ବଜେଟ୍ ଆକଳନ ୨୦୨୪-୨୫ ଉପସ୍ଥାପନ ପରେ ସାମ୍ବାଦିକ ସମ୍ମିଳନୀରେ ମାନ୍ୟବର ମୁଖ୍ୟ ମନ୍ତ୍ରୀ କହିଛନ୍ତି ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦରୁ, ମୁଁ ଆଜି ବିଧାନ ସଭାରେ ୨୦୨୪-୨୫ ଆର୍ଥିକ ବର୍ଷପାଇଁ ପୂର୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଅଛି । ଭାରତର ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ମନ୍ତ୍ର ‘ସବକା ସାଥ, ସବକା ବିକାଶ, ସବକା ବିଶ୍ଵାସ ଏବଂ ସବକା ପ୍ରୟାସ’ କୁ ଆଧାର କରି ଆମେ ଏହି ବଜେଟ ପ୍ରସ୍ତୁତ କରି ଅଛୁ । ସମାଜର ଚାରିଟି ପ୍ରମୁଖ ଶ୍ରେଣୀ ଯଥା ‘ଗରିବ’, ‘ମହିଳା’, ‘ଯୁବବର୍ଗ ‘ ଏବଂ ‘ଅନ୍ନଦାତା’ ଙ୍କ ସର୍ବାଙ୍ଗିନ ବିକାଶ ପାଇଁ ଏବଂ ଏକ ‘ବିକଶିତ ଓଡ଼ିଶା’ ର ପରିକଳ୍ପନାର ସଫଳ ରୂପାଯନ ପାଇଁ ଏହି ବଜେଟ ଆମର ଏକ ଚେଷ୍ଟା ।

– ଆର୍ଥିକ ବର୍ଷ ୨୦୨୪-୨୫ ପାଇଁ ମୋଟ ୨ ଲକ୍ଷ ୬୫ ହଜାର କୋଟି ଟଙ୍କା ବଜେଟ୍ ଅଟକଳ ହୋଇଅଛି, ଯାହାକି ବିଗତ ବର୍ଷର ବଜେଟ୍ ଅଟକଳ ଠାରୁ ପ୍ରାୟ ୧୫ ପ୍ରତିଶତ ଅଧିକ ଅଟେ । ଏହି ବଜେଟ୍ ଅଟକଳ ମଧ୍ଯରୁ ୧ ଲକ୍ଷ ୫୫ ହଜାର କୋଟି ଟଙ୍କାର ପ୍ରସ୍ତାବିତ କାର୍ଯ୍ୟକ୍ରମ ବ୍ୟୟ ମୋଟ ବଜେଟ୍ ଅଟକଳର ୫୮ ପ୍ରତିଶତ । ଏହା ୨୦୨୪-୨୫ ଆର୍ଥିକ ବର୍ଷରେ କରାଯାଇଥିବା ବ୍ୟୟଅଟକଳଠାରୁ ୨୪ ପ୍ରତିଶତ ଅଧିକ ।

– ମହାପ୍ରଭୁ ଶ୍ରୀ ଜଗନ୍ନାଥ ଓଡିଆ ସଂସ୍କୃତିର ପ୍ରାଣ କେନ୍ଦ୍ର ତଥା “ଓଡ଼ିଆ ଅସ୍ମିତା”ର ପରିଚୟ । ଏଥିପାଇଁ ଆମେ ଆମର ନିର୍ବାଚନୀ ଇସ୍ତାହାରରେ ଦେଇଥିବା ପ୍ରତିଶ୍ରୁତି ମୁତାବକ ପ୍ରଥମ କ୍ୟାବିନେଟ୍ ବୈଠକରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (SJTA) ପାଇଁ ୫ ଶହ କୋଟି ଟଙ୍କା କର୍ପସ ପାଣ୍ଠି ଗଠନ ନିମନ୍ତେ ନିଷ୍ପଭି ନେଇଥିଲୁ । ଆମର ନିଷ୍ପତ୍ତି ଅନୁଯାୟୀ ବର୍ତ୍ତମାନ ଏହି ବଜେଟରେ ଉପଯୁକ୍ତ ବ୍ୟବସ୍ଥା କରାଯାଇଛି । ଏହା ଛଡା ଘଟଗାଁ ସ୍ଥିତ ମା ତାରିଣୀ ପୀଠରେ ପାରିପାର୍ଶ୍ବକ ଉନ୍ନୟନ ପାଇଁ ୫୦ କୋଟି ଟଙ୍କାର ବ୍ୟୟ ପ୍ରସ୍ତାବ ରଖୁଛୁ । ଓଡ଼ିଆ ଅସ୍ମିତା ପାଇଁ ୨ ଶହ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି ।

ସମୃଦ୍ଧ କୃଷକ ଯୋଜନା ଓ ଶ୍ରୀ ଅନ୍ନ ଅଭିଯାନ

୩- “ବିକଶିତ ଓଡ଼ିଶା”ର ପରିକଳ୍ପନାକୁ ସାକାର କରିବାକୁ “ସମୃଦ୍ଧ କୃଷକ ଯୋଜନା” କାର୍ଯ୍ୟକାରୀ କରିବାକୁ ପ୍ରସ୍ତାବ ହେଇଛି । ଏହି ଯୋଜନାରେ କୃଷକମାନଙ୍କଠାରୁ ଦ୍ବିଣ୍ଟାଲ ପିଛା ୩୧୦୦ ଟଙ୍କା ମୂଲ୍ୟରେ ଧାନ କିଣାଯିବ । ଏଥିପାଇଁ ଆମେ 5 ହଜାର କୋଟି ଟଙ୍କାର ପ୍ରସ୍ତାବ ରଖିଛୁ । ଶ୍ରୀ ଅନ୍ନ ଅଭିଯାନ ଅଧୀନରେ ମାଣ୍ଡିଆ ଜାତୀୟ ଫସଲର ଉତ୍ପାଦନ ଏବଂ ବ୍ୟବହାରକୁ ବୃଦ୍ଧି କରିବା ପାଇଁ ଏହି ବଜେଟରେ ୬ ଶହ ୪୯ କୋଟି ଟଙ୍କା ବ୍ୟୟ ବରାଦ ରଖାଯାଇଛି । କୃଷି କ୍ଷେତ୍ରକୁ ଜଳସେଚନ ସୁବିଧା, କମ ସୁଧରେ ଋଣ ଓ ବୀମା ସୁବିଧା ଏବଂ ଆନୁଷଙ୍ଗିକ କ୍ଷେତ୍ର ଗୁଡିକୁ ପ୍ରୋତ୍ସାହନ ଦେଇ କୃଷକର ଆୟବୃଦ୍ଧି କରାଯିବା ପାଇଁ ବଜେଟରେ ପର୍ଯ୍ୟାପ୍ତ ବ୍ୟୟ ବରାଦ କରାଯାଇଛି ।

ସୁଭଦ୍ରା ଯୋଜନା

– ଆମର ନିର୍ବାଚନୀ ପ୍ରତିଶ୍ରୁତି ଅନୁଯାୟୀ ପ୍ରଥମ କ୍ୟାବିନେଟ୍ ବୈଠକରେ “ସୁଭଦ୍ରା ଯୋଜନା” ଶୁଭାରମ୍ଭ କରିବା ପାଇଁ ନିଷ୍ପତ୍ତି ନେଇଥିଲୁ । ଏହି ଯୋଜନା ମାଧ୍ୟମରେ ମହିଳାମାନଙ୍କୁ ଉଦ୍ୟୋଗୀ, ସଶକ୍ତ ଓ ଆର୍ଥିକ ଦୃଷ୍ଟିକୋଣରୁ ସ୍ବାଧୀନ କରିବା ପାଇଁ ବଜେଟ୍ ରେ ୧୦ ହଜାର କୋଟି ଟଙ୍କା ବ୍ୟୟବରାଦର ପ୍ରସ୍ତାବ ରହିଛି ।

ମଧୁବାବୁ ପେନ୍‌ସନ ଯୋଜନା

୫- ଆମ ପ୍ରତିଶ୍ରୁତି ମୁତାବକ, ପ୍ରଥମ ପର୍ଯ୍ୟାୟରେ ୮୦ ବର୍ଷରୁ ଉର୍ଦ୍ଧ ବୟସ୍କ ନାଗରିକ ଓ ୮୦ ପ୍ରତିଶତ ଏବଂ ତଦୁଦ୍ଧ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ଲାଗି ଉଭୟ ମଧୁବାବୁ ପେନ୍‌ସନ ଯୋଜନା (MBPY) ଓ ଜାତୀୟ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମ (NSAP) ଅଧୀନରେ ସାମାଜିକ ସୁରକ୍ଷା ଭତ୍ତାକୁ ମାସିକ ୩ ହଜାର ୫ ଶହ ଟଙ୍କାକୁ ବୃଦ୍ଧି କରାଯିବ ।

ମାଧୋ ସିଂହ ହାତ ଖର୍ଚ୍ଚ ଯୋଜନା

– ପ୍ରାଥମିକ ସ୍ତରରେ ଗୁଣାତ୍ମକ ଶିକ୍ଷା ପାଇଁ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ନାମକ ଏକ ନୂତନ ଯୋଜନାରେ ୫୦ କୋଟି ଟଙ୍କା ବ୍ୟୟବରାଦର ପ୍ରସ୍ତାବ ରହିଛି । ସ୍କୁଲ ଡ୍ରପ-ଆଉଟ ହାରକୁ ରୋକିବା ପାଇଁ ଆମର ନିର୍ବାଚନୀ ପ୍ରତିଶ୍ରୁତି ଅନୁଯାୟୀ “ମାଧୋ ସିଂହ ହାତ ଖର୍ଚ୍ଚ'” ନାମକ ଏକ ନୂତନ ଯୋଜନା କାର୍ଯ୍ୟକାରୀ କରିବୁ । ଏହା ଦ୍ବାରା ଚଳିତ ବର୍ଷ ପ୍ରାୟ ୩ ଲକ୍ଷ ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀ ଉପକୃତ ହେବେ । ତେଣୁ ବଜେଟ୍ ଆକଳନ ୨୦୨୪-୨୫ ରେ ଏହି ଯୋଜନା ଅଧୀନରେ ୧ ଶହ ୫୬ କୋଟି ଟଙ୍କା ବ୍ୟୟ ବରାଦ ପ୍ରସ୍ତାବ ରହିଛି ।

ପିଏମ ଆୱାସ ଯୋଜନା

୭- ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଗୃହ ନିର୍ମାଣ ପାଇଁ ପିଏମ ଆୱାସ ଯୋଜନାକୁ ସମ୍ପୂର୍ଣ ରୂପେ କାର୍ଯ୍ୟକାରୀ କରିବା ପାଇଁ ୬ ହଜାର ୭ ଶହ ୮୨ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ୨୦୨୫ ସୁଦ୍ଧା ବିଶେଷ ଭାବେ ଦୁର୍ବଳ ଜନଜାତି ଗୋଷ୍ଠୀ PVTG ମାନଙ୍କ ପାଇଁ ସୁରକ୍ଷିତ ଆବାସ ଯୋଗାଇଦେବା ପାଇଁ PM-JANMAN ଅଧୀନରେ ୬ ଶହ କୋଟି ଟଙ୍କାର ପ୍ରସ୍ତାବ ରହିଛି । ଏହାଦ୍ବାରା ଗରିବ ଲୋକମାନଙ୍କର ପକ୍କାଘରର ଆବଶ୍ୟକତା ପୂରଣ କରାଯାଇପାରିବ ।

ଆୟୁଷ୍ମାନ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା

୮- ଏହି ବଜେଟରେ ଆମେ ଅନେକ କେନ୍ଦ୍ରୀୟ ପ୍ରବର୍ଷିତ ଯୋଜନ ଜନା ଓ କେନ୍ଦ୍ରୀୟ ଯୋଜନା ମାଧ୍ୟମରେ ପ୍ରାପ୍ତ ପାଣ୍ଠି ରାଜ୍ୟର ବିଭିନ୍ନ ଉନ୍ନୟନ ମୂଳକ ପଦକ୍ଷେପ ନିମନ୍ତେ ଉପଯୋଗ କରିବା ପାଇଁ ପ୍ରସ୍ତାବ ଦେଇଛୁ ।ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଓ ରାଜ୍ୟର ନିଜସ୍ବ ସ୍ବାସ୍ଥ୍ୟ ବୀମା ଯୋଜନା ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ସଂଯୋଜନ ମାଧ୍ୟମରେ ଯୋଗ୍ୟ ପରିବାରମାନଙ୍କୁ କ୍ୟାସ୍-ଲେସ୍ ସ୍ବାସ୍ଥ୍ୟ ସେବା ପ୍ରଦାନ କରିବାପାଇଁ ବ୍ୟବସ୍ଥା କରାଯାଇଛି । ଏହାଛଡା ମେଡିକାଲ କଲେଜ ଓ ହସ୍ପିଟାଲଗୁଡିକ ପାଇଁ ୨ ଶହ କୋଟି ଟଙ୍କାର କର୍ପସ ପାଣ୍ଠି ଯୋଗାଇବା ପାଇଁ ବ୍ୟୟ ବରାଦ କରାଯାଇଛି ।

ପିଏମ୍ ଶ୍ରୀ ଯୋଜନା

୯- ଉତ୍ତମ ଶିକ୍ଷା ବ୍ୟବସ୍ଥା ନିମନ୍ତେ ୨୦୩୪-୨୫ ଆର୍ଥିକ ବର୍ଷରୁ PM- SHRI ଯୋଜନାକୁ ସମଗ୍ର ରାଜ୍ୟରେ କାର୍ଯ୍ୟକାରୀ କରିବା ପାଇଁ ଆମେ ଏକ ଐତିହାସିକ ନିଷ୍ପତ୍ତି ନେଇଛୁ । ଓଡ଼ିଶାରେ “ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନ ଯୋଜନା” (PM-USHA) ପ୍ରଚଳନ ହେବ, ଯେଉଁଥିରେ ଉଚ୍ଚଶିକ୍ଷାରେ ସମାନତା (Equity), ଉପଲବ୍ଧତା (Access) ଏବଂ ଅନ୍ତର୍ଭୁକ୍ତିକରଣ (Inclusion) ଉପରେ ଗୁରୁତ୍ବ ଦିଆଯିବ ।

୧୦– ଲୋକମାନକ ଘରେ ଏବଂ ସରକାରୀ ପ୍ରତିଷ୍ଠାନରେ “ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର: ମାଗଣା ବିଜୁଳି ଯୋଜନା’” କାର୍ଯ୍ୟକାରୀ କରିବାକୁ ଆମେ ପ୍ରତିଶ୍ରୁତିବଦ୍ଧ । “ପି.ଏମ୍- ଅଜୟ” ଅଧୁନରେ ୮୦୯ ଟି ଗ୍ରାମକୁ ଆଦର୍ଶ ଗ୍ରାମରୂପେ ଘୋଷଣା କରାଯାଇଛି । ଏହି ଯୋଜନାପାଇଁ ୩ ଶହ ୧୬ କୋଟି ଟଙ୍କାର ବ୍ୟୟବରାଦ ପ୍ରସ୍ତାବ କରାଯାଇଛି ।

୧୧– ପର୍ଯ୍ୟଟନ କ୍ଷେତ୍ର ନିମନ୍ତେ ବଜେଟ୍ ଆକଳନ ୮ ଶହ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି । ମହାନଦୀ ରିଭର ଫ୍ରଣ୍ଟ ଡେଭଲପମେଣ୍ଟ ଯୋଜନାରେ ସମ୍ବଲପୁର ଓ କଟକର ମହାନଦୀ କୂଳବର୍ତ୍ତୀ ଅଞ୍ଚଳକୁ ଗୁଜୁରାଟର ସାବରମତୀ ରିଭର ଫ୍ରଣ୍ଟ ପ୍ରକଳ୍ପ ଅନୁରୂପ ବିକାଶ କରିବାକୁ ଲକ୍ଷ୍ୟ ରଖାଯାଇଛି ।

୧୨– ଉତ୍ତମ ଆର୍ଥିକ ପରିଚାଳନା ଦ୍ବାରା ହ ଏକ ଉନ୍ନ‌ତ ଓ ବିକଶିତ ରାଜ୍ୟ ଗଠନ ସମ୍ଭବପର । ଏହାକୁ ଦୃଷ୍ଟିରେ ରଖ୍, ବିତ୍ତୀୟ ଉତ୍ତରଦାୟୀ ଓ ବଜେଟ ପରିଚାଳନା ଅଧୁନିୟମ, ୨୦୦୫ ରେ ଧାର୍ଯ୍ୟ ସମସ୍ତ ବିତ୍ତୀୟ ସୁଚକାଙ୍କ ସୀମା ମଧ୍ୟରେ ୨୦୨୪-୨୫ ଆର୍ଥିକ ବର୍ଷର ବଜେଟ ପ୍ରସ୍ତୁତ କରାଯାଇଛି ।

ଆମ ସରକାର ସମ୍ବଳର ସୁବିନିଯୋଗ କରି ରାଜ୍ୟର ଜନସାଧାରଣଙ୍କ କଲ୍ୟାଣ, ସମୃଦ୍ଧି ଓ ବିକାଶ ସହ ବିକଶିତ ଓଡ଼ିଶା ନିମନ୍ତେ ଏହି ସମତୁଲ ବଜେଟ ମାଧ୍ଯମରେ ଏକ ଖସଡା ପ୍ରସ୍ତୁତ କରିଛନ୍ତି । ମୋର ଦୃଢ ବିଶ୍ବାସ ଯେ, ଆମ ସରକାର ଓଡ଼ିଶାବାସୀଙ୍କର ସହଯୋଗରେ ବଜେଟ୍‌ରେ ପ୍ରଦତ୍ତ ସମ୍ୱଳର ସୁବିନିଯୋଗ କରି ରାଜ୍ୟକୁ ବିକାଶର ଶିଖରରେ ପହଞ୍ଚାଇବାରେ ସମର୍ଥ ହେବେ । ବର୍ତ୍ତମାନର ସରକାର ହେଉଛି ଲୋକଙ୍କ ସରକାର, ଏଣୁ ଏହି ବଜେଟ ହେଉଛି ଲୋକଙ୍କ ବଜେଟ ।

Leave a Reply

Your email address will not be published. Required fields are marked *