କନ୍ଧମାଳ ପୋଲିସ ହସ୍ପିଟାଲର ପୂର୍ବତନ ମେଡିକାଲ ଅଫିସର ଡାକ୍ତର ବିଚକ୍ଷଣା ପାଣିଗ୍ରାହୀ ସରକାରୀ ସେବାରୁ ବହିଷ୍କୃତ କରାଯାଇଛି। ଦୀର୍ଘଦିନ ଧରି ଡାକ୍ତରଖାନା ନଆସି, ରୋଗୀ ସେବାରୁ ବିରତ ରହୁଥିବା ଡାକ୍ତର ମାନଙ୍କ ଉପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଓଡିଶାର ବିଭିନ୍ନ ଡାକ୍ତରଖାନାରେ ୧୨୮ ଜଣ ମେଡିକାଲ ଅଫିସର ଓ ଡେଣ୍ଟାଲ ସର୍ଜନ ଦୀର୍ଘ ୫ ବର୍ଷରୁ ଅଧିକ ସମୟ ଧରି କାର୍ଯ୍ୟରେ ଅନୁପସ୍ଥିତ ରହିଛନ୍ତି। ସେମାନଙ୍କ ସ୍ଥିତି ବିଷୟରେ ଜଣାଇବା ପାଇଁ ଖବରକାଗଜରେ ଇସ୍ତାହାର ମଧ୍ୟ ଦିଆଯାଇଥିଲା। ସେମାନଙ୍କର ଏହି ଅନଧିକୃତ ଉପସ୍ଥିତି ପାଇଁ ମୁଖ୍ୟମନ୍ତ୍ରୀ ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସ୍ବାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି କନ୍ଧମାଳ ପୋଲିସ ହସ୍ପିଟାଲର ପୂର୍ବତନ ମେଡିକାଲ ଅଫିସର ଡାକ୍ତର ବିଚକ୍ଷଣା ପାଣିଗ୍ରାହୀଙ୍କୁ ମୁଖ୍ୟମନ୍ତ୍ରୀ ସରକାରୀ ସେବାରୁ ବହିଷ୍କୃତ କରିଛନ୍ତି। ଡାକ୍ତର ପାଣିଗ୍ରାହୀ ୨୦୧୨ ପରଠାରୁ ଅନଧିକୃତ ଭାବେ ଅନୁପସ୍ଥିତ ରହିଛନ୍ତି। ବିଭାଗ ପକ୍ଷରୁ ତାଙ୍କୁ ବିଭିନ୍ନ ସମୟରେ ଅନୁପସ୍ଥିତିର କାରଣ ଦର୍ଶାଇବା ଏବଂ କାର୍ଯ୍ୟରେ ଯୋଗଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲେ ମଧ୍ୟ, ସେ ତାହାର ଅନୁପାଳନ କରିନଥିଲେ। ରୋଗୀ ସେବାରେ ତାଙ୍କର ଏହି ଅନାଗ୍ରହ ଯୋଗୁ ତାଙ୍କୁ କାର୍ଯ୍ୟରୁ ବହିଷ୍କାର କରାଯାଇଛି। ରାଜ୍ୟ ସରକାର ସ୍ବାସ୍ଥ୍ୟ ସେବାକୁ ଗୁରୁତ୍ବ ଦେଇ ନୂଆ ନୂଆ ଡାକ୍ତରଖାନା ଖୋଲୁଛନ୍ତି, ଡାକ୍ତରଖାନା ଗୁଡିକର ଆଧୁନିକୀକରଣ କରାଯାଉଛି ଏବଂ ସ୍ବାସ୍ଥ୍ୟ ଶିକ୍ଷା ପାଇଁ ନୂଆ ନୂଆ ମେଡିକାଲ କଲେଜ ମଧ୍ୟ ଖୋଲାଯାଉଛି। ତଥାପି ନିଯୁକ୍ତି ପାଇବା ପରେ ଅନେକ ଡାକ୍ତର କାର୍ଯ୍ୟରେ ଯୋଗନଦେଇ ଅନୁପସ୍ଥିତ ରହୁଛନ୍ତି। ଏହାକୁ କୌଣସି ପରିସ୍ଥିତିରେ ଗ୍ରହଣ କରାଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। Post navigation Odisha CM suspends IPS Dayal Gangwar over Balianta Lynching Case