ଓଡ଼ିଶା ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ପ୍ରଶାସନିକ ସ୍ତରରେ ଏକ ବଡ଼ ଧରଣର ଅଦଳବଦଳ କରାଯାଇଛି। ଏନେଇ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁଯାୟୀ, ତିନି ଜଣ ସିନିୟର IAS ଅଧିକାରୀଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରାଯାଇଛି।

୧୯୯୮ ବ୍ୟାଚର ବରିଷ୍ଠ ଆଇଏଏସ୍ ଅଫିସର ସୁରେଶ କୁମାର ବଶିଷ୍ଠଙ୍କୁ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ନିଯୁକ୍ତ କରାଯାଇଛି। ଏହା ସହିତ ସଂସଦୀୟ ବ୍ୟାପାର ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ତାଙ୍କୁ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି।

ସେହିପରି ୨୦୧୦ ବ୍ୟାଚର ଆଇଏଏସ୍ ଅଫିସର ସୁଧାଂଶୁ ମୋହନ ସାମଲଙ୍କୁ ଓଡ଼ିଶା ଖଣି ନିଗମ ଲିମିଟେଡ୍ ର ଅଧ୍ୟକ୍ଷ-ତଥା-ପରିଚାଳନା ନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଛି। ଏହା ବ୍ୟତୀତ କଟକ କେନ୍ଦ୍ରାଞ୍ଚଳ ରାଜସ୍ୱ ମଣ୍ଡଳ ଆୟୁକ୍ତ ଭାବେ ମଧ୍ୟ ସେ ଅତିରିକ୍ତ ଦାୟିତ୍ୱ ତୁଲାଇବେ। ସୁଧାଂଶୁ ସାମଲ ଦାୟିତ୍ୱ ଗ୍ରହଣ କରିବା ପରେ ଓଡ଼ିଶା ଖଣି ନିଗମର ଅଧ୍ୟକ୍ଷ ଭାବେ ଗିରିଶ ଏସ୍. ଏନ୍. ଙ୍କ ନିକଟରେ ଥିବା ଅତିରିକ୍ତ ଦାୟିତ୍ୱ ସମାପ୍ତ ହେବ।

ଏଥି ସହିତ ୨୦୧୦ ବ୍ୟାଚର ଆଇଏଏସ୍ ଅଧିକାରୀ ଡା. ବୃନ୍ଦା ଡି.ଙ୍କୁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର କମିଶନର ତଥା ଶାସନ ସଚିବ ଭାବେ ନୂତନ ଦାୟିତ୍ୱ ଦିଆଯାଇଛି।

Leave a Reply

Your email address will not be published. Required fields are marked *