ଗତକାଲି ପହଣ୍ଡିରେ ଅଘଟଣକୁ ନେଇ ଚିନ୍ତା ପ୍ରକଟ କଲେ ଗଜପତି ମହାରାଜା। ସେ କହିଛନ୍ତି ଗତକାଲି ଯାହା ଘଟିଲା ତାହା ସାରା ବିଶ୍ୱର ଜଗନ୍ନାଥ ପ୍ରେମୀଙ୍କୁ ମର୍ମାହତ ଓ ଦୁଃଖିତ କରିଛି। କାଲିର ଘଟଣାରୁ ସେବାୟତମାନେ ଯାହା ଶିଖିବା କଥା ଶିଖିଛନ୍ତି। ପ୍ରଶାସନ ସ୍ତରରେ ଭଲ ଭାବେ ଯାଞ୍ଚ ହେବ। ହେଲେ କିଛି ମୂଳ ସମସ୍ୟା ରହିଛି ବୋଲି ଗଜପତି କହିଛନ୍ତି। ଆଗାମୀ ଦିନରେ ଏହାର ପୁନରାବୃତ୍ତି ନ ହେବାକୁ ସେବାୟତ ଯତ୍ନ ନେବେ। ପହଣ୍ଡି ସମୟରେ ଓ ରଥ ଉପରେ ଅଧିକ ସେବାୟତ ରହୁଛନ୍ତି। ନୀଳାଦ୍ରି ବିଜେ ପରେ ଏନେଇ ବିସ୍ତୃତ ଭାବେ ଆଲୋଚନା ହେବ। ଏନେଇ ପରିଚାଳନା କମିଟି ବୈଠକରେ ବିସ୍ତୁତ ଭାବେ ଆଲୋଚନା ହୋଇଥିବା କହିଛନ୍ତି ଗଜପତି ମହାରାଜା।

ନୀଳାଦ୍ରି ବିଜେ ପରେ ଏନେଇ ବିସ୍ତୃତ ଭାବେ ଆଲୋଚନା ହେବ ବୋଲି ସେ ଦୋହରାଇଛନ୍ତି। ସେହିପରି ଘଟଣାର ତଦନ୍ତ କରିବା ପାଇଁ ୩ ଜଣିଆ କମିଟି ଗଠନ କରାଯାଇଥିବା ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ଜଣେ ଏଡିଏମ୍, ଉନ୍ନୟନ ପ୍ରଶାସକ ଓ ଜଣେ ଡିଏସପିଙ୍କୁ ନେଇ କମିଟି ଗଠନ ହୋଇଛି। ଘଟଣା ସମୟର ଭିଡିଓ ଫୁଟେଜ୍ ସହ ସମସ୍ତ ଦିଗକୁ ଦେଖି ତଦନ୍ତ କରି ନୀଳାଦ୍ରି ବିଜେର ୧୦ ଦିନ ମଧ୍ୟରେ କମିଟି ରିପୋର୍ଟ ପ୍ରଦାନ କରିବ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ଶ୍ରୀବିଗ୍ରହମାନଙ୍କ ମଙ୍ଗଳବାର ସନ୍ଧ୍ୟାରେ ଆଡ଼ପ ମଣ୍ଡପ ପହଣ୍ଡି ସମୟରେ ରଥ ଉପରେ ଏକ ବଡ଼ଧରଣର ଅଘଟଣ ଘଟିଥିଲା। ବଡ଼ଠାକୁର ବଳଭଦ୍ରଙ୍କୁ ରଥରୁ ପହଣ୍ଡି କରି ଅଣାଯାଉଥିବା ବେଳେ ଚାରମାଳ ଉପରେ ସେବାୟତମାନେ ପକାଇ ଦେଇଥିଲେ। ଏଥିରେ କିଛି ସେବାୟତ ମଧ୍ୟ ଆହତ ହୋଇଥିଲେ। କିଛି ସମୟ ପରେ ଠାକୁରଙ୍କୁ ଉଠାଯାଇ ପୁଣ ପହଣ୍ଡି କରି ଜନ୍ମବେଦୀ ବା ଆଡ଼ପମଣ୍ଡପକୁ ନିଆଯାଇଥିଲା।

Leave a Reply

Your email address will not be published. Required fields are marked *