୧୯୯୯ ମସିହାରେ କେନ୍ଦୁଝର ଜିଲ୍ଲାରେ ଅଷ୍ଟ୍ରେଲୀୟ ମିଶନାରୀ ଗ୍ରାହମ ଷ୍ଟେନ୍ସ ଏବଂ ତାଙ୍କର ଦୁଇ ନାବାଳକ ପୁଅଙ୍କୁ ଜୀବନ୍ତ ପୋଡ଼ି ମାରିବା ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଦାରା ସିଂଙ୍କ ଆଗୁଆ ମୁକ୍ତି ସମ୍ଭାବନା କ୍ଷୀଣ ହୋଇଯାଇଛି। ଦାରା ସିଂହଙ୍କୁ ସମୟ ପୂର୍ବରୁ ମୁକ୍ତ କରିବା ପାଇଁ କରାଯାଇଥିବା ଆବେଦନକୁ ଓଡ଼ିଶା ରାଜ୍ୟ ଦଣ୍ଡ ସମୀକ୍ଷା ବୋର୍ଡ (State Sentence Review Board) ଖାରଜ କରିଦେଇଛନ୍ତି। ସେପ୍ଟେମ୍ବର ୧୭ ରେ ସୁପ୍ରିମ୍ କୋର୍ଟରେ ଏହି ମାମଲାର ଶୁଣାଣି ହେବାକୁ ଥିବା ବେଳେ ବୋର୍ଡ ଏହି ନିଷ୍ପତ୍ତି ନେଇଛି।

ଦାରା ସିଂଙ୍କୁ ମୁକ୍ତ କରାଗଲେ ସାମାଜିକ ସୌହାର୍ଦ୍ଦ୍ୟ ବିଗିଡ଼ିବା ସହ ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟି ହେବାର ଆଶଙ୍କା ଦର୍ଶାଇ SSRB ଏହି ପିଟିସନ୍‌କୁ ଖାରଜ କରିଛନ୍ତି। ​ଗତ ଅଗଷ୍ଟ ୧୫ ତାରିଖରେ ‘ଦାରା ସେନା’ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏଥିରେ ପ୍ରାୟ ୨୫୦ ଜଣ ଦାରା ସେନା କର୍ମୀ ଉତ୍ତେଜନାମୂଳକ ସ୍ଲୋଗାନ ଦେଇଥିଲେ। ଏହି ଘଟଣାର ସମୀକ୍ଷା କରିବା ପରେ SSRB ଦାରା ସିଂଙ୍କ ଆଗୁଆ ମୁକ୍ତି ପିଟିସନକୁ ଖାରଜ କରିଛନ୍ତି। ଗତ ୩୧ ତାରିଖ ହୋଇଥ‌ିବା ବୈଠକରେ ଖାରଜ କରାଯାଇଥିବା ସୂଚନା ମିଳିଛି।

ଏହା ପୂର୍ବରୁ ମଧ୍ୟ ୨୦୧୬, ୨୦୧୯, ୨୦୨୦, ୨୦୨୨, ଓ ୨୦୨୩ରେ ବୋର୍ଡ ପକ୍ଷରୁ ୫ ଥର ତାଙ୍କ ପିଟିସନ୍‌କୁ ଖାରଜ କରାଯାଇସାରିଛି।

ସୂଚନାଯୋଗ୍ୟ, ୧୯୯୯ ମସିହାରେ ଅଷ୍ଟ୍ରେଲୀୟ ସାଧୁ ଗ୍ରାହମ ଷ୍ଟେନ୍ସ ଓ ତାଙ୍କର ଦୁଇ ନାବାଳକ ପୁଅଙ୍କୁ ଜୀବନ୍ତ ପୋଡ଼ି ମାରିବା ଅଭିଯୋଗରେ ଦାରା ସିଂ ଦୋଷୀ ସାବ୍ୟସ୍ତ ହୋଇଥିଲେ। ୨୦୦୩ରେ ସିବିଆଇ କୋର୍ଟ ତାଙ୍କୁ ମୃତ୍ୟୁଦଣ୍ଡାଦେଶ ଦେଇଥିବା ବେଳେ ୨୦୦୫ରେ ଓଡ଼ିଶା ହାଇକୋର୍ଟ ଏହି ଦଣ୍ଡାଦେଶକୁ କମାଇ ଆଜୀବନ କାରାଦଣ୍ଡରେ ପରିଣତ କରିଥିଲେ। ଗତ ୨୬ ବର୍ଷ ୬ ମାସ ହେଲା ସେ କେନ୍ଦୁଝର ଜେଲରେ ବନ୍ଦୀ ଅଛନ୍ତି।

Leave a Reply

Your email address will not be published. Required fields are marked *