡଲିନେସ୍ ଇଣ୍ଡେକ୍ସ (IFI) ୨୦୨୬’ରେ ଓଡ଼ିଶା ଦେଶର ଶୀର୍ଷ ୫ଟି ରାଜ୍ୟ ମଧ୍ୟରେ ସ୍ଥାନ ପାଇବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶାବାସୀ, ସମସ୍ତ ସରକାରୀ ବିଭାଗ, ଶିଳ୍ପ ସହଯୋଗୀ, ଉଦ୍ୟୋଗୀ, ନିବେଶକ ଏବଂ ସରକାରୀ କର୍ମଚାରୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ଏହି ସଫଳତାକୁ ଓଡ଼ିଶାର ବିକାଶ ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଭାବେ ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି ମାନ୍ୟତା ରାଜ୍ୟର ସ୍ୱଚ୍ଛ ଶାସନ, ନୀତିଗତ ସଂସ୍କାର, ନିବେଶକ-ଅନୁକୂଳ ପ୍ରଶାସନ ଏବଂ ସ୍ଥାୟୀ ଶିଳ୍ପ ବିକାଶ ପ୍ରତି ଆମର ଦୃଢ଼ ପ୍ରତିବଦ୍ଧତାକୁ ଦର୍ଶାଉଛି। ଏହାଦ୍ୱାରା ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନ ପାଇଁ ଆମର ସଂକଳ୍ପ ଆହୁରି ସୁଦୃଢ଼ ହୋଇଛି ।

ମୁଖ୍ୟମନ୍ତ୍ରୀ କହିଛନ୍ତି, “ସବୁଠାରୁ ନିବେଶ-ଅନୁକୂଳ ଶୀର୍ଷ ୫ଟି ରାଜ୍ୟ ମଧ୍ୟରେ ଓଡ଼ିଶାର ସ୍ଥାନ ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଅତ୍ୟନ୍ତ ଗର୍ବର ବିଷୟ। ଏହି ସଫଳତା ସ୍ୱଚ୍ଛ ଶାସନ, ଶିଳ୍ପ-ଅନୁକୂଳ ନୀତି ଏବଂ ଦକ୍ଷ ସେବା ଯୋଗାଣ ପ୍ରତି ଆମର ସାମୂହିକ ପ୍ରତିବଦ୍ଧତାର ପ୍ରତିଫଳନ। ଓଡ଼ିଶା ପ୍ରତି ନିରନ୍ତର ଆସ୍ଥା ପ୍ରକଟ କରିଥିବାରୁ ଆମେ ଆମର ଶିଳ୍ପ ସହଯୋଗୀମାନଙ୍କୁ ଧନ୍ୟବାଦ ଜଣାଉଛୁ। ଏହି ମାନ୍ୟତା ଆମର ଚୂଡ଼ାନ୍ତ ଲକ୍ଷ୍ୟ ନୁହେଁ, ବରଂ ଏକ ମାଇଲଖୁଣ୍ଟ। ଆମେ ନିରନ୍ତର ସଂସ୍କାର ଜାରି ରଖିବୁ, ଭିତ୍ତିଭୂମିକୁ ସୁଦୃଢ଼ କରିବୁ ଏବଂ ଏକ ଅଧିକ ଅନୁକୂଳ ପରିବେଶ ସୃଷ୍ଟି କରିବୁ ଯାହା ଦ୍ୱାରା ଓଡ଼ିଶା ଭାରତ ଏବଂ ନିବେଶ କ୍ଷେତ୍ରରେ ବିଶ୍ୱ ସ୍ତରରେ ସବୁଠାରୁ ପସନ୍ଦଯୋଗ୍ୟ ଗନ୍ତବ୍ୟସ୍ଥଳ ଭାବେ ପରିଗଣିତ ହୋଇପାରିବ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଦୂରଦର୍ଶୀ ନେତୃତ୍ୱ ଏବଂ ସଂଘୀୟ ବ୍ୟବସ୍ଥା ପ୍ରତି ତାଙ୍କର ଦୃଢ଼ ପ୍ରତିବଦ୍ଧତା ପାଇଁ ମୁଖ୍ୟମନ୍ତ୍ରୀ ତାଙ୍କର ଆନ୍ତରିକ କୃତଜ୍ଞତା ଜଣାଇଛନ୍ତି। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ଯୁଗାନ୍ତକାରୀ ସଂସ୍କାର ଏବଂ ‘ଡବଲ୍ ଇଞ୍ଜିନ୍ ସରକାର’ର ଶକ୍ତି ଓଡ଼ିଶାର ଭିତ୍ତିଭୂମି, ଶିଳ୍ପାୟନ, ସଂଯୋଗୀକରଣ, ଲଜିଷ୍ଟିକ୍ସ, ଦକ୍ଷତା ବିକାଶ ଏବଂ ସାମଗ୍ରିକ ଅର୍ଥନୈତିକ ପ୍ରଗତିକୁ ତ୍ୱରାନ୍ୱିତ କରିଛି।

ପ୍ରଧାନମନ୍ତ୍ରୀଙ୍କ ‘ବିକଶିତ ଭାରତ’ ପରିକଳ୍ପନା ଦ୍ୱାରା ଅନୁପ୍ରାଣିତ ହୋଇ, ଓଡ଼ିଶା ସରକାର ୨୦୩୬ ସୁଦ୍ଧା ଏକ ‘ସମୃଦ୍ଧ ଓଡ଼ିଶା’ ଗଠନ ପାଇଁ ପ୍ରତିବଦ୍ଧ, ଯେଉଁଠାରେ ଶିଳ୍ପ ଅଭିବୃଦ୍ଧି ଗୁଣାତ୍ମକ ରୋଜଗାର ସୃଷ୍ଟି କରିବ, ଯୁବବର୍ଗଙ୍କୁ ସଶକ୍ତ କରିବ ଏବଂ ରାଜ୍ୟର ପ୍ରତ୍ୟେକ ଅଞ୍ଚଳରେ ସର୍ବବ୍ୟାପୀ ସମୃଦ୍ଧି ସୁନିଶ୍ଚିତ କରିବ।

ନୀତି ଆୟୋଗ ଦ୍ୱାରା ପ୍ରକାଶିତ ‘ଇନଭେଷ୍ଟମେଣ୍ଟ ଫ୍ରେଣ୍ଡଲିନେସ୍ ଇଣ୍ଡେକ୍ସ’ ହେଉଛି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ନିବେଶ ପରିବେଶ ଆକଳନ ପାଇଁ ଭାରତର ପ୍ରଥମ ସମ୍ପୂର୍ଣ୍ଣ, ତଥ୍ୟ-ଆଧାରିତ ବ୍ୟବସ୍ଥା।

ଗୁଜରାଟ, ମହାରାଷ୍ଟ୍ର, ତାମିଲନାଡୁ ଏବଂ ଗୋଆ ସହିତ ଓଡ଼ିଶା ଶୀର୍ଷ ପ୍ରଦର୍ଶନକାରୀ ରାଜ୍ୟ ଭାବେ ସ୍ଥାନ ପାଇଛି, ଯାହା ଭାରତର ସବୁଠାରୁ ପ୍ରତିଯୋଗିତାମୂଳକ ନିବେଶ ଗନ୍ତବ୍ୟସ୍ଥଳ ଭାବେ ଏହାର ଆବିର୍ଭାବକୁ ପୁନଃ ପ୍ରତିପାଦିତ କରୁଛି।

ମୁଖ୍ୟମନ୍ତ୍ରୀ ଆଉ ମଧ୍ୟ କହିଛନ୍ତି ଯେ, ଏହି ମାନ୍ୟତା ଓଡ଼ିଶାର ଶାସନ ସଂସ୍କାର, ବ୍ୟବସାୟ ସହଜସାଧ୍ୟତା, ସଂସ୍ଥାଗତ ଦକ୍ଷତା ଏବଂ ନିବେଶକଙ୍କ ସୁବିଧା ପ୍ରତି ନିରନ୍ତର ଧ୍ୟାନକୁ ପ୍ରମାଣିତ କରୁଛି। ପ୍ରଗତିଶୀଳ ନୀତିଗତ ପଦକ୍ଷେପ, ଡିଜିଟାଲ୍ ଶାସନ, ସମୟସୀମା ମଧ୍ୟରେ ମଞ୍ଜୁରୀ, ସୁଦୃଢ଼ ସଂସ୍ଥାଗତ ବ୍ୟବସ୍ଥା ଏବଂ ଏକ ମଜବୁତ୍ ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ସିଷ୍ଟମ୍ ମାଧ୍ୟମରେ ରାଜ୍ୟ ଏକ ଅନୁକୂଳ ପରିବେଶ ସୃଷ୍ଟି କରିଛି, ଯାହା ବିଭିନ୍ନ କ୍ଷେତ୍ରରେ ନିବେଶକୁ ପ୍ରୋତ୍ସାହିତ କରୁଛି। ଓଡ଼ିଶାର ବିକାଶ କାହାଣୀ ଆଜି କେବଳ ପାରମ୍ପରିକ ଶିଳ୍ପ ଶକ୍ତି ମଧ୍ୟରେ ସୀମିତ ନାହିଁ। ରାଜ୍ୟ କ୍ରମାଗତ ଭାବେ ବିଭିନ୍ନ କ୍ଷେତ୍ରରେ ନିବେଶ ଆକୃଷ୍ଟ କରୁଛି ଏବଂ ଏକ ବିବିଧ ଉତ୍ପାଦନ ଏବଂ ସେବା ହବ୍ ଭାବେ ମାନ୍ୟତା ହାସଲ କରୁଛି ।

ନିଜର ମତବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି ନିବେଶଗୁଡ଼ିକ ଓଡ଼ିଶାର ଇଣ୍ଡଷ୍ଟ୍ରି ଭାଲ୍ୟୁ ଚେନ୍‌କୁ ସୁଦୃଢ଼ କରିବା ସହିତ ସନ୍ତୁଳିତ ଆଞ୍ଚଳିକ ବିକାଶକୁ ପ୍ରୋତ୍ସାହିତ ମଧ୍ୟ କରୁଛି । ଏମଏସଏମଇ ଓ ଷ୍ଟାର୍ଟଅପ୍‌ଗୁଡ଼ିକୁ ସହାୟତା ଯୋଗାଇ ଦେବା ସହିତ ନବସୃଜନ ଓ ଦକ୍ଷତା ବିକାଶକୁ ମଧ୍ୟ ପ୍ରୋତ୍ସାହିତ କରୁଛି । ଏହି ବିପୁଳ ନିବେଶ ଦ୍ୱାରା ଓଡ଼ିଶାର ଯୁବବର୍ଗଙ୍କ ପାଇଁ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିଛି ।

ସମନ୍ୱିତ ଶିଳ୍ପ ପାର୍କ, ଲଜିଷ୍ଟିକ୍ସ କରିଡର, ଉନ୍ନତ ସଂଯୋଗୀକରଣ, ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ଏବଂ କ୍ଷେତ୍ର-ଭିତ୍ତିକ ଶିଳ୍ପ ପରିବେଶ ମାଧ୍ୟମରେ ଆଧୁନିକ ଶିଳ୍ପ ଭିତ୍ତିଭୂମିର ବିକାଶକୁ ସରକାର ପ୍ରାଥମିକତା ଦେଇଛନ୍ତି।

ଦେଶୀୟ ଏବଂ ବିଶ୍ୱସ୍ତରୀୟ ନିବେଶକମାନଙ୍କ ସହ ନିରନ୍ତର ଆଲୋଚନା, ନୀତିଗତ ସ୍ଥିରତା ଏବଂ ଦକ୍ଷ ପ୍ରକଳ୍ପ ସୁବିଧା ଏକ ଭରସାଯୋଗ୍ୟ ନିବେଶ ଗନ୍ତବ୍ୟସ୍ଥଳ ଭାବେ ଓଡ଼ିଶାର ସୁନାମକୁ ଆହୁରି ସୁଦୃଢ଼ କରିଛି।

ସରକାରଙ୍କ ଦୀର୍ଘମିଆଦୀ ବିକାଶ ଏଜେଣ୍ଡାକୁ ଦୋହରାଇ ଶ୍ରୀ ମାଝୀ କହିଛନ୍ତି ଯେ, ଓଡ଼ିଶା ଗଠନର ଶତବାର୍ଷିକୀ ବର୍ଷ ୨୦୩୬ ସୁଦ୍ଧା ‘ସମୃଦ୍ଧ ଓଡ଼ିଶା’ର ସ୍ୱପ୍ନକୁ ସାକାର କରିବା ପାଇଁ ରାଜ୍ୟ ଏକ ସ୍ପଷ୍ଟ ରୋଡମ୍ୟାପ୍ ସହିତ କାର୍ଯ୍ୟ କରୁଛି, ଯାହା ‘ବିକଶିତ ଭାରତ ୨୦୪୭’ର ଜାତୀୟ ଲକ୍ଷ୍ୟରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେବ।

ଶିଳ୍ପ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଛନ୍ତି ଯେ ଏହି ଜାତୀୟ ମାନ୍ୟତା ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଦୂରଦର୍ଶୀ ନେତୃତ୍ୱ ଏବଂ ଏକ ଉତ୍ତରଦାୟୀ, ସ୍ୱଚ୍ଛ ଓ ବିଶ୍ୱସ୍ତରୀୟ ନିବେଶ ପରିବେଶ ସୃଷ୍ଟି କରିବାରେ ‘ଟିମ୍ ଓଡ଼ିଶା’ର ସାମୂହିକ ଉଦ୍ୟମକୁ ପ୍ରତିଫଳିତ କରୁଛି।

ସେହିପରି ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଛନ୍ତି-ନୀତି ଆୟୋଗଙ୍କ ଇନଭେଷ୍ଟମେଣ୍ଟ ଫ୍ରେଣ୍ଡଲିନେସ୍ ଇଣ୍ଡେକ୍ସରେ ଶୀର୍ଷ ୫ଟି ରାଜ୍ୟ ମଧ୍ୟରେ ସ୍ଥାନ ପାଇବା ଓଡ଼ିଶାର ଶିଳ୍ପ ବିକାଶ ପ୍ରତି ରହିଥିବା ସଂସ୍କାରମୁଖୀ ଆଭିମୁଖ୍ୟର ଏକ ଦୃଢ଼ ପ୍ରମାଣ। ମୁଖ୍ୟମନ୍ତ୍ରୀଲ ମୋହନ ଚରଣ ମାଝୀଙ୍କ ଦୂରଦର୍ଶୀ ନେତୃତ୍ୱରେ ରାଜ୍ୟ ଏକ ଉତ୍ତରଦାୟୀ, ସ୍ୱଚ୍ଛ ଏବଂ ବିଶ୍ୱସ୍ତରୀୟ ପ୍ରତିଯୋଗୀ ନିବେଶ ପରିବେଶ ସୃଷ୍ଟି କରିବା ପାଇଁ ପ୍ରତିବଦ୍ଧ। ଆମେ ଶିଳ୍ପ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା, ପ୍ରକଳ୍ପଗୁଡ଼ିକର ଶୀଘ୍ର କାର୍ଯ୍ୟାନ୍ୱୟନ, ଦକ୍ଷ ପ୍ରତିଭା ଗଠନ ଏବଂ ବିଶ୍ୱସ୍ତରୀୟ ଭିତ୍ତିଭୂମି ନିର୍ମାଣ ଉପରେ ଧ୍ୟାନ କେନ୍ଦ୍ରୀଭୂତ ରଖିଛୁ। ଆମେ ବିଶ୍ୱସାରାର ନିବେଶକମାନଙ୍କୁ ଓଡ଼ିଶା ସହିତ ଭାଗିଦାରୀ କରିବାକୁ ଏବଂ ଆମର ଅଭିବୃଦ୍ଧି କାହାଣୀର ଅଂଶବିଶେଷ ହେବାକୁ ଆମନ୍ତ୍ରଣ କରୁଛୁ।”

ଓଡ଼ିଶା ସରକାର ନୀତିଗତ ନବସୃଜନ, ପ୍ରଯୁକ୍ତିବିଦ୍ୟା-ଆଧାରିତ ଶାସନ, ଭିତ୍ତିଭୂମି ବିକାଶ ଏବଂ ଶିଳ୍ପ କ୍ଷେତ୍ର ସହ ନିବିଡ଼ ଆଲୋଚନା ମାଧ୍ୟମରେ ରାଜ୍ୟର ନିବେଶ ପରିବେଶକୁ ନିରନ୍ତର ସୁଦୃଢ଼ କରିବା ପାଇଁ ତାଙ୍କର ପ୍ରତିବଦ୍ଧତାକୁ ପୁନଃପ୍ରକାଶ କରିଛନ୍ତି। ଏହି ମାନ୍ୟତାକୁ ଆଧାର କରି ଓଡ଼ିଶା ପ୍ରଗତିଶୀଳ ସଂସ୍କାର ଜାରି ରଖିବ, ଯାହା ପ୍ରତିଯୋଗିତାମୂଳକତାକୁ ବୃଦ୍ଧି କରିବ, ନିବେଶକଙ୍କ ଅନୁଭୂତିକୁ ସୁଧାରିବ ଏବଂ ରାଜ୍ୟକୁ ଦେଶୀୟ ଓ ବୈଶ୍ୱିକ ନିବେଶ ପାଇଁ ଏକ ପସନ୍ଦଯୋଗ୍ୟ ଗନ୍ତବ୍ୟସ୍ଥଳ ଭାବେ ପ୍ରତିଷ୍ଠିତ କରିବ।

ସୁଶାସନ, ଶିଳ୍ପ ବିବିଧିକରଣ, ନବସୃଜନ ଏବଂ ସ୍ଥାୟୀ ବିକାଶ ଉପରେ ଓଡ଼ିଶାର ନିରନ୍ତର ଧ୍ୟାନ ଭାରତର ଅଗ୍ରଣୀ ବିକାଶ ଇଞ୍ଜିନ୍ ଭାବେ ଏହାର ସ୍ଥିତିକୁ ଆହୁରି ସୁଦୃଢ଼ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି।

ମୁଖ୍ୟମନ୍ତ୍ରୀ ଶେଷରେ କହିଛନ୍ତି ଯେ, ଏହି ସଫଳତା ଆମର ଚୂଡ଼ାନ୍ତ ଲକ୍ଷ୍ୟ ନୁହେଁ, ବରଂ ଓଡ଼ିଶାର ବିକାଶ ଯାତ୍ରାରେ ଅନ୍ୟ ଏକ ମାଇଲଖୁଣ୍ଟ। ଏକତ୍ରିତ ହୋଇ, ଆମେ ଏକ ସୁଦୃଢ଼ ଅର୍ଥବ୍ୟବସ୍ଥା ଗଠନ କରିବା, ଆମ ଯୁବବର୍ଗଙ୍କ ପାଇଁ ଗୁଣାତ୍ମକ ରୋଜଗାର ସୃଷ୍ଟି କରିବା, ଅଧିକ ନିବେଶ ଆକୃଷ୍ଟ କରିବା ଏବଂ ୨୦୩୬ ସୁଦ୍ଧା ‘ସମୃଦ୍ଧ ଓଡ଼ିଶା’ର ସ୍ୱପ୍ନକୁ ସାକାର କରିବା, ଯାହା ‘ବିକଶିତ ଭାରତ ୨୦୪୭’ର ଜାତୀୟ ଲକ୍ଷ୍ୟରେ ଅର୍ଥପୂର୍ଣ୍ଣ ଯୋଗଦାନ ଦେବ ବୋଲି ଦୃଢ଼ ଆସ୍ଥା ପ୍ରକଟ କରିଛନ୍ତି ।

Leave a Reply

Your email address will not be published. Required fields are marked *