ବିଜୁ ଜନତା ଦଳରେ ବିବାଦ ଥମୁନାହିଁ । ସାଧାରଣ ନିର୍ବାଚନ ପୂର୍ବରୁ ଦଳରେ ଯେଉଁ ଗୋଷ୍ଠୀକନ୍ଦଳ ଓ ବିଦ୍ରୋହ ଆରମ୍ଭ ହୋଇଥିଲା ତାହା ନିର୍ବାଚନ ଫଳାଫଳ ପରେ ଜୋର ଧରିଥିଲା । ଆଉ ନୂଆପଡ଼ା ଉପନିର୍ବାଚନ ପରାଜୟ ପରେ ଏହା ବିସ୍ଫୋରକ ରୂପ ନେଉଛି । ମଙ୍ଗଳବାର ବଡ଼ଧରଣର ବିସ୍ଫୋରଣ ଘଟାଇଛନ୍ତି ଦଳର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ । ସେ ସୁପ୍ରିମୋଙ୍କୁ ଚିଠି ଲେଖି ଦଳର ସିନିଅର ସିଟିଜେନ୍ ସେଲ୍ ଉପସଭାପତି ପଦରୁ ଇସ୍ତଫା ଦେଇଛନ୍ତି । ଆଉ ବର୍ଷିଛନ୍ତି ଭୈରବ କର୍ତ୍ତିକେୟନ ପାଣ୍ଡିଆନଙ୍କ ଉପରେ । ଏଥିସହ ସେ କହିଛନ୍ତି ଦଳରେ ଆଉ କେହି ବିଜୁ ଆଦର୍ଶରେ, ନବୀନ ଆଦର୍ଶରେ ଅନୁପ୍ରାଣିତ ନେତା ନାହାନ୍ତି । କିଛି ହାରୁ ନେତା ଚଳାଇଛନ୍ତି ଦଳ । ନବୀନ ଏକପ୍ରକାର ଗୃହବନ୍ଦୀ, ବିଦେଶରେ ଥାଇ ରିମୋଟ୍ କଣ୍ଟ୍ରୋଲ ମାଧ୍ୟମରେ ଦଳ ଚଳାଇଛନ୍ତି ପାଣ୍ଡିଆନ। ଦୀର୍ଘଦିନ ଧରି ଯେଉଁ ଅସନ୍ତୋଷ ଦେବାଶିଷଙ୍କ ଭିତରେ ଥିଲା ତାହା ଶେଷରେ ବିସ୍ଫୋରକ ରୂପ ନେଇଛି । ସଭାପତି ନବୀନ ପଟ୍ଟନାୟକଙ୍କୁ ନିଜ ଇସ୍ତଫାପତ୍ରରେ ସେ ଲେଖିଛନ୍ତି ଯେ ୨୦୨୪ ପରାଜୟର କାରଣ ସମସ୍ତେ ଜାଣନ୍ତି । ଆପଣ ନିଜେ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରନ୍ତୁ । ଆମ ଦଳ ଏବେ ନୂଆ ବିଚାରଧାରାରେ ଅଗ୍ରସର ହେଉଛି । ଇସ୍ତଫା ଦେବା ପରେ ସାମ୍ବାଦିକ ସମ୍ମିଳନୀ କରିଥିଲେ ଦେବାଶିଷ। ଆଉ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଆଦିତ୍ୟ ମହାପାତ୍ରଙ୍କ ନାଁ ନେଇ କହିଥିଲେ ଯେ ସେ ହିଁ ଦଳକୁ ପରିଚାଳନା କରୁଛନ୍ତି । ତାଙ୍କୁ ସହଯୋଗ କରୁଛନ୍ତି ହାରିଯାଇଥିବା କିଛି ନେତା । ବିଦେଶରେ ଥିବା ପାଣ୍ଡିଆନଙ୍କ ନିର୍ଦ୍ଦେଶମତେ ଆଦିତ୍ୟ ମହାପାତ୍ର କାର୍ଯ୍ୟ କରୁଥିବା ଜଣାପଡ଼ୁଛି । ଏହାର ଅର୍ଥ ରିମୋଟ କଣ୍ଟ୍ରୋଲରେ ଦଳ ଚଳାଉଛନ୍ତି ପାଣ୍ଡିଆନ । ବିଜୁ ଜନତା ଦଳ ଗଠନ ସମୟରେ ପ୍ରମୁଖ ଭୂମିକା ନେଇଥିବା, ନବୀନଙ୍କ ସହ କାମ କରୁଥିବା ନେତାଙ୍କର ଆଉ ଦଳରେ ସ୍ନାନ ନାହିଁ । ଦଳ ଏବେ ଭିନ୍ନ ଧାରାରେ ଅଗ୍ରସର ହେଉଛି। ନବୀନ ବାବୁ ଥିବା ପର୍ଯ୍ୟନ୍ତ ମୁଁ ଦଳରେ ରହିବି । ସେ କହିଛନ୍ତି ଯେ ଗୋଟିଏ ସମୟରେ ନଦୀନ ବାବୁଙ୍କ ସହ ମୁଁ ସିଧାସଳଖ କଥା ହେଉଥିଲି । ହେଲେ ଏବେ ମତେ ରୋକା ଯାଉଛି। ନବୀନଙ୍କୁ ଭେଟିବା ପାଇଁ ମୁଁ ଦୀର୍ଘମାସ ଅପେକ୍ଷା କରିଛି । ବଳରେ ମତେ ଗୁରୁତ୍ବ ମିଳୁନଥିବାରୁ ମୁଁ ପଦ ଛାଡୁଛି । ନବୀନଙ୍କୁ ଏବେ ଏକପ୍ରକାର ଗୃହବନ୍ଦୀ ରଖାଯାଇଛି । ସବୁ ନିଷ୍ପତ୍ତି ସେମାନେ ନେଉଛନ୍ତି, କେବଳ ନବୀନଙ୍କ ନାଁ ଆଗକୁ ଆସୁଛି । Post navigation Odisha Assembly: ଆସନ୍ତାକାଲିଠୁ ଆରମ୍ଭ ହେବ ବିଧାନସଭା ଶୀତ ଅଧିବେଶନ