ଗଣେଶ ପୂଜା ପାଇଁ ରାଜଧାନୀ ଭୁବନେଶ୍ୱର ଓ ଆଖପାଖ ଅଞ୍ଚଳ ଚଳଚଞ୍ଚଳ ହୋଇଉଠିଛି। ବିଭିନ୍ନ ପୂଜା ମଣ୍ଡପରେ ଆକର୍ଷଣୀୟ ତୋରଣ ଓ ପ୍ରତିମା ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏହାରି ମଧ୍ୟରେ ରାଜଧାନୀ ଭୁବନେଶ୍ୱରରେ ଗଣେଶ ପୂଜାକୁ ଶାନ୍ତିପୂର୍ଣ୍ଣ, ଶୃଙ୍ଖଳିତ ଏବଂ ସୁରକ୍ଷିତ ଭାବେ ସମ୍ପାଦନ କରିବା ପାଇଁ କମିଶନରେଟ୍ ପୋଲିସ୍ ପକ୍ଷରୁ କଡ଼ା ନିୟମାବଳୀ ଜାରି କରାଯାଇଛି। ପୂଜା କମିଟିର ସଦସ୍ୟମାନଙ୍କ ସହ ଆଲୋଚନା କରିବା ପରେ ପୋଲିସ୍ ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି।

ଭୁବନେଶ୍ୱର ସହର ଭିତରେ ୩୭୦ଟି ଏବଂ ଜଟଣୀ ଥାନା ଅଞ୍ଚଳରେ ୪୦ଟି ମେଢ଼ ସହ ମୋଟ ୪୨୦ଟି ସ୍ଥାନରେ ପୂଜା ଆୟୋଜନ କରାଯାଉଛି। ପୂଜାକୁ ନିରାପଦ ଓ ଆଇନଶୃଙ୍ଖଳା ନିୟନ୍ତ୍ରଣ ମଧ୍ୟରେ ଶେଷ କରିବାକୁ କମିଶନରେଟ୍ ପୋଲିସ କଡ଼ା ଗାଇଡ୍‌ଲାଇନ୍ ଜାରି କରିଛି।

ପୂଜା ମଣ୍ଡପ ଓ ଭାସାଣ ରାସ୍ତାରେ ସୁରକ୍ଷା ପାଇଁ ୪ ଜଣ ଅତିରିକ୍ତ ଡିସିପି, ୧୦ ଜଣ ଏସିପି, ୩୨ ଜଣ ଇନ୍ସପେକ୍ଟର, ୧୦୦ ଜଣ ଏସଆଇ/ଏଏସଆଇ, ୨୦ ଜଣ ମହିଳା କନଷ୍ଟେବଳ, ୩୦ ପ୍ଲାଟୁନ୍ ପୋଲିସ ଫୋର୍ସ ଏବଂ ୧ଟି ଓଡ୍ରାଫ୍ ଟିମ୍ ମୋତୟନ କରାଯାଇଛି। ପ୍ରଶାସନ ପକ୍ଷରୁ ସମସ୍ତ ଶ୍ରଦ୍ଧାଳୁ ଓ ପୂଜା କମିଟିକୁ ନିୟମାବଳୀ ମାନିବାକୁ ଅନୁରୋଧ କରାଯାଇଛି।

ଗାଇଡ୍‌ଲାଇନ୍ ଅନୁଯାୟୀ ଶୋଭାଯାତ୍ରା ସମୟରେ ଡିଜେ ବଜାଇବା ଓ ବାଣ ଫୁଟାଇବା ଉପରେ ସମ୍ପୂର୍ଣ୍ଣ ବ୍ୟାନ୍ ଲଗାଯାଇଛି। କେବଳ ପାରମ୍ପରିକ ବାଜା ଓ କମ୍ ଶବ୍ଦବିଶିଷ୍ଟ ମାଇକ୍ ବ୍ୟବହାର କରିବାକୁ ଅନୁମତି ରହିଛି। ମେଲୋଡି ଓ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ କେବଳ ରାତ୍ରି ୧୦ ଟା ପର୍ଯ୍ୟନ୍ତ ଚାଲିପାରିବ। ଏଥି ସହିତ ସକାଳ ୯ ଟା ରୁ ୧୧ ଟା ଏବଂ ସନ୍ଧ୍ୟା ୫:୩୦ ରୁ ରାତି ୮ ଟା ପର୍ଯ୍ୟନ୍ତ ଶୋଭାଯାତ୍ରା କରିବାକୁ ବାରଣ କରାଯାଇଛି। ଏହା ସହ ଜାତୀୟ ରାଜପଥରେ ଶୋଭାଯାତ୍ରା କରିବା ମନା। ସେହିପରି ପ୍ରତିମା ଭାସାଣ ପାଇଁ ସେପ୍ଟେମ୍ବର ୧୬, ୧୮ ଓ ୨୦ ତାରିଖ ଧାର୍ଯ୍ୟ କରାଯାଇଛି। ଜଟଣୀ ଅଞ୍ଚଳ ପାଇଁ ସେପ୍ଟେମ୍ବର ୨୬ ରେ ଅଲଗା ଭାସାଣ ଶୋଭାଯାତ୍ରା ହେବ।

ଜୋରଜବରଦସ୍ତ ଚାନ୍ଦା ଆଦାୟ କରୁଥିବା ପୂଜା କମିଟି ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବେଆଇନ ଚାନ୍ଦା ଆଦାୟ ନେଇ ଅଭିଯୋଗ କରିବା ପାଇଁ ପୋଲିସ ସ୍ୱତନ୍ତ୍ର ହେଲ୍ପଲାଇନ୍ ନମ୍ବର ୮୨୮୦୩୩୮୩୦୨ ଏବଂ ଜରୁରୀକାଳୀନ ନମ୍ବର ୧୧୨ ଜାରି କରିଛି।

ଏଥି ସହିତ ନଦୀ ଜଳ ପ୍ରଦୂଷଣ ରୋକିବା ପାଇଁ ବିଏମ୍‌ସି ଓ ପୋଲିସ ପ୍ରଶାସନ ମିଳିତ ଭାବେ ଅସ୍ଥାୟୀ ପୁଷ୍କରିଣୀ ପ୍ରସ୍ତୁତ କରିଛନ୍ତି। ଦୟା ନଦୀକୂଳସ୍ଥ ଲିଙ୍ଗିପୁର, କୁଆଖାଇ ନଦୀକୂଳସ୍ଥ ପଲାଶୁଣି, ହଂସପାଳ ଓ ବାସୁଆଘାଇ, ଚନ୍ଦକାର ନାଳନ୍ଦା ଇନ୍‌ଷ୍ଟିଚ୍ୟୁଟ୍ ନିକଟସ୍ଥ ଗାଡ଼ ଏବଂ ବାଲିଅନ୍ତାସ୍ଥ କୁଶଭଦ୍ରା ନଦୀକୂଳରେ ଅସ୍ଥାୟୀ ପୁଷ୍କରିଣୀରେ ଭାସାଣ କରାଯିବ।

 

 

Leave a Reply

Your email address will not be published. Required fields are marked *